ଛିଡିଯାଇଥିଲା ଡେଣା, ଡାକି ପାରୁନଥିଲା ଚଢେଇ… ଆହତ ପକ୍ଷୀକୁ ମଲମ ମାରିଲେ, ସୁସ୍ଥ କରାଇଲେ ପକ୍ଷୀପ୍ରେମୀ । ନୂଆ ଜୀବନ ପାଇଲା ହଳଦୀବସନ୍ତ

365

କନକ ବ୍ୟୁରୋ : ଛିଡିଯାଇଥିଲା ଡେଣା, ଡାକି ପାରୁନଥିଲା ଚଢେଇ । ଆହତ ପକ୍ଷୀକୁ ଆହା କହି ଆପଣାଇନେଲେ ପକ୍ଷୀପ୍ରେମୀ । ମଲମ ମାରିଲେ, ସୁସ୍ଥ କରାଇଲେ । ନୂଆ ଜୀବନ ପାଇଲା ହଳଦୀବସନ୍ତ ଚଢେଇ । ମର୍ଣ୍ଣିଂୱାକ୍ ପାଇଁ ପାର୍କରେ ମଣିଷଙ୍କ ଭିଡ । ସୁସ୍ଥ ରହିବାକୁ ଶରୀର କରୁଛି କସରତ, ଝାଳ ବୁହାଉଛି ଦେହ । ଧାଁ, ଦୌଡ, ପରିଶ୍ରମର ଏହି ଭିଡ ଭିତରେ ପାର୍କ ସାରା ମାଳମାଳ ମଣିଷ । ହେଲେ ତାରି ଭିତରେ ପକ୍ଷୀଟିଏ ଯେ ଜୀବନ ପାଇଁ ଆକୁଳ ନିବେଦନ କରୁଛି ତାହା କାହାରି କାନକୁ ଶୁଭୁନି ।

ଉପରେ ସୁସ୍ଥତା ପାଇଁ ଦୌଡୁଛି ପାଦ, ଆଉ ପାଦ ତଳେ ପଡି ଛଟପଟ ହେଉଛି ପକ୍ଷୀ । ଚିଁ ଚିଁ ଚିତ୍କାର କରି ମଣିଷଙ୍କୁ ତା ଅସହାୟତା ବିଷୟରେ ଅବଗତ କରିବାକୁ ଚାହୁଁଛି ହେଲେ ଆହତ ହଳଦୀବସନ୍ତର ହୃଦୟର କଥା କିଏ ବି ବୁଝିପାରୁନି । ହୁଏତ ପାଟି ଖୋଲି ପାରୁଥିଲେ କି ମଣିଷଟିଏ ହୋଇଥିଲେ ପାର୍କର ମଣିଷମାନେ ଗୋଟେ ମଣିଷପ୍ରତି ସହାନୁଭୂତି ଦେଖାଇଥାନ୍ତେ । ୧୦୮କୁ ଫୋନ୍ କରିଥାନ୍ତେ, ଆମ୍ବୁଲାନ୍ସ ଡକାଇ ମେଡିକାଲ ନେଇଯାଇଥାନ୍ତେ । କିନ୍ତୁ ସାମାନ୍ୟ ପକ୍ଷୀଟିଏ ବୋଲି ତ ତା ଦୁଃଖ କାହାକୁ ଦେଖାଯାଉନି । ତା କାନ୍ଦ କାହାକୁ ଶୁଣାଯାଉନି । ମଣିଷପଣିଆର ଡେଙ୍ଗୁରା ପିଟୁଥିବା ଲୋକଙ୍କ ଗହଳି ଭିତରେ ଜୀବନର ଗୁହାରୀ କରୁଛି ଚଢେଇ ।

ବୁଦ୍ଧ ପାର୍କର ଶାନ୍ତ ବାତାବରଣକୁ ଚିରି ଚଢେଇର ଚିକ୍ରାର ସମସ୍ତଙ୍କ କାନରେ ପଡୁଥିଲା । ସମସ୍ତେ ଦେଖୁଥିଲେ ଆଘାତ ପାଇ ହଳଦୀବସନ୍ତର ଡେଣା ଛିଡିଯାଇଥିଲା । ହେଲେ କେହି ତାକୁ ଆଡ ଆଖିରେ ବି ଦେଖୁନଥିଲେ । କିନ୍ତୁ ସମସ୍ତେ ଚଢେଇ ଆଖିରେ ଅମଣିଷ ନୁହଁନ୍ତି । କ୍ଷତାକ୍ତ ଚଢେଇର ଏମିତି ଅବସ୍ଥା ଦେଖି ୨ ଯୁବକ ତା ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ନିଜ ସକ୍ଷମ ଅନୁସାରେ ତାକୁ ପାଣି ଦେଇ ସୁସ୍ଥ କରିବାକୁ ଲାଗି ପଡୁଥିଲେ । ହେଲେ ଛଟଚପଟ ହେଉଥିବା ଚଢେଇର ଯନ୍ତ୍ରଣା କମାଇ ପାରୁନଥିଲେ ।

କଷ୍ଟ ପାଉଛିବା ହଳଦୀ ବସନ୍ତ ସମସ୍ତଙ୍କୁ ତା ଥଣ୍ଟରେ ଖୁମ୍ପିବାକୁ ଗୋଡାଉଥିବାରୁ ତାକୁ ଧରିବା ମୁସ୍କିଲ ହୋଇପଡିଲା । ତେଣୁ ବାଧ୍ୟ ହୋଇ ପିପୁଲ ଫଲ ଆନିମଲର ସଦସ୍ୟଙ୍କୁ ଜଣାଇବା ପରେ ସେମାନେ ପାର୍କକୁ ଆସି ଆହତ ପକ୍ଷୀକୁ ଆପଣାଇନେଲେ, ତା ରକ୍ତ ଜୁଡୁବୁଡୁ ଡେଣାରେ ମଲମ ଲଗାଇଦେଲେ ଆଉ ତାକୁ ବ୍ୟାଣ୍ଡେଜ କରି ଘରେ ଚିକିତ୍ସା କରାଇବାକୁ ନେଇଗଲେ । ଚଢେଇଟି ସୁସ୍ଥ ହେବା ପରେ ତାକୁ ପୁଣି ବୁଦ୍ଧ ପାର୍କରେ ଆଣି ଛାଡି ଦିଆଯିବ ବୋଲି କହିଛନ୍ତି ପକ୍ଷୀପ୍ରେମୀ ।

ତେବେ ପକ୍ଷୀକୁ ଭଲ କରିବାକୁ ଯେଉଁ ମଣିଷମାନେ ପୂରା ଉଦ୍ୟମ କରିଥିଲେ, ସାମାନ୍ୟ ଚଢେଇର ଜୀବନକୁ ବଞ୍ଚାଇବାକୁ ଯେଉଁ ତତ୍ପରତା ଦେଖାଇଥିଲେ ହୁଏତ ଆହତ ଚଢେଇ ସୁସ୍ଥ ହୋଇ ଆସିବା ପରେ ସେ ମଣିଷରୂପୀ ଭଗବାନଙ୍କୁ ଖୋଜିବ । ତାଙ୍କୁ ଧନ୍ୟବାଦ ଦେବାକୁ ପାର୍କର ଘୁରିବୁଲୁଥିବ । ଆଉ କହୁଥିବ, ହେ ମଣିଷ ତମକୁ କୋଟି କୋଟି ନମସ୍କାର… ତମେ ନଥିଲେ ହୁଏତ ଆଜି ମୁଁ ବଞ୍ଚି ନଥାନ୍ତି… ତମଠୁ ସେବା କରିବା ଶିଖନ୍ତୁ ସେହି ମଣିଷମାନେ ଯେଉଁମାନେ ମତେ ଛଟପଟ ହେବା ଦେଖି ଛାଡିଯାଇଥିଲେ । ସେମାନେ ବୁଝନ୍ତୁ ପକ୍ଷୀ ମଣିଷର ବନ୍ଧୁତାର କାହାଣୀ… ହେ ମଣିଷ ! ଗ୍ରହଣ କର ଏ ହଳଦୀବସନ୍ତର ହୃଦୟଖୋଲା ନମସ୍କାର…