କନକ ବ୍ୟୁରୋ: ସୋସିଆଲ ମିଡିଆ ନିଆଁରେ ଏବେ ଜଳୁଛି ନେପାଳ । ସବୁ ସୋସିଆଲ ପ୍ଲାଟଫର୍ମ ବ୍ୟାନ୍ ପରେ ଗତ ସପ୍ତାହରୁ ଲାଗିଛି ବିଦ୍ରୋହର ବାରୁଦ । ଜଳୁଛି ସରକାରୀ ଅଫିସ୍, ମାଡ଼ ଖାଉଛନ୍ତି ମନ୍ତ୍ରୀ ଓ ନେତା । ସ୍ଥିତି ଅଣାୟତ ହେବା ପରେ ନେପାଳର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଆଉ ନେପାଳ ଅଶାନ୍ତ ପଛରେ ରହିଛି ଜଣେ ଲୋକର ହାତ, ସେ ପୁଣି ସମାଜର ମଙ୍ଗଳ କରୁଥିବା ଜଣେ ସମାଜସେବୀ ଭାବେ ନେପାଳରେ ବେଶ୍ ଜଣାଶୁଣା ।
ନେପାଳ ଗଣମାଧ୍ୟମ ମୁତାବକ, ନେପାଳରେ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଆଉ ସେବେଠାରୁ ନେପାଳରେ ଭୟଙ୍କର ଯୁବ ବିଦ୍ରୋହ ଆରମ୍ଭ ହୋଇଛି, ଯାହାକୁ ଜେନ୍-ଜେଡ୍ ବା ଜେନ୍-ଜି ବିଦ୍ରୋହ ବୋଲି କୁହାଯାଉଛି । ବଡ଼କଥା ହେଲା ଏହି ବିଦ୍ରୋହ ପଛରେ ରହିଛି ଏନ୍ଜିଓ ହାମି ନେପାଳର ସଭାପତି ସୁଦାନ ଗୁରୁଙ୍ଗଙ୍କ ହାତ । ସେ ଏକାକୀ ନେପାଳ ନିଆଁ ପଛରେ ରହି ଏଭଳି ଆନ୍ଦୋଳନର ପରିକଳ୍ପନା କରିବା ସହ ଏହାକୁ କାର୍ଯ୍ୟକାରୀ କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥିବା କୁହାଯାଉଛି ।
ଏପଟେ ଚାରିଆଡ଼େ ନିଆଁ, ଭଙ୍ଗାରୁଜା, ଦଙ୍ଗା ଏବଂ ବ୍ୟାପକ ହିଂସା ଘଟିବା ସତ୍ତ୍ବେ ସୁଦାନ ଗୁରୁଙ୍ଗ ଏହାକୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ବୋଲି ଯୁକ୍ତି ବାଢ଼ିଛନ୍ତି । ନେପାଳରେ ବ୍ଲାକ୍ଆଉଟ୍ ପୂର୍ବରୁ, ହାମି ନେପାଳ ସୋସିଆଲ ମିଡିଆ ବ୍ୟବହାର କରି ବିକ୍ଷୋଭ କରିବାକୁ ଉସୁକାଇଥିଲେ । ଯାହା ପରେ ଏବେ ନେପାଳର ରାଜଧାନୀ କାଠମାଣ୍ଡୁ ସମେତ ପୂରା ନେପାଳରେ ନିଆଁ ଲାଗିଛି ।
ଏକ ରିପୋର୍ଟ ମୁତାବକ, ୨୦୧୫ ଭୂକମ୍ପ ପରେ ଗଠିତ ଏକ ଯୁବ ଏନ୍ଜିଓ ହାମି ନେପାଳର ସଭାପତି ହେଉଛନ୍ତି ସୁଦାନ ଗୁରୁଙ୍ଗ । ଭୂକମ୍ପ ସମୟରେ ତାଙ୍କ ପିଲାମାନଙ୍କୁ ହରାଇଥିଲେ, ଯାହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ପରେ ପରେ ବିଭିନ୍ନ ସମାଜସେବୀ ସଂଗଠକ ଭାବେ କାର୍ଯ୍ୟ କରିବା ପରେ ସେ ରିଲିଫ୍ କାର୍ଯ୍ୟରେ ମନୋନିବେଶ କରିଥିଲେ । ବିଭିନ୍ନ ଯୁବ ସଂଗଠନକୁ ଏକଜୁଟ କରିବାରେ ସେ ପ୍ରମୁଖ ଭୂମିକା ନେଇଛନ୍ତି । ଆଉ ଏବେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରି ନେପାଳରେ ନିଆଁ ଲଗାଇଛନ୍ତି ସୁଦାନ ଗୁରୁଙ୍ଗ । ବାପ ଛେଉଣ୍ଡ ଭଳି ନେପାଳ ଏବେ ନେତା ଛେଉଣ୍ଡ ହୋଇଯାଇଛି କେବଳ ଏହି ସୁଦାନ ଗୁରୁଙ୍ଗଙ୍କ ଭଳି ବିଦ୍ରୋହକାରୀଙ୍କ ପାଇଁ । ଚାରିଆଡ଼େ ଭୟଙ୍କର ସଂଘର୍ଷ ଯୋଗୁ ସେନା ଏବେ ସମସ୍ତ ପ୍ରମୁଖ ଅଂଚଳର ସୁରକ୍ଷା ନିଜ ହାତକୁ ନେଇଛନ୍ତି ।