କରୋନା କଟକଣାରେ କଲବଲ ଦିବ୍ୟାଙ୍ଗ ମୁଡୁକିବାଲା । ପରିବାରର ପେଟରେ ଦାନାଗଣ୍ଡେ ଦେବାକୁ ଆଶାବାଡ଼ି ସାହାରାରେ ବୁଲୁଛନ୍ତି ଗାଁ କୁ ଗାଁ..

68

କନକ ବ୍ୟୁରୋ: ଦେହରେ ହଳେ କପଡ଼ା, ଚପଲ ନଥିବା ଚମଡ଼ା ଭରା ପାଦ, କାନ୍ଧରେ ବଡ଼ ବ୍ୟାଗ୍ ବୋଝ ବୋହି ଚାଲି ଚାଲି ଯାଉଛି, ଆଗକୁ ବଢୁଛି ଆଉ ହାତରେ ଥିବା ଆଶାବାଡ଼ି ଖଣ୍ଡେ ତାଙ୍କୁ ଟାଣି ନେଉଛି । କାରଣ ପେଟ ପାଇଁ ବଞ୍ଚିବାକୁ ତ ପଡ଼ିବ ନା, ଯେତେ ଲକଡାଉନ୍ କି ସଟଡାଉନ୍ ହେଉ, ପରିବାର ପାଟିରେ ଦୁଇମୁଠା ଦାନା ଦେବାକୁ ବାଡ଼ି ସାହାରାରେ ବାହାରି ପଡ଼ିଛନ୍ତି ଜଣେ ଦିବ୍ୟାଙ୍ଗ ମୁଡୁକି ବାଲା । କରୋନା କଟକଣାରେ କେମିତି ଜୀବନ ଜୀବିକା ଦହଗଞ୍ଜ ହେଉଛି କନକ ନ୍ୟୁଜ୍ କ୍ୟାମେରା କଏଦ କରିଥିବା କିଛି ଲକଡାଉନ୍ କାହାଣୀ ଆଜି ଆମେ ଦେଖାଇବୁ ।…

ଏ ହେଉଛି ଗଂଜାମ ଜିଲ୍ଲା ରେଶମ ସହରର କଥା, ଏଠି ଅନେକ ଲୋକ ଏହି ମହାମାରି ସମୟରେ ନିଜ ରୋଜଗାର ହରାଇଛନ୍ତି । ଲକଡାଉନର ଏହି ଅଦେଖା ଗହଳି ଚହଳି ଭିତରେ ଆମ ନଜର ପଡିଥିଲା ଲୋଚାପଡ଼ା ଅଞ୍ଚଳର କୈଳାସ ମହାରଣା ଉପରେ । ବେପାର କହିଲେ ବୁଲିବୁଲି ମୁଡୁକି ବିକିବା, ଆଉ ପରିବାର କହିଲେ, ସ୍ତ୍ରୀ ଆଉ ଛୋଟ ଛୋଟ ଦୁଇଟି ଛୁଆ । କିଛି ବର୍ଷ ପୂର୍ବେ ଦୃଷ୍ଟିଶକ୍ତି ଚାଲିଗଲା, ଆଉ ତା’ ପରେ ପରିବାର ଚଳାଇବା ଟା ଭାରି କଷ୍ଟ ହୋଇପଡିଥିଲା । ତଥାପି ସେ ହାରି ନଥିଲେ ବରଂ ହାତରେ ବାଡ଼ି ଟିଏ ଧରି ବୁଲିବୁଲି ସହର ସାରା ବିକୁଥିଲେ ମୁଡୁକି । ହେଲେ କୋରୋନା କଟକଣା ଭାଙ୍ଗିଦେଲା ତାଙ୍କ ମନୋବଳ । ଘରଭଡାଠୁ ଆରମ୍ଭ କରି ରାସନ ଏମିତି କି ପରିବା ମଧ୍ୟ ବାକିରେ ଆଣି ଚଳୁଛନ୍ତି ଆଉ ଯଦି ଆଗକୁ ଏହି କଟକଣା ପୁଣି ବଢେ ତାହେଲେ ତାଙ୍କ ପରିବାର ଭୋକରେ ମରିଯିବା କଥା କହିଛନ୍ତି କୈଳାସ ।

ଖାଲି ସେତିକି ନୁହେଁ ଲକଡାଉନ ସଟଡାଉନରେ ଅନେକ ଲୋକ ଏମିତି ରୋଜଗାର ହରାଇଛନ୍ତି । ସେହି ଅଞ୍ଚଳରେ ଦୀର୍ଘ ୩୦ ବର୍ଷ ଧରି ସାଇକଲ ମରାମତି କରି ନିଜ ପରିବାର ପ୍ରତିପୋଷଣ କରୁଥିବା ପ୍ରତାପ ଚନ୍ଦ୍ର ପତିଙ୍କ ଅବସ୍ଥା ବି ସମାନ । ପରିବାରରେ ୬ ପ୍ରାଣୀ, ୧୦୦ ରୁ ୨୦୦ ଯାହା ରୋଜଗାର କରୁଥିଲେ ସେତିକିରେ ତାଙ୍କ ଘର ଚଳୁଥିଲା ହେଲେ ଲଗାତାର ଲକଡାଉନ ଆଉ ସଟଡାଉନରେ ସେ ମଧ୍ୟ ଏବେ ହରାଇଛନ୍ତି ତାଙ୍କ ରୋଜଗାର । ଯଦି ଆଗକୁ ପୁଣି ଏହି କଟକଣା ବୃଦ୍ଧି ହୁଏ ତ ପରିବାର ପେଟରେ ଦାନା ଗଣ୍ଡାଏ ଦେବା କାଠିକର ହୋଇପଡିବ ବୋଲି ସେ କହିଛନ୍ତି ।

ତେବେ ଲକଡାଉନର ଲକ୍ଷ୍ମଣରେଖା କାହା ପାଇଁ ସୁରକ୍ଷା, କାହା ପାଇଁ ଭୂତାଣୁ ଭିତରେ ଭୋକର ଭିକ୍ଷା । କରୋନା ଚେନ୍ ଭାଙ୍ଗିବାକୁ ଏହି କଟକଣାର ସୀମାରେଖା ଅନେକଙ୍କ ପାଇଁ ସଘର୍ଷର ସୀମା ଟପିଯାଇଛି । ଲଗାତାର ଲକଡାଉନ୍-ସଟଡାଉନ୍ ଜୀବନ-ଜୀବିକାକୁ ଏମିତି ଜାବୁଡ଼ି ଧରିଛି ଯେ ସେଥିରୁ ମୁକୁଳିବା ବି କଷ୍ଟ ହୋଇପଡ଼ିଛି ଯଦି ଆଗକୁ ସରକାର ଏମାନଙ୍କ କଥା ବିଚାର କରନ୍ତି ତେବେ ଏମାନଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ିବ ।