କନକ ବ୍ୟୁରୋ: ଖଣିଜ ସମ୍ପଦରେ ଭରା ଓଡ଼ିଶାର ମାଟି ତଳେ ଏବେ ମହଣ ମହଣ ସୁନା ଥିବା ସ୍ପଷ୍ଟ ହୋଇଛି । ରାଜ୍ୟର ମାଟିତଳେ ବ୍ୟାପକ ସୁନା ଭଣ୍ଡାର ଠାବ କରାଯାଇଛି । ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଓଡ଼ିଶା ମାଟିତଳେ ସୁନା ଥିବା ସ୍ପଷ୍ଟ କରିଛି । ଏନେଇ ଜିଓଲୋଜିକାଲ ବିଭାଗର ସନ୍ଧାନ ବିଭିନ୍ନ ପର୍ଯ୍ୟାୟରେ ରହିଛି । ସୂଚନା ମୁତାବକ, ରାଜ୍ୟରେ ୧୦ରୁ ୨୦ ଟନ୍ ପର୍ଯ୍ୟନ୍ତ ସୁନା ରହିଛି ।
ପୂର୍ବରୁ ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସୁନା ଠାବ କରାଯାଇଥିବା ତଥ୍ୟ ଦେଇଥିଲେ । ଦେବଗଡ଼ର ଅଡ଼ଶ -ରାମପଲ୍ଲୀ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ ଓ କୋରାପୁଟରେ ସୁନା ଥିବା ଜଣାପଡ଼ିଛି । ଆଉ ମୟୂରଭଞ୍ଜ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ସୁନା ଅନ୍ଵେଷଣ ଜାରି ରହିଛି । ଖୁବ୍ଶୀଘ୍ର ସୁନା ଖଣି ନିଲାମ କରିବାକୁ ମଧ୍ୟ ରାଜ୍ୟ ସରକାର ଚାହୁଛନ୍ତି । ସେଥିପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇଛି । ଦେବଗଡ଼ରେ ଥିବା ସୁନା ଖଣିକୁ ନିଲାମ କରିବା ଲାଗି ଓଡ଼ିଶା ଖଣି ନିଗମ ଓ ଜିଏସ୍ଇ ମିଳିତ ଭାବେ ଉଦ୍ୟମ କରୁଛନ୍ତି ।
ସବୁଠାରୁ ବଡ଼ କଥା ହେଲା ଦେଶକୁ ପ୍ରତିବର୍ଷ ୭୦୦-୮୦୦ଟନ୍ ସୁନା ଆମଦାନୀ କରାଯାଉଛି । ଦେଶ ଭିତରେ ବର୍ତ୍ତମାନ ସୁଦ୍ଧା ସୁନା ଉତ୍ପାଦନ ୧.୬ ଟନ୍ରେ ସୀମିତ ରହିଛି । ଯଦି ଓଡ଼ିଶାରେ ସନ୍ଧାନ କରାଯାଇଥିବା ସୁନା ଖଣିଗୁଡ଼ିକୁ ଶୀଘ୍ର ନିଲାମ କରି ଉତ୍ତୋଜନକ୍ଷମ କରାଯିବ, ତେବେ ସୁନା ଆମଦାନୀ ବାବଦରେ ହେଉଥିବା ବୈଦେଶିକ ମୁଦ୍ରା ଖର୍ଚ୍ଚକୁ ଅନେକାଂଶରେ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।