କନକ ବ୍ୟୁରୋ : ନିତିଦିନିଆ ଜୀବନରେ ଆମେ ଏମିତି ଅନେକ ଲୋକଙ୍କୁ ଭେଟୁ ଯେଉଁମାନେ କୁହନ୍ତି ଆଜି ଧଳା ରଙ୍ଗର ପୋଷାକ ପିନ୍ଧିଲେ ଦିନଟି ଭଲରେ କଟିବ । କେହି କେହି କୁହନ୍ତି ସେ ଜିନିଷଟି ମୋ ପାଇଁ ଭାରି ‘ଲକି’ । ତେବେ ଏହି ଲକି ଶବ୍ଦ ବର୍ତ୍ତମାନ ଗୋଟିଏ ବିମାନର ସିଟକୁ ନେଇ ଖୁବ୍ ବ୍ୟବହାର କରାଯାଉଛି । ନିକଟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟିଲା ଯେଉଁଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଯେଉଁ ଦୁର୍ଘଟଣାରେ ଲୁହା ମଧ୍ୟ ତରଳିଗଲା ସେଠାରେ ଜଣେ ବ୍ୟକ୍ତି ଜୀବିତ ଅବସ୍ଥାରେ ବାହାରକୁ ଆସିଥିଲେ । ନାଁ ତାଙ୍କର ବିଶ୍ବାସ କୁମାର ରମେଶ । ରମେଶ ସିଟ୍ ନମ୍ବର ‘୧୧ଏ’ ରେ ବସିଥିଲେ । ତେବେ ସଂଯୋଗର କଥା ହେଉଛି ୧୯୯୮ ମସିହାରେ ସମାନରୂପେ ଏକ ବିମାନ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଥାଇଲ୍ୟାଣ୍ଡର ଜଣେ ଗାୟକ ତଥା ଅଭିନେତା ଋଆଙ୍ଗସାକ ଲୋୟଚୁସାକ ମରଣ ମୁହଁରୁ ବଞ୍ଚି ଆସିଥିଲେ । ତେବେ ଗାୟକ ମଧ୍ୟ ସିଟ୍ ନମ୍ବର ୧୧ଏ ରେ ସେତେବେଳେ ବସିଥିଲେ ଏବଂ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଏହି ଖବର ସେ ପୋଷ୍ଟ୍ କରିବା ପରେ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କିଛି ଲୋକ ଏହାକୁ ସଂଯୋଗ ବା ଚମତ୍କାର ବୋଲି କହୁଛନ୍ତି । 

Advertisment
ruangsak
ruangsak Photograph: (google)

ଋଆଙ୍ଗସାକ ଥାଇ ଏୟାରବେସର ଫ୍ଲାଇଟ୍ TG261 ର ଯାତ୍ରୀ ଥିଲେ ଯାହା ୧୯୯୮ ଡ଼ିସେମ୍ବର ମାସରେ ଦକ୍ଷିଣ ଥାଇଲ୍ୟାଣ୍ଡର ଏକ ପଙ୍କରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ ଦୁର୍ଘଟଣାରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ତେବେ ସୌଭାଗ୍ୟବଶତଃ ଋଆଙ୍ଗସାକଙ୍କ ଜୀବନ ବଞ୍ଚିଯାଇଥିଲା । କିନ୍ତୁ ସେ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ମାନସିକ ଆଘାତରୁ ବାହାରକୁ ବାହାରି ପାରିନଥିଲେ ଏବଂ ବିମାନଯାତ୍ରା କରିନଥିଲେ । ତେବେ ଅହମଦାବାଦ ବିମାନ ଦୁର୍ଘଟଣାରେ ବଞ୍ଚିଥିବା ଏକମାତ୍ର ଯାତ୍ରୀ ୪୫ ବର୍ଷୀୟ ରମେଶ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁର ଆଁରୁ ଜୀବନ ଧରି ଫେରିଥିବା ରମେଶଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲେ ହେଁ ବଞ୍ଚିଯାଇଥିବାରୁ ସେ ଈଶ୍ବରଙ୍କୁ ଧନ୍ୟବାଦ ଦେଉଛନ୍ତି । 

actor-ruangsak
actor-ruangsak Photograph: (google)

ସିଟ୍ ନମ୍ବର ୧୧ଏ ବିମାନର ବାମ ଏବଂ ଆପାତକାଳୀନ ପ୍ରସ୍ଥାନ ପାଖରେ ରହିଥାଏ । ରମେଶଙ୍କ କଥା ଯଦି କହିବା ମେଡ଼ିକାଲ୍ କଲେଜର ଛାତ୍ରାବାସରେ ଯେତେବେଳେ ବିମାନ ଟକ୍କର ମାରିଲା ସେତେବେଳେ ଏହାର ବାମପଟରେ ବସିଥିବା କାରଣରୁ ସେ ବାହାରକୁ ବାହାରିବା ପାଇଁ ସକ୍ଷମ ହୋଇପାରିଲେ । ଋଆଙ୍ଗସାକଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । ତେବେ ସେ ଯାହା ହେଉନା କାହିଁକି ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ସିଟ୍ ନମ୍ବର ୧୧ ଏ କୁ ଲକି ବୋଲି ମନେ କରାଯାଉଛି ।