କନକ ବ୍ୟୁରୋ : ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ଆମେରିକା-ଭାରତ ସମ୍ପର୍କରେ ଭଟ୍ଟା ପଡ଼ିଛି । ଋଷିଆ ସହ ଭାରତ ବନ୍ଧୁତା ଭଲ ଥିବାରୁ ଆମେରିକା ଅସନ୍ତୋଷ ଅଛି । ଆଉ ଏହାର ମୂଳ କାରଣ ହେଉଛି ଋଷିଆଠୁ ଭାରତ ତେଲ କିଣିବା । ୩ ବର୍ଷ ହେଲାଣି ଋଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଛି । ଆମେରିକା ୟୁକ୍ରେନ୍‌କୁ ସାହାଯ୍ୟ କରୁଥିବା ବେଳେ ଋଷିଆକୁ ବାରମ୍ବାର ଯୁଦ୍ଧ ବନ୍ଦ ପାଇଁ କହିଛି । ହେଲେ ଋଷିଆ ଯୁଦ୍ଧ ବନ୍ଦ କରୁନାହିଁ । ତେଣୁ ଭାରତ ଋଷିଆଠୁ ତେଲ ନକିଣିଲେ ଋଷିଆର ଅର୍ଥନୀତି ମାନ୍ଦାବସ୍ଥାକୁ ଯିବ ଏବଂ ଯୁଦ୍ଧ ବନ୍ଦ ହେବ ବୋଲି ଆମେରିକା ଚାହେ । ସେଇଥି ଲାଗି ଭାରତ ଉପରେ ଅସନ୍ତୋଷ ଜାହିର କରୁଛି ଆମେରିକା କିନ୍ତୁ ଏହାପରେ ବି ଭାରତ ଋଷିଆର ବନ୍ଧୁତାରେ କୌଣସି ପରିବର୍ତ୍ତନ ହୋଇନାହିଁ । ସଜସଜ ଏସ୍‌ସିଓ ବୈଠକରେ ତିନି ମହାଶକ୍ତି ଯେଉଁପରି ଭାବରେ ଆଲୋଚନା କଲେ ତାହାକୁ ନେଇ ଆମେରିକା ଚିନ୍ତିତ ଥିବା ବେଳେ ମୋଦୀଙ୍କୁ ରାତିରେ ୱିସ୍‌ କରି ଆମେରିକା ପୁଣି ଥରେ ବନ୍ଧୁତା ହେବା ପାଇଁ ଚେଷ୍ଟା ଚଳାଇଛି । 

Advertisment


ବିବାଦ ଭିତରେ ମୋଦୀଙ୍କୁ ଫୋନ୍‌ କଲେ ଟ୍ରମ୍ପ
ଜନ୍ମଦିନର ଶୁଭେଚ୍ଛା ଦେଲେ
ଅନେକ ସମୟ ଧରି ଆଲୋଚନା କଲେ
ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ
ଫୋନ୍‌ରେ ଯାହା କହିଲେ…

ରାତିରେ ୱିସ୍‌ କଲେ…ପୁଣି ମୋଦୀଙ୍କୁ ଫୋନ୍‌ କଲେ । ଆମେରିକା ରାଷ୍ଟ୍ରପତି ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ପରେ ପୂରା ବିଶ୍ବରେ ଚର୍ଚ୍ଚା ଜୋର । କାରଣ ଶୁଭେଚ୍ଛା ଜଣାଇବା ପରେ ଉଭୟ ରାଷ୍ଟ୍ରର ନେତା ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ବନ୍ଧୁତାର ବାର୍ତ୍ତା ଦେଇଥିଲେ । ଖାଲି ଏତିକି ନୁହେଁ ବରଂ ୟୁକ୍ରେନ ସଙ୍କଟର ସମାଧାନ କରିବାରେ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲା ।

ଟାରିଫ୍‌ ବିବାଦ ଭିତରେ
ମୋଦୀ-ଟ୍ରମ୍ପ ଆଲୋଚନା

ଆମେରିକା ଭାରତ ଉପରେ ଟାରିଫ୍‌ ଲଗାଇବା ପରେ ଉଭୟ ରାଷ୍ଟ୍ରର ସମ୍ପର୍କ କେମିତି ହୋଇଥିଲା ତାହା କାହାକୁ ଅଛପା ନାହିଁ । ହେଲେ ଗତକାଲି ଟ୍ରମ୍ପ ମୋଦୀଙ୍କୁ ଫୋନ୍‌ କରି କଥାବାର୍ତ୍ତା ହେବା ପରେ ସମ୍ପର୍କରେ ସୁଧାର ଆସିବ ବୋଲି କୁହାଯାଉଛି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ଏକ୍ସରେ ଟ୍ୟାଗ କରି ଲେଖିଥିଲେ, “ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ, ମୋର ୭୫ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବାରୁ ଧନ୍ୟବାଦ । ଆପଣଙ୍କ ପରି ମୁଁ ମଧ୍ୟ ଭାରତ-ଆମେରିକାର ବ୍ୟାପକ ଏବଂ ବିଶ୍ୱବ୍ୟାପୀ ସହଭାଗୀତାକୁ ନୂଆ ଶିଖରକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଆମେ ୟୁକ୍ରେନ ସଙ୍ଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଆପଣଙ୍କ ପ୍ରୟାସକୁ ସମର୍ଥନ କରୁଛୁ ।” ସେପଟେ, ରାଷ୍ଟ୍ରପତି ଟ୍ରମ୍ପ ଏହାପରେ ଲେଖିଥିଲେ, “ଏବେ ଏବେ ମୋ ବନ୍ଧୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ କଲରେ କଥା ହୋଇଛି । ମୁଁ ତାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛି । ସେ ବହୁତ ଭଲ କାମ କରୁଛନ୍ତି । ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାରେ ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ ।”

ମୋଟ୍‌ ଉପରେ ମୋଦୀ-ଟ୍ରମ୍ପଙ୍କ ଆଲୋଚନା ପରେ ପୂରା ଦେଶରେ ଚର୍ଚ୍ଚା ହେଉଛି । ତେବେ ସମୟ କହିବ ଉଭୟ ରାଷ୍ଟ୍ର ମଧ୍ୟରେ କେବେ ସମ୍ପର୍କ ସୁଧୁରୁଛି ।