କନକ ବ୍ୟୁରୋ: ଯେଉଁ ହାତକୁ ଧରି ପୁଅକୁ ବଡ଼ କଲା । ପୁଅର ଚାକିରି ନଥାଇ ତାକୁ ଘରେ ବସେଇ ଖୁଆଇଲା ସେହି ପୁଅ ହିଁ ତା’ର ହତ୍ୟାକାରୀ ସାଜିଲା । ବିରକ୍ତ ହେଉଥିଲି ବୋଲି ମା’କୁ ମାରିଦେଲି । ଏମିତି କିଛି କହି ପୁଲିସ ଆଗରେ ଆତ୍ମସମର୍ପଣ କରିଛି କଳିଯୁଗର କୁଳାଙ୍ଗାର ପୁଅ ।
ମହାରାଷ୍ଟ୍ରର ନାସିକର ଜେଲ ରୋଡରେ ଥିବା ଶିବାଜୀନଗର ଅଞ୍ଚଳରୁ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ପୁଅ ଏଭଳି ଅତି ସାମାନ୍ୟ କାରଣ ପାଇଁ ନିଜ ମା’ଙ୍କୁ ମାରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୁଅ ହୋଇ କିଭଳି ନିଜ ମା’କୁ ଏତେ ନିର୍ମମ ଭାବେ ହତ୍ୟା କରିପାରିଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଅଭିଯୁକ୍ତର ନାମ ଅରବିନ୍ଦ ମୁରଲୀଧର ପାଟିଲ ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ନାମ ଯଶୋଦାବାଇ ମୁରଲୀଧର ପାଟିଲ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ନାସିକର ଜେଲ ରୋଡ୍ରେ ଥିବା ଶିବାଜୀନଗର ଅଞ୍ଚଳର ବାସିନ୍ଦା ୫୮ ବର୍ଷୀୟ ଅରବିନ୍ଦ ମୁରଲୀଧର ପାଟିଲ ମଙ୍ଗଳବାର ରାତିରେ ତାଙ୍କ ୮୦ ବର୍ଷୀୟା ମାଆ ଯଶୋଦାବାଇ ମୁରଲୀଧର ପାଟିଲଙ୍କ ଗଳାକାଟି ହତ୍ୟା କରିଥିଲେ । ଅପରାଧ କରିବା ପରେ, ଅଭିଯୁକ୍ତ ଅରବିନ୍ଦ ପାଟିଲ ବ୍ୟକ୍ତିଗତ ଭାବରେ ନାସିକ ରୋଡ୍ ପୁଲିସ ଷ୍ଟେସନକୁ ଯାଇ କହିଥିଲେ, "ମୁଁ ଘରେ ବସି ବସି ବିରକ୍ତ ହେଉଥିଲି ବୋଲି ମୋ ମାଆର ଗଳାକାଟି ହତ୍ୟା କରିଛି । ମୋତେ ଗିରଫ କର ।"
ଅରବିନ୍ଦର ସ୍ବୀକାରୋକ୍ତି ପରେ ପୁଲିସ ତାଙ୍କୁ ହେପାଜତକୁ ନେଇ ତାଙ୍କ ଘର ତଲାସି କରିଥିଲେ । ତଦନ୍ତ କରିବା ପରେ, ସେମାନେ ତାଙ୍କ ବୃଦ୍ଧ ମା' ଯଶୋଦାବାଇ ପାଟିଲଙ୍କ ମୃତଦେହ ପାଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ନାସିକ ରୋଡ୍ ପୁଲିସ ଷ୍ଟେସନରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଜଣାପଡିଛି ଯେ ଅରବିନ୍ଦ, ଯିଏ ବାଲୁ ପାଟିଲ ନାମରେ ମଧ୍ୟ ଜଣାଶୁଣା, ଜଣେ ମାନସିକ ରୋଗୀ । ସେ ବିବାହିତ, ଏବଂ ତାଙ୍କ ମାନସିକ ଅବସ୍ଥା ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଥିଲେ । ଆଉ ଶେଷରେ ମାନସିକ ବିକାରଗ୍ରସ୍ତ ପୁଅର ଯତ୍ନ ନେଉଥିବା ମା’କୁ ହିଁ ହତ୍ୟା କରିଦେଲା ପିଶାଚ ପୁଅ ।