କନକ ବ୍ୟୁରୋ: ଯୋଜନା ପରେ ଯୋଜନା ଅଛି, ହେଲେ ସବୁ ଗରିବ ଜୀବନକୁ ଥଟ୍ଟା କରୁଛି । ଅସହାୟକୁ ଆଖିଠାର ମାରୁଥିଲା ପ୍ରଶାସନର ପ୍ରହସନ ପାଲଟିଥିବା ପ୍ରଚାର କିନ୍ତୁ ଏତିକିବେଳେ ଦେବଦୂତ ପାଲଟି ଆସିଲେ ତିବତ୍ତୀୟ ଶରଣାର୍ଥୀ । ଭଙ୍ଗା କୁଡ଼ିଆରେ ରହୁଥିବା ଗୋଟେ ପରିବାର ପାଇଁ ତୋଳିଦେଲେ ନୂଆ ପକ୍କାଘର ।

Advertisment

ଗଜପତି ପୁଟୁରୁପଡ଼ା ଗାଁର କୈଳାସ ରାଉତ । ପରିବାର ବୋଝଠୁ ବଳିକି ତାଙ୍କ ମୁଣ୍ଡ ଉପରେ ଥିଲା ତିନି ଦିବ୍ୟାଙ୍ଗ ପିଲାଙ୍କ ବୋଝ । ନିଷ୍ପେସିତ ଅଞ୍ଚଳକୁ ସରକାର ଝାପ୍ସା କରି ଦେଖିବାରୁ ଆଜି ଏମିତି ଅବହେଳିତ ଭାବେ ପଡ଼଼ିଛନ୍ତି କୈଳାସଙ୍କ ପରିବାର । ସରକାରୀ ସହାୟତା କହିଲେ, ଦିବ୍ୟାଙ୍ଗ ଭତ୍ତା ଓ ରାସନ୍ ଚାଉଳ । ଦୁଃଖ କଷ୍ଟରେ ଚଳୁଥିବା କୈଳାସଙ୍କ ପରିବାର ଉପରେ ଆଶୀର୍ବାଦ ସାଜି ଆସିଲେ ଶରଣାର୍ଥୀ । ଆଉ ଭଙ୍ଗା କୁଡ଼ିଆ ପାଲତଳେ ଦିବ୍ୟାଙ୍ଗ ପିଲାଙ୍କୁ ଧରି ରହୁଥିବା କୈଳାସ ମୁହଁରେ ଫୁଟାଇଛନ୍ତି ହସ ।

ଖଣ୍ଡିଏ ଘର ପାଇଁ ଯେତେବେଳେ କୈଳାସ ବ୍ଲରୁ ପଞ୍ଚାୟତ ଦୌଡ଼ି ଦୌଡ଼ି ଥକିଗଲେ, ସେତେବେଳେ କନକ ନ୍ୟୁଜ୍ କୈଳାସଙ୍କ ଅସହାୟତାର ଖବର ଦେଖାଇଥିଲା । ଯାହାଫଳରେ ତିବତ୍ତୀୟ ଶରଣାର୍ଥୀମାନେ ଏହି ଗାଁକୁ ଆସି କୈଳାସଙ୍କ ପରିବାରକୁ ସହାୟତା କରିଛନ୍ତି । ଏକ ନୂଆ ପକ୍କାଘର ତୋଳିଦେବା ସହ ବିଦ୍ୟୁତ୍ ସଂଯୋଗୀକରଣଠୁ ଆରମ୍ଭ କରି ଟିଭି, ଫ୍ୟାନ୍ ଓ ଆସବାପତ୍ର ସବୁ ଯୋଗାଇଦେଇଛନ୍ତି ।


ଖାଲି ଏତିକି ନୁହେଁ ଦିବ୍ୟାଙ୍ଗ ପିଲାଙ୍କୁ ଦେଖି ତରଳି ଯାଇଛି ତିବତ୍ତୀୟ ଶରଣାର୍ଥୀଙ୍କ ହୃଦୟ । ସେଥିପାଇଁ ତିନିପୁଅଙ୍କ କ୍ଷୀର ପିଇବା ପାଇଁ ଏକ ଗାଈ ମଧ୍ୟ ଯୋଗାଇଦେଇଛନ୍ତି । ଯାହାଫଳରେ ଏବେ କୈଳାସଙ୍କ ପରିବାର ମୁହଁରେ ହୃଦୟ ଖୋଲା ହସ ଖେଳିଛି ।

ଫାଭିଓ: ସତରେ ଯେଉଁଠି ସରକାରୀ ବ୍ୟବସ୍ଥା କି ପ୍ରଶାସନର ପାଦ ପଡ଼ିପାରିଲାନି ସେଠି ଶରଣାର୍ଥୀମାନେ ଏକ ଶିକ୍ଷା ଦେଇଗଲେ । ଆମେ ବାହାରୁ ଆସି ସମସ୍ୟା ଭିତରେ ସମାଧାନର ବାଟ ବତାଇଲୁ , ଅପହଞ୍ଚ ଇଲାକାରେ ବି ଆଶାର ଆଲୋକ ଦେଖାଇଲୁ । ଆମେ ଯଦି ପାରିଲୁ, ଆପଣ କାହିଁକି ନୁହେଁ? ସତରେ ଶରଣାର୍ଥୀଙ୍କ ବଦାନ୍ୟତା ଦେଖି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି, ଯଦି ବାସ୍ତବରେ ସରକାରଙ୍କ ଦୂରଦୃଷ୍ଟି କିମ୍ବା ପ୍ରଶାସନର ଆନ୍ତରିକତା ଥାଆନ୍ତା ତା’ହେଲେ କୈଳାସଙ୍କ ପରିବାର ମୁହଁରେ କେବେଠୁ ହସ ଫୁଟିପାରିଥାନ୍ତା ।