କନକ ବ୍ୟୁରୋ: ବିହାର ରାଜନୀତିକୁ ନେଇ ଏବେ ମାହୋଲ ସରଗରମ । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବୟାନ ବାଜି ସେତିକି ସେତିକି ବଢୁଛି । ଆଉ ଏହାରି ଭିତରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି ମୁଁ ବିଧାନସଭା ନିର୍ବାଚନରେ ୨୪୩ ସିଟ୍ରେ ଲଢିବି । ବାସ୍…ତେଜସ୍ୱୀଙ୍କ ଏହି ବୟାନ ପରେ ପୂରା ରାଜ୍ୟରେ ଚର୍ଚ୍ଚା ବଢ଼ିଛି ।
ବିହାର ରାଜନୀତିରେ ବଡ଼ ହଲଚଲ
ତେଜସ୍ୱୀ କହିଲେ, ମୁଁ ୨୪୩ ସିଟ୍ରେ ଲଢ଼ିବି ନିର୍ବାଚନ
ମୋଦୀଙ୍କୁ କଲେ ଟାର୍ଗେଟ୍
ବେରୋଜଗାରକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍
ଏଥର ଲଢେଇ ହେବ…ବରାବର ହେବ
ବିହାର ନିର୍ବାଚନକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଲେଣି । ଏଥର ନିର୍ବାଚନ କାହା ସପକ୍ଷରେ ଯିବ ସେନେଇ ଅଙ୍କକଷା ହେଉଛି । ବିରୋଧୀ ଦଳ ବେରୋଜଗାରୀ, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଯାହାକୁ ନେଇ ଶାସକ ଦଳ ଚିନ୍ତାରେ ଅଛି । ସେପଟେ, ନିର୍ବାଚନ ରାଲିରେ କହିଥିଲେ, ଆମେ ସରକାର କଲେ ୧୦ ଲକ୍ଷ ଚାକିରି ଦେବୁ । ଯାହାଦ୍ୱାରା ବେରୋଜଗାର କମିବ । ତେଜସ୍ୱୀଙ୍କ ଏହି ବୟାନ ବିହାରରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ନିଯୁକ୍ତ ନୁହେଁ ବରଂ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ବି ତେଜସ୍ୱୀ ବୟାନ ଦେଇଛନ୍ତି । କହିଛନ୍ତି, ସରକାର ସ୍ବାସ୍ଥ୍ୟସେବା ଯୋଗାଇବାରେ ପୂରା ବିଫଳ ।
ମୋଦୀ ବଖାଣିଥିଲେ ସଫଳତା
ତେଜସ୍ବୀ ବଖାଣିଲେ ବିଫଳତା
ବିହାର ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏନ୍ଡିଏ ସରକାର ଆସିବା ପରେ ବିହାରର ଉନ୍ନତି ଅଧିକ ହୋଇଛି । ସରକାରଙ୍କ ଫୋକସ୍ରେ ବିହାର ରହିଛି । ହେଲେ ମୋଦୀଙ୍କୁ କାଉଣ୍ଟର କରିଛନ୍ତି ତେଜସ୍ବୀ । କହିଛନ୍ତି, ବିଜେପି ସରକାର କେବଳ କଥା କୁହେ,କାମ କରେ ନାହିଁ । ଯଦି ଏଠାକାର ସରକାର କାମ କରୁଥାଆନ୍ତା ତାହେଲେ ବେରୋଜଗାର ବଢ଼ିନଥାନ୍ତା ।
ବିହାରରେ ଭୁଶୁଡ଼ିଗଲାଣି ସ୍ବାସ୍ଥ୍ୟସେବା
ବିହାରର ସ୍ବାସ୍ଥ୍ୟସେବାର ବିକଳ ଚିତ୍ରକୁ ସାମ୍ନାକୁ ଆଣି ତେଜସ୍ବୀ କହିଥିଲେ, ଆଜି ବି ଗ୍ରାମାଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଚିକିତ୍ସା ଉପକରଣ ନାହିଁ କି ଡାକ୍ତର ନାହାନ୍ତି । ଏହା ଅପାରଗ ସରକାର ନୁହେଁ ତ ଆଉ କଣ ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ବୀ । ଆଉ କହିଛନ୍ତି, ଆମ ସରକାର ଆସିବା ପରେ ଏ ସବୁ ସମସ୍ୟାର ହେବ ସମାଧାନ । ବିହାରରେ ନୀତିଶ ସରକାର ବାରମ୍ବାର କ୍ଷମତାକୁ ଆସିବା ପରେ ବି ବିହାରର ଯେତିକି ଉନ୍ନତି ହେବାର କଥା ସେତିକି ହୋଇପାରିନି । ତେଣୁ ଏ ସରକାର ଏଥର କ୍ଷମତାକୁ ଆସିବାର ଆବଶ୍ୟକତା ନାହିଁ ବୋଲି ତେଜସ୍ବୀ ସ୍ପଷ୍ଟ କରିଛନ୍ତି ।
ମୋଟ୍ ଉପରେ ବିହାରକୁ ନେଇ ଜୋରଦାର ରାଜନୀତି ଚାଲିଛି । ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଥିବା ବେଳେ ବିରୋଧୀ ଏଥର ସରକାରକୁ ଆସିବାକୁ ରଣନୀତି କରୁଛନ୍ତି । ଏହାରି ଭିତରେ ବିହାରର ଜନମତ ଏଥର କାହା ସପକ୍ଷରେ ଯାଉଛି ତାହା ଦେଖିବାକୁ ବାକି ରହିଲା ।