ବ୍ଲାକ ବକ୍ସ ଭିତରେ ବିମାନ ଦୁର୍ଘଟଣା ସତ । ପ୍ଲେନ କ୍ରାସ ପରେ କାହିଁକି ଖୋଜାଯାଏ ବ୍ଲାକ ବକ୍ସ ? ଭୟଙ୍କର ଦୁର୍ଘଟଣା ପରେ ବି କେମିତି ସୁରକ୍ଷିତ ଥାଏ ସତ ଦେଖିଥିବା ଶେଷ ମୁକସାକ୍ଷୀ ? ଜାଣନ୍ତୁ ବ୍ଲାକ ବକ୍ସର ଗୁମର କଥା…

1,719

କନକ ବ୍ୟୁରୋ: ବିମାନରେ କାହିଁକି ଖଞ୍ଜାଯାଏ ବ୍ଲାକ୍ ବକ୍ସ ? କେମିତି ଦୁର୍ଘଟଣାର ସତ କହେ ଶେଷ ମୁକସାକ୍ଷୀ? ଶୁକ୍ରବାର ସଞ୍ଜରେ କେରଳରେ ତାଣ୍ଡବ ରଚିଥିଲା ମୃତ୍ୟୁ । କେରଳ କୋଝିକୋଡ୍ ବିମାନବନ୍ଦରରେ ଅବତରଣ କଲାବେଳେ ଫାସ ବସାଇ ବିମାନକୁ ଟାଣି ନେଇଥିଲା କାଳ । ଆଉ ବର୍ଷାଭିଜା ସେହି କାଳ ସଞ୍ଜର ଭୟାନକ ଦୁର୍ଘଟଣାରେ ୧୮ ଜଣ ଆଖି ବୁଜିଥିଲେ, ଶତାଧିକ ଗୁରୁତର ହୋଇଥିଲେ । ତେବେ ଦୁର୍ଘଟଣାର କାରଣ କଣ ଖୋଜା ଚାଲିଥିବା ବେଳେ ଉଦ୍ଧାର ହୋଇଛି ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକ ବକ୍ସ । ଆଉ ଏହି ବ୍ଲାକ ବକ୍ସ କହିବ ଲ୍ୟାଣ୍ଡି କ୍ରାସର ପୂରା କାହାଣୀ । ତେବେ କଣ ଏହି ବ୍ଲାକ୍ ବକ୍ସ ? ବିମାନ ଦୁର୍ଘଟଣା ପରେ ସତ ଜାଣିବାକୁ କାହିଁକି ଖୋଜାଯାଏ ବ୍ଲାକ ବକ୍ସ ? ଜାଣନ୍ତୁ ବ୍ଲାକ ବକ୍ସ ପଛର ବଡ ଗୁମର…

ବିମାନ ଦୁର୍ଘଟଣା ହେବା ମାତ୍ରେ ସଙ୍ଗେ ସଙ୍ଗେ ବ୍ଲାକ ବକ୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୁଏ । କେମିତି ଦୁର୍ଘଟଣା ହେଲା ? କିପରି ଦୁର୍ଘଟଣାର ତଥ୍ୟ ମିଳିପାରିବ? ସେଥିପାଇଁ ବ୍ଲାକ ବକ୍ସକୁ ଖୋଜାଯାଏ । ତେବେ ବ୍ଲାକ ବକ୍ସ ହେଉଛି ଏମିତି ଏକ ଯନ୍ତ୍ର ଯାହା ବିମାନର ପୂରା ଗତିବିଧି ଉପରେ ନଜର ରଖିଥାଏ । ବିମାନ ଉଡାଣର ପ୍ରତି ସେକେଣ୍ଟର ଚଳପ୍ରଚଳନକୁ ରେକର୍ଡ କରୁଥାଏ । ବିମାନର ଡାଟା ରେକର୍ଡ କରୁଥିବାରୁ ଏହାକୁ ବିମାନର ମୁକସାକ୍ଷୀ ବା ଫ୍ଲାଇଟ୍ ଡାଟା ରେକର୍ଡର ବୋଲି ବି କୁହାଯାଏ । ସେହିପରି ବିମାନର ଡାଟା ସଂଗ୍ରହ କରିବାକୁ ସିଭିଆର ମଧ୍ୟ ବଡ ଭୂମିକା ଗ୍ରହଣ କରିଥାଏ । ବିମାନ ଉଡାଣର ଶେଷ ୨ ଘଣ୍ଟାର ସବୁ ତଥ୍ୟ ସିଭିଆର ରେକର୍ଡିଂ କରିଥାଏ । ଜରୁରୀକାଳୀନ ସତର୍କ ଘଣ୍ଟି, ଇଞ୍ଜିନର ଶବ୍ଦ, କ୍ୟାବିନ ଶବ୍ଦ, ଏବଂ ପାଇଲଟ- କୋ ପାଇଲଟ ମଧ୍ୟରେ ହେଉଥିବା କଥାବାର୍ତ୍ତାକୁ ମଧ୍ୟ ରେକର୍ଡ କରିଥାଏ । ସିଭିଆର ହେଉଛି ବ୍ଲାକ ବକ୍ସର ଏକ ଅଂଶ ।

ବ୍ଲାକ୍ ବକ୍ସକୁ ସାଧାରଣତ କଳା ରଙ୍ଗ ବୋଲି ଅନେକ ଭାବନ୍ତି । କିନ୍ତୁ ଏହାର ରଙ୍ଗ କମଳା ଥାଏ । କାରଣ କୌଣସି ପରିସ୍ଥିତିରେ ଯଦି ଦୁର୍ଘଟଣା ହୁଏ ତେବେ ଏହା ପାଣିରେ କି ପାହାଡ ଭିତରେ ପଡିଲେ କିମ୍ବା ନିଆଁରେ ଜଳିଗଲା ପରେ ବି କଳା ହୋଇନଥାଏ । ଏହା ସେମିତି କମଳା ରଙ୍ଗ ବଜାୟ ରଖିଥାଏ । ଯାହା ଝଟକୁଥିବାରୁ ଅନୁସନ୍ଧାନକାରୀ ଟିମକୁ ଖୋଜିବାରେ ସହଜ ହୁଏ ।

ବ୍ଲାକ ବକ୍ସ ବିମାନର ପଛ ଭାଗରେ ଖଞ୍ଜାଯାଇଥାଏ । ଦୁର୍ଘଟଣାରେ ବିମାନର ପଛ ଭାଗ କମ କ୍ଷତି ହେଉଥିବାରୁ ଏହାକୁ ସୁରକ୍ଷିତ ସ୍ଥାନ ଭାବି ଏଠାରେ ରଖାଯାଇଥାଏ । ବଡ ଦୁର୍ଘଟଣାରେ ଯେମିତି ବ୍ଲାକ ବକ୍ସ ଅକ୍ଷତ ରୁହେ ସେଥିପାଇଁ ଶକ୍ତିଶାଳୀ ଧାତୁ ଟିଟାନିୟମର ଏକାଧିକ ପରସ୍ତ ଦେଇ ଏହାର ନିର୍ମାଣ ହୋଇଥାଏ । ଯାହା ନିଆଁରେ ଜଳିଗଲେ କି ଗଭୀର ସମୁଦ୍ରରେ ପଡିଗଲେ ଏହା ଭିତରେ ଥିବା ବିମାନର ସବୁ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଯାହା ଦୁର୍ଘଟଣାର ପ୍ରକୃତ ସତ କହିପାରିବ ।

ତେବେ ନିଆଁ ଲାଗିଲେ ୧ ହଜାର ଡିଗ୍ରୀ ସେଲସିୟସ ଯାଏଁ ଏହା ତାପ ସହିପାରେ । ଲୁଣି ପାଣିରେ ପଡିଲେ ବି ଏହା କାମ କରେ, ସିଗନାଲ ପଠାଏ । ବ୍ଲାକ ବକ୍ସର ବଡ ବିଶେଷତ୍ୱ ହେଉଛି ଏହା ମାସେ ପାଇଁ ବିନା ବିଜୁଳିରେ କାମ କରିଥାଏ । ଦୁର୍ଘଟଣା ହେଲେ ବ୍ଲାକ ବକ୍ସରୁ ଅହରହ ଏକ ସାଉଣ୍ଡ ବାହାରେ । ଏମିତିକି ସମୁଦ୍ର ଭିତରେ ୨୦ ହଜାର ଫୁଟ ତଳେ ଥିଲେ ବି ଏହି ଶବ୍ଦ ତରଙ୍ଗ ଦ୍ୱାରା ଅନୁସନ୍ଧାନକାରୀ ଟିମ୍ ମଝି ସମୁଦ୍ରରୁ ବ୍ଲାକ ବକ୍ସକୁ ଖୋଜି ପାଆନ୍ତି । ତେବେ ବିମାନ ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ଏହା ଜାଣିବାକୁ ବ୍ଲାକ ବକ୍ସର ପରିକଳ୍ପନା କରାଯାଇଥିଲା । ଆଉ ୧୯୫୪ ମସିହାରେ ଅଷ୍ଟ୍ରେଲିଆରେ ଏହାର ଉଦ୍ଭାବନ ହୋଇଥିଲା ।

ଦୁର୍ଘଟଣା ପରେ କାହିଁକି ଖୋଜାଯାଏ ବ୍ଲାକ ବକ୍ସ ?

#ବ୍ଲାକ_ବକ୍ସ_କଣ?#ବ୍ଲାକ_ବକ୍ସ_ଭିତରେ #ବିମାନ_ଦୁର୍ଘଟଣା_ସତପ୍ଲେନ କ୍ରାସ ପରେ କାହିଁକି ଖୋଜାଯାଏ ବ୍ଲାକ ବକ୍ସ ? ଭୟଙ୍କର ଦୁର୍ଘଟଣା ପରେ ବି କେମିତି ସୁରକ୍ଷିତ ଥାଏ ସତ ଦେଖିଥିବା ଶେଷ ମୁକସାକ୍ଷୀ ? ଜାଣନ୍ତୁ ବ୍ଲାକ ବକ୍ସର ଗୁମର କଥା…#SpecialReport #BlackBox #Flight #AirIndia

Posted by Kanak News on Sunday, 9 August 2020