ଖବର ବାଜିଲା ବିଏମସି ନିଦ ଭାଙ୍ଗିଲା, ଭୁବନେଶ୍ବରରେ କେତେ ଅଛନ୍ତି ବୁଲା କୁକୁର ଶେଷରେ ସଂଖ୍ୟା ଦେଲା ବିଏମସି...

ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ଇନ୍ସପେକ୍ଟର, କମ୍ୟୁନିଟ୍ ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା । ଆଉ ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି ।

59

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିବା ପରେ ନିଦରୁ ଉଠିଛି ବିଏମସି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା ପରେ ସଂଖ୍ୟା ଦେଇଛନ୍ତି କର୍ତ୍ତୃପକ୍ଷ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୪୭ ହଜାର ୧୨୬ବୁଲା କୁକୁର ଅଛନ୍ତି ବୋଲି ବିଏମ୍‌ସି ପ୍ରଥମ ଥର ପାଇଁ ତଥ୍ୟ ଦେଇଛି ।

ବିଏମସି ତଥ୍ୟ ମୁତାବକ, ୪୭ ହଜାର ୧୨୬ ବୁଲା କୁକୁର ମଧ୍ୟରେ ୨୩ହଜାର ୪୭ଟି ଅଣ୍ଡିରା କୁକୁର ରହିଥ‌ିବା ବେଳେ ୧୫ହଜାର ୫୫୨ଟି ମାଈ କୁକୁର ଏବଂ ୧୧୨୪ଟି କୁକୁର ଛୁଆ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ହଜାର ୬୮ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ୩ହଜାର ୩୩୫ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି । ଭୁବନେଶ୍ବରର ସ୍ଥାୟୀ ଜନସଂଖ୍ୟା ପ୍ରାୟ ୧୩ଲକ୍ଷ ରହିଛି । ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟ ୩.୬୨ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ୱାର୍ଡରେ ବୁଲା କୁକୁର ସଂଖ୍ୟା ହାରାହାରି ୭୦୩ ରହିଛି ।

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜାତୀୟ ହାର ଠାରୁ ବୁଲା କୁକୁର ସଂଖ୍ୟା ଅଧିକ  ରହିଛି । ଜାତୀୟ ହାର ପ୍ରତି ଏକ ହଜାର ଜନସଂଖ୍ୟାରେ ୧୧ ଥିବା ବେଳେ ଭୁବନେଶ୍ୱରେ ପ୍ରତି ହଜାରେ ଜନସଂଖ୍ୟାରେ ହାରାହାରି ୩୬ଟି ବୁଲାକୁକୁର ରହିଛନ୍ତି। ରାଜ୍ୟରେ ପ୍ରତି ହଜାରେ ଜନ ସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା ୩୯ ରହିଛି । ଗତ ସେପ୍ଟେମ୍ବରରେ ୬୭ଟି ୱାର୍ଡରେ ଦୁଇଟି ପର୍ଯ୍ୟାୟରେ କୁକୁର ଗଣତି କରିଥିଲା ବିଏମ୍‌ସି ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ବୁଲାକୁକୁର ଗଣତି କରାଯାଇଥିଲା । ଏଥିପାଇଁ ଜୋନ୍, ୱାର୍ଡ ଓ ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ୪୧୦ଜଣିଆ ଟିମ ଗଠନ କରାଯାଇଥିଲା । ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ଇନ୍ସପେକ୍ଟର, କମ୍ୟୁନିଟ୍ ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା । ଆଉ ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି ।

ବଡ଼କଥା ହେଉଛି କୁକୁର କାମୁଡ଼ା କମାଇବା ସହ ରାବିସ, ଲେପ୍ଟୋସ୍ପାଇରୋସିସ୍ ଆଦି ସଂକ୍ରମିତ ରୋଗ, ସଡ଼କ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ କୁକୁର ଗଣନା ହୋଇଥିଲା । ଗଣତି ଦ୍ବାରା ବିଏମସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଡାଟାବେସ୍ ତିଆରି କରିବା ପାଇଁ ବିଏମସିର ଗୁରୁତ୍ବ ଦେଇଛି । ଏହାଦ୍ବାରା କୁକୁର ବନ୍ଧ୍ୟାକରଣ ଅପରେସନକୁ ସଫଳ କରିବା ସହ ଏଥିରୁ କେଉଁମାନେ ଆଣ୍ଟିରାବିସ୍ ଟିକା ନେଇଛନ୍ତି ଓ କେଉଁମାନେ ନେଇନାହାନ୍ତି ତାହା ଜାଣିବାକୁ ବିଏମସି ଏହି ଗଣତି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe