ଜଳବାୟୁ ପରିବର୍ତ୍ତନ ପାଇଁ ସାରା ଦେଶ ଏବେ ଚିନ୍ତିତ । ଗଛ କଟା, ମୃତ୍ତିକା କ୍ଷୟ, କଳକାରଖାନା, ଖଣି ଖନନ ପାଇଁ ପାଣିପାଗରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଏହାରି ଭିତରେ ଲୋକଙ୍କ ଭିନ୍ନ ଏକ ବିଶ୍ୱାସର କାହାଣୀ ଆଜି ଆମେ କହିବୁ । କେମିତି ପକ୍ଷୀଙ୍କ ଭରସାରେ ଚାଷ କରିଥାନ୍ତି ଚାଷୀ । ପକ୍ଷୀଙ୍କ ସଂଖ୍ୟା ଦେଖି ଅନୁମାନ କରନ୍ତି ଚାଷ ଲାଭକ୍ଷତି । 

Advertisment

ପକ୍ଷୀ କୁହନ୍ତି ପାଣିପାଗ କଥା
ବଲାଙ୍ଗୀର ଚାଷୀଙ୍କ ଅଜବ ବିଶ୍ୱାସ

ଗାଁ ରାସ୍ତା କଡ଼ରେ ବିରାଟ ତେନ୍ତୁଳି ଗଛ । ସେ ଗଛ କେତେ ବର୍ଷର ତା’ କେହି କହିପାରୁନାହାନ୍ତି । କି ଗଛ ଉପରେ ବସିଥିବା ସେ ବିଦେଶାଗତ ପକ୍ଷୀ କେବେଠୁ ଆସୁଛନ୍ତି ତା’ ବି କାହାରିକୁ ଜଣାନାହିଁ । କିନ୍ତୁ ସେମାନଙ୍କ ଆଗମନ ଚାଷୀଙ୍କ ମନରେ ଭରିଦିଏ ଆନନ୍ଦ । କାରଣ ବିଶ୍ୱାସ ରହିଛି, ପକ୍ଷୀମାନେ ଆସିଲେ ଆସେ ବର୍ଷା, କ୍ଷେତ ହସେ ।


ଅଧିକ ପକ୍ଷୀ, ଭଲ ଚାଷର ଆଭାସ
ପକ୍ଷୀ କମିଲେ ମରୁଡ଼ି ଆଶଙ୍କା

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବୈଜଲସାଗର ଗାଁର ହରିଶଙ୍କର ରାସ୍ତା କଡ଼ର ସେ ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ଚାଷ କଥା କହିଥାଏ । ଗଛ ଉପରେ ବସିଥିବା ପକ୍ଷୀମାନେ ପାଣିପାଗର ଆଭାସ ଦେଇଥାନ୍ତି କୁଆଡ଼େ । ଅଧିକ ସଂଖ୍ୟକ ପକ୍ଷୀ ଆସିଲେ, ଭଲ ବର୍ଷା ହୁଏ ଏବଂ ଖରିଫ ଫସଲ ଭଲ ଅମଳ ହୁଏ ବୋଲି ଚାଷୀଙ୍କ ବିଶ୍ୱାସ ରହିଛି । 

ପ୍ରାୟତଃ ଶୀତଦିନେ ପକ୍ଷୀମାନେ ନୀଳ ଆକାଶରେ ମାଇଲ୍ ମାଇଲ୍‌ ବାଟ ଅତିକ୍ରମ କରି ଚିଲିକା, ହୀରାକୁଦ, ଅଂଶୁପା ଭଳି ହ୍ରଦକୁ ଆସିଥାନ୍ତି । କିନ୍ତୁ ବର୍ଷାଦିନେ ସେମାନଙ୍କୁ ଦେଖିବାକୁ ମିଳେ । ଅକ୍ଷୟ ତୃତୀୟାରୁ ଅତିଥିଙ୍କ ଆଗମନ ହୋଇଥାଏ । ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅଧିକ ସଂଖ୍ୟାରେ ଆସି କୁଟାକାଠି ସଂଗ୍ରହ କରି ବସା ବାନ୍ଧନ୍ତି । ଅଣ୍ଡା ଦେଇ ଶ୍ରାବଣ ମାସରେ ଛୁଆ ଫୁଟାଇଥାନ୍ତି । ଆଉ ସେମାନଙ୍କ ସୁରକ୍ଷା ପାଇଁ ଅଛି ପକ୍ଷୀ ସୁରକ୍ଷା କମିଟି । ଶିକାରୀଙ୍କ ଉପରେ କଡ଼ା ନଜର ରଖିଥାନ୍ତି କମିଟି ସଦସ୍ୟ ।