କନକ ବ୍ୟୁରୋ: ଅଫିସ ହେଉ କି ଛକ-ବଜାର କିମ୍ବା ଗାଁ ଗହଳିର ଗଛ ମୂଳ । ଏଭଳି ଅନେକ ସ୍ଥାନରେ ସବୁଠି ଆପଣଙ୍କୁ ଯେମିତି ହେଲେ ବି ଚୁଗୁଲିଆ ଲୋକେ ମିଳିଯିବେ । କାରଣ ସେଠି ବସି ଗପସପ ବା 'ଖଟି' କରିବା ସେମାନଙ୍କ ଏକ ଅଭ୍ୟାସ କହିଲେ ଭୁଲ ହେବନି । କିନ୍ତୁ ଆପଣ ଯଦି ଚୁଗୁଲି କରୁଛନ୍ତି ତା’ ହେଲେ ସତର୍କ ହୋଇଯାଆନ୍ତୁ । ନହେଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଫାଇନ୍ । ସହମତି କ୍ରମେ ଲାଗୁ ହେଲା ନୂଆ ନିୟମ ।

Advertisment

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ବଦଳିବ DL ନିୟମ

ଆଶ୍ଚର୍ଯ୍ୟ ଲାଗୁଛି ନା... ହେଲେ ଏହା ସତ । ଆମେ ଆପଣଙ୍କୁ ନେଇ ଭୁଲ କିମ୍ବା ମିଛ ଖବର ଦେଉନୁ କିମ୍ବା କୌଣସି ଅଲଗା ଦେଶର କଥା କହୁ ନାହୁଁ । ଚୁଗୁଲିଆଙ୍କ ପାଇଁ ଆମ ଭାରତରେ ହିଁ  ଲାଗୁ ହୋଇଛି ଏହି ନିୟମ । ଭାରତର ଏମିତି ଏକ ଗାଁ ଅଛି, ଯେଉଁଠି ଚୁଗୁଲି କିମ୍ବା ପର ନିନ୍ଦା କରିବା ଏବେ ପକେଟ୍ ଉପରେ ଭାରି ପଡ଼ିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଛତିଶଗଡ଼ ବାଲୋଦ ଜିଲ୍ଲାର ମେଢକୀ ଗାଁ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏଠାରେ ଗ୍ରାମସଭା ପକ୍ଷରୁ ଏକ ଅଜବ ନିୟମ ଲାଗୁ କରାଯାଇଛି । ଚୁଗୁଲି କଲେ ଏଣିକି ଗଣିବାକୁ ପଡ଼ିବ ୫ ହଜାର ଟଙ୍କା ଜରିମାନା ।

ଗାଁରେ ଶାନ୍ତି ରକ୍ଷା କରିବା ପାଇଁ ପଞ୍ଚାୟତ ଏହି କଠୋର ପଦକ୍ଷେପ ନେଇଛି । କିଛି ଦିନ ତଳେ କେବଳ ଚୁଗୁଲି ଏବଂ ପର ନିନ୍ଦା କାରଣରୁ ଦୁଇ ପକ୍ଷ ମଧ୍ୟରେ ଭୟଙ୍କର ବିବାଦ ସୃଷ୍ଟି ହୋଇଥିଲା । ସର୍ବସାଧାରଣରେ ଜଣଙ୍କ ବିରୁଦ୍ଧରେ ଅନ୍ୟଜଣେ ଟିପ୍ପଣୀ ଦେବା ଯୋଗୁଁ ଗାଁର ଭାଇଚାରା ନଷ୍ଟ ହୋଇଥିଲା । ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଏକାଠି ହୋଇ ଗ୍ରାମସଭାରେ ନିଷ୍ପତ୍ତି ନେଇଛନ୍ତି ଯେ, ସାର୍ବଜନୀନ ସ୍ଥାନ କିମ୍ବା କୌଣସି ଧାର୍ମିକ କାର୍ଯ୍ୟକ୍ରମରେ କାହାର ଭାବନାକୁ ଆଘାତ ଦେଲା ଭଳି କଥା କହିଲେ ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ହେବ ।

ଖାଲି ଚୁଗୁଲି ନୁହେଁ ଗାଁକୁ ନିଶାମୁକ୍ତ କରିବା ପାଇଁ ମଧ୍ୟ ଜରିମାନା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ଯଦି କେହି ଗାଁରେ ମଦ ବିକ୍ରି କରନ୍ତି କିମ୍ବା ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରନ୍ତି, ତେବେ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଆଉ ମଦ ପିଇ ଧାର୍ମିକ କିମ୍ବା କୌଣସି ପର୍ବପର୍ବାଣିରେ ଯୋଗ ଦେଲେ ମଧ୍ୟ ୫ ହଜାର ଟଙ୍କା ଜରିମାନା ଲାଗୁ ହେବ ।

ସବୁଠାରୁ ବଡ଼ କଥା ହେଉଛି, ଏହି ଜରିମାନା ବାବଦକୁ ଆଦାୟ ହେଉଥିବା ସମସ୍ତ ଅର୍ଥ ବ୍ୟକ୍ତିଗତ ଭାବେ କେହି ରଖିବେ ନାହିଁ ବରଂ ଏହା ଗାଁର ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ । ଏହି ନିୟମକୁ ନେଇ ଜିଲ୍ଲାପାଳ ଅଜୟ କିଶୋର କହିଛନ୍ତି ଯେ, ଏହା ଗ୍ରାମ ସମିତିର ନିଜସ୍ୱ ନିଷ୍ପତ୍ତି । ଗାଁର ଶୃଙ୍ଖଳା ପାଇଁ ଗ୍ରାମବାସୀମାନେ ନିଜେ ଏହି ନିୟମ ଗଢ଼ିଛନ୍ତି, ତେଣୁ ପ୍ରଶାସନ ଏଥିରେ କୌଣସି ହସ୍ତକ୍ଷେପ କରିବ ନାହିଁ । ସରପଞ୍ଚଙ୍କ କହିବା ଅନୁଯାୟୀ, ଗାଁରେ ଶାନ୍ତି, ସୁରକ୍ଷା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତି ମାସରେ ଗ୍ରାମବାସୀ ଏହି ନିୟମଗୁଡ଼ିକର ସମୀକ୍ଷା ମଧ୍ୟ କରିବେ ।

ମେଢକୀ ଗାଁର ଏହି ନିଆରା ପରମ୍ପରା ଆଜିର ସମାଜ ପାଇଁ ଏକ ଶିକ୍ଷା । ଅଯଥା କଥା କହି ସମୟ ଓ ସମ୍ପର୍କ ନଷ୍ଟ କରୁଥିବା ଲୋକଙ୍କ ପାଇଁ ଏହା ଏକ ଚେତାବନୀ । ଯଦି ପ୍ରତିଟି ଗାଁ ଏମିତି ଶୃଙ୍ଖଳିତ ହୁଅନ୍ତା, ତେବେ ହୁଏତ ସମାଜରୁ ଅଧା ଅପରାଧ ଓ ବିବାଦ ଆପେ ଆପେ ଦୂର ହୋଇଯାନ୍ତା ।