କନକ ବ୍ୟୁରୋ: ଶେଷରେ ହାତୀ ପାଇଁ ହାର୍ ମାନିଲେ ଭାରତର ସବୁଠାରୁ ଧନୀ ପରିବାର । ‘ମାଧୁରୀ’ ପାଇଁ ମୁଣ୍ଡ ନୁଆଁଇଛନ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ବିବାଦ ବଢ଼ିବା ପରେ କୋହ୍ଲାପୁର ମଠରୁ ନେଇଥିବା ହାତୀ ମାଧୁରୀକୁ ଫେରାଇବା ଲାଗି ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ଅନନ୍ତ ଅମ୍ବାନୀଙ୍କ ପଶୁ ଉଦ୍ଧାର କେନ୍ଦ୍ର ବନ୍ତାରା ।

Advertisment

କୋହ୍ଲାପୁର ଫେରାଇବା ଲାଗି ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ବୋଲି ପଶୁ ଉଦ୍ଧାର କେନ୍ଦ୍ର ‘ବନ୍ତାରା’ ସ୍ପଷ୍ଟୀକରଣ ରଖିଛି । ଏପରିକି ଜୈନ ମଠ ଓ କୋହ୍ଲାପୁରବାସୀଙ୍କ ସହ ମାଧୁରୀର ଗଭୀର ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ପର୍କ ଥିବା ଯୋଗୁ ହାତୀକୁ ଫେରାଇବା ସହ ସେଠାରେ ଏକ ସାଟେଲାଇଟ୍ ଥଇଥାନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଛି ବନ୍ତାରା ।

ଖାଲି ଏତିକି ନୁହେଁ ବନ୍ତାରା ସ୍ପଷ୍ଟ କରିଛି ଯେ ଆମ ଭୂମିକା କେବଳ ସୁପ୍ରିମକୋର୍ଟ ଓ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ସୀମିତ ଥିଲା । ମାଧୁରୀକୁ ଅନ୍ୟତ୍ର ନେବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ । ବନ୍ତାରାର ଭୂମିକା କେବଳ ଯତ୍ନ ଓ ଚିକିତ୍ସାରେ ସୀମିତ ରହିଛି । ହାତୀକୁ ଅନ୍ୟତ୍ର ନେବା ଲାଗି କେବେବି ପ୍ରସ୍ତାବ ଦେଇନାହିଁ କିମ୍ବା ଧାର୍ମିକ ପ୍ରଥା ଓ ଭାବନାରେ ହସ୍ତକ୍ଷେପ କରିବାକୁ ଚାହିନଥିବା ବନ୍ତାରା ପକ୍ଷରୁ କୁହାଯାଇଛି ।

ହାତୀକୁ ବନ୍ତାରା ସ୍ଥାନାନ୍ତର କରିବା ପରେ ବିବାଦ ବଢ଼ିଥିଲା । ଏପରିକି କୋହ୍ଲାପୁରବାସୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ଏନେଇ ବନ୍ତାରା ଏକ ଭିଡିଓ ମଧ୍ୟ ଜାରି କରିଥିଲା । ଏବେ ବନ୍ତାରା କହିଛି, କୋର୍ଟଙ୍କ ଅନୁମୋଦନ କ୍ରମେ ହାତୀକୁ ସୁରକ୍ଷିତ ଭାବେ ଓ ସମ୍ମାନର ସହ ଫେରାଇବା ଲାଗି ବୈଷୟିକ ଓ ଚିକିତ୍ସାଗତ ସହାୟତା ଯୋଗାଇଦେବ । କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପର୍ଯ୍ୟନ୍ତ ନିଜର ଭୂମିକା ସୀମିତ ଥିବା ସତ୍ତ୍ବେ ଜୈନ ସମୁଦାୟ ଓ କୋହ୍ଲାପୁରବାସୀଙ୍କ ମନକୁ ଲାଗିଥିବା ଆଘାତ ପାଇଁ ଦୁଃଖ ପ୍ରକାଶ ସହ କ୍ଷମା ପ୍ରାର୍ଥନା କରିଛି ଅମ୍ବାନୀଙ୍କ ବନ୍ତାରା ।