କନକ ବ୍ୟୁରୋ: ବିଧାତା ଯେତେ ବାଜି ଖେଳୁ, ଯଦି ଆପଣଙ୍କ ଆତ୍ମବଳ ପଥର ଭଳି ମଜବୁତ ଥିବ ତେବେ ଆପଣ ସଂଘର୍ଷପୂର୍ଣ୍ଣ ସମୟ ସାମ୍ନାରେ କଦାପି ହାର୍ ମାନିବେନି । ଜଣେ ଅକ୍ଷମ ହୋଇବି ସକ୍ଷମଙ୍କ ଠାରୁ ବେଶ ଭଲ କରି ବିଧାତାର ଖେଳକୁ ଖେଳୁଛନ୍ତି  । ଦୃଷ୍ଟିହୀନ ମଣିଷ ଦେଖାଉଛନ୍ତି ସମାଜରେ ଆତ୍ମନିର୍ଭରଶୀଳ ରାସ୍ତା।  ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷର କଥା ପଡ଼େ ସେତେବେଳେ ଜୀବନକୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷ । ଏମିତି ଏକ ଦୃଷ୍ଟିହୀନ ମହିଳାଙ୍କୁ ଖୋଜି ପାଇଥିଲା ଆମ କନକ ନ୍ୟୁଜ୍ ।
Advertisment
ମାଟିକୁ ପିଟିପିଟି ଭାଟିରେ ଭରସାର ଇଟା ଗଢୁଛନ୍ତି ନବରଙ୍ଗପୁର ଉମରକୋଟର ଲକ୍ଷ୍ମୀବାଇ ଚନ୍ଦ୍ରକାରା । ଟିକେ ଭଲକରି ଦେଖନ୍ତୁ ତାଙ୍କ ଯାଦୁଗରୀ ହାତକୁ  । କାରଣ ଇଏ ଜଣେ ସାଧାରଣ ମହିଳା ନୁହନ୍ତି । ଦେଖାନଗଲେ ବି କିପରି ଗୋଟିଏ ପରେ ଗୋଟିଏ ଇଟା ସୁନ୍ଦର ଭାବେ ଗଢ଼ି ଚାଲିଛନ୍ତି ଦୃଷ୍ଟିହୀନ ମହିଳା । ବିଧାତା ସିନା ଆଖିର ରଶ୍ମିକୁ ନେଇଗଲା କିନ୍ତୁ ଅକ୍ଷମ  ଜୀବନ  ଆଗରେ ହାର ନମାନି ବାଛି ନେଇଛନ୍ତି ବଞ୍ଚିବାର ରାସ୍ତା । ଦୃଷ୍ଟିହୀନ ହୋଇ ମଧ୍ୟ କିପରି ଅଣ୍ଡାଳି ଅଣ୍ଡାଳି ତିଆରି କରୁଛନ୍ତି ଇଟା ।
ଲକ୍ଷ୍ମୀଙ୍କ ପରିସ୍ଥିତି ବର୍ତ୍ତମାନ ଯେଭଳି କଷ୍ଟ ଦାୟକ ସେହିଭଳି ଦୁଃଖ ଦାୟକ ତାଙ୍କ ସମଗ୍ର ଜୀବନର ଯାତ୍ରା । କାରଣ କିଛି ବର୍ଷ ପୂର୍ବରୁ ତାଙ୍କ ଦୁଇ ପୁଅଙ୍କ କୌଣସି ରୋଗରେ ମୃତ୍ୟୁ ହୋଇଥିଲା । ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଆଖିର ଲୁହକୁ ଲହୁରେ ପରିଣତ କରିଦେଲା । ଆଉ ଛାଡ଼ଇନେଲା ଦୃଷ୍ଟିଶକ୍ତି, ତାପରଠାରୁ ଆଉ ଭଲ ହେବନାହିଁ କହି ଫେରେଇ ଦେଲେ ଡାକ୍ତର । ଏବେ ସ୍ୱାମୀଙ୍କ ସହ ଗୋଟିଏ ନାତି ଆଉ ଦୁଇ ନାତୁଣୀ ହେଉଛି ଲକ୍ଷ୍ମୀବାଇ ପରିବାର । ପେଟ ପୋଷଣ ଆଉ ଭୋକ ତାଙ୍କୁ ଟାଣି ଆଣିଛି ଏହି ଇଟା ଭାଟିକୁ ।  ହଜାରେ ଇଟା ଗଢିଲେ ମିଳେ ୭୫୦ ଟଙ୍କା ଆଉ ସେଥିରେ ସମସ୍ତେ ଚଳନ୍ତି । ଇଟା ଭାଟି ଠାରୁ ଘର ଦୂର ହୋଇଥିବାରୁ ଭାଟି ନିକଟରେ ଥିବା ଅସ୍ଥାୟୀ କୁଡ଼ିଆରେ ସମସ୍ତେ ରୁହନ୍ତି ।
ତେବେ ଝାନ୍ସୀର ଲକ୍ଷ୍ମୀବାଇ ସିନା ସ୍ୱାଧିନତା ପାଇଁ ଲଢ଼େଇ କରିଥିଲେ କିନ୍ତୁ ନବରଙ୍ଗପୁର ଲକ୍ଷ୍ମୀବାଇ ସଂଘର୍ଷଭରା ଜୀବନ ସହ ପ୍ରତିଦିନ ଖେଳୁଛନ୍ତି । ଆଉ ଜଣେ ଦୃଷ୍ଟିହୀନ ହୋଇ ମଧ୍ୟ ସମାଜକୁ ପ୍ରେରଣା ଓ ଭାଗ୍ୟର ଦ୍ୱାହି ଦେଇ ବାହାନା କାଢୁଥିବା କର୍ମଠଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଯାହାକୁ ଗ୍ରାମବାସୀ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ।