ଲଗାଣ ବର୍ଷାରେ ଜଳମଗ୍ନ ହୋଇଗଲା ଜୀବିକା । ପାଞ୍ଚ ବର୍ଷ ହେବ ଲେଡିଜ୍ କର୍ଣ୍ଣର କରି ପେଟ ପୋଷୁଥିବା ସଞ୍ଜୁଲତାଙ୍କ ସ୍ୱପ୍ନକୁ ଉଜାଡ଼ି ଦେଲା ବର୍ଷା । ପାଣିରେ ବୁଡ଼ିଥିବା ଜିନିଷକୁ ଦେଖି କାନ୍ଦି କାନ୍ଦି କହୁଛନ୍ତି ଚଳିବୁ କେମିତି, ଖାଇବୁ କ’ଣ ?

748

କନକ ବ୍ୟୁରୋ: ବର୍ଷା କେତେ ଦାରୁଣ ସାଜିପାରେ, ବର୍ଷାର ତାଣ୍ଡବ ଧନଜୀବନକୁ କେତେ ଯେ, ଅସ୍ତବ୍ୟସ୍ତ କରିଦେଇ ପାରେ ତାହା ଏ ଲୁହ, ଏ କୋହରୁ ହିଁ ଜଳ ଜଳ କରି ଜଣାପଡୁଛି । ଏଠି ଜୀବନ ପାଇଁ ଜୀବିକାର ସଂଘର୍ଷଠୁ ବଳିଯାଇଛି ବର୍ଷାର ଯନ୍ତ୍ରଣା । ଲଗାଣ ବର୍ଷା ପାଇଁ ଲୁହ ଝରାଉଛନ୍ତି ବାଲେଶ୍ୱର ସୋରର ସଞ୍ଜୁଲତା ବେହେରା ।

ବର୍ଷା ବିତ୍ପାତ ଜୀବିକାକୁ ଜାବୁଡ଼ି ଧରିବା ପରେ ଆଖିରୁ ଝରୁଛି ଯନ୍ତ୍ରଣା ଆଉ ବେଦଦନାର ଲୁହ । କାରଣ ପ୍ରବଳ ବର୍ଷାରେ ବୁଡ଼ି ଯାଇଛି ସଞ୍ଜୁଲତାଙ୍କ ସବୁ ଜିନିଷ ପତ୍ର । ୫ ବର୍ଷ ହେବ ସ୍ୱାମୀ ପର କରିିଦେବାପରେ ମା’ଛୁଆ ଦୁଇ ଜଣ ଲେଡିଜ୍ କର୍ନର ଚଳାଇ ପେଟ ପୋଷୁଥିଲେ । ହେଲେ ନିଷ୍ଠୁର ବର୍ଷା ଆଉ ପ୍ରଶାସନର ଆଖିଦେଖାଣିଆ ବ୍ୟବସ୍ଥା ଯୋଗୁଁ ଅଧା ଉଜୁଯାଇଛି ସଞ୍ଜୁଲତାଙ୍କ ସ୍ୱପ୍ନ । ହଜାର ଦୋକାନ ଘରେ ପାଣି ପଶିବା ପରେ ହଜାର ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ଏବେ କ’ଣ କରିବେ, କେମିତି ଚଳିବେ କହି କାନ୍ଦୁଛନ୍ତି ସଞ୍ଜୁଲତା ।

କେବଳ ସଞ୍ଜୁଲତା ନୁହେଁ ବରଂ ସୋରର ମାଣିପୁର ମାର୍କେଟର ପାଖାପାଖି ୧୦ଟି ଦୋକାନରେ ଲହଡ଼ି ମାରୁଛି ଦୁଃଖର ବର୍ଷା । କେଉଁଠି ଆଳୁ ତ କେଉଁଠି ତେଜରାତିପତ୍ର, ଡାଲି ଚାଉଳରେ ପଶିଯାଇଛି ପୁଳେ ପୁଳେ ପାଣି । ଆଉ ନଷ୍ଟ କରିଦେଇଛି ଲକ୍ଷାଧିକ ଟଙ୍କାରୁ ଅଧିକ ଜିନିଷପତ୍ର । ତେବେ ବର୍ଷା ପାଣିର ନିଷ୍କାସନ ନେଇ ପ୍ରଶାସନ କୌଣସି ପଦକ୍ଷେପ ନନେଉଥିବାରୁ ଲୁହ ଆଣିଦେଇଛି ଲଗାଣ ବର୍ଷା ବୋଲି ଅଭିଯୋଗ ମଧ୍ୟ ହୋଇଛି ।

ତେବେ ବର୍ତ୍ତମାନ ରାଜ୍ୟବ୍ୟାପୀ ବର୍ଷା ଜରି ରହିଥିବାବେଳେ ବାଲେଶ୍ୱର ସୋରର ମାଣିପୁର ମାର୍କେଟରେ ପାଣି ପାଲଟିଛି ମୁଣ୍ଡବ୍ୟଥାର କାରଣ । ଏ ବର୍ଷା କାହାର ଜୀବନ ଜୀବିକାକୁ ଜଳମଗ୍ନ କରିଦେବା ସହ ଅନେକଙ୍କ ଆଖିରେ ଆଣିଦେଇଛି କେବଳ ଲୁହ ଆଉ ଲୁହ । ଆଉ ପ୍ରଶାସନର ଚରମ ଅବହେଳା ପାଇଁ ଡ୍ରେନ୍ ପାଣି ନିଷ୍କାସନ ନହୋଇପାରୁଥିବାରୁ ନୀରିହ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ହେଲେ ଆଉ କେତେ ସଞ୍ଜୁକ୍ତାରଙ୍କ ଦୋକାନ ଜଳମଗ୍ନ ହେବା ପରେ ଶୁଣିବେ ସରକାର କେବେ ପ୍ରଶାସନ କାନରେ ପଡ଼ିବ ଗୁହାରୀ ଏବେ ତାକୁ ହିଁ ଅପେକ୍ଷା ।