କନକ ବ୍ୟୁରୋ: ଟ୍ରଲିରେ ଶୋଇଛି ରୋଗୀଣା ସ୍ୱାମୀ, ଛାତି ଉପରେ ଥୁଆ ହୋଇଛି ଭୋକ ମାରୁଥିବା ରାସନ କାର୍ଡ । ୪୫ ଟଙ୍କାର ଚାଉଳ ପାଇଁ ୧୦୦ ଟଙ୍କା ଟ୍ରଲି ଭଡ଼ା ଦେଲେ ଯାଇ, ବୃଦ୍ଧ ଦମ୍ପତିଙ୍କୁ ମିଳୁଛି ସରକାରଙ୍କ ମାଗଣା ଚାଉଳ । ଗରିବଙ୍କ ଖାଦ୍ୟ ସୁରକ୍ଷା ପାଇଁ ହୋଇଛି ଏହି କାର୍ଡ କିନ୍ତୁ ଖାଇବାକୁ ହେଲେ ପଞ୍ଚାୟତ ଅଫିସକୁ ଆସି ଦେବାକୁ ପଡ଼ିବ ଟିପ ଚିହ୍ନ । ତେଣେ ଆପଣ ରୋଗୀଣା ହୁଅନ୍ତୁ କି ଅସହାୟ । ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ଦେଖାଇଦେଲା କୋରାପୁଟର ଏହି ଦୃଶ୍ୟ ।

ପେଟ ପାଇଁ ନାଟ ତ ଶୁଣିଥିବେ ହେଲେ ପେଟ ପାଇଁ ଏମିତି ବି ଛଟପଟ ହେବାକୁ ପଡ଼େ ତାହା ହୁଏତ କଦବା କ୍ୱଚିତ୍ ଦେଖିଥିବେ । ନାରାୟଣପାଟଣା ସଦର ଚମ୍ପିକଣ୍ଟା ସାହିର ଲିଙ୍ଗୁ ଟ୍ରେପେକା, ବୟସ ୮୫ ଡେଇଁଲାଣି । ଗତ କିଛିଦିନ ହେବ ପ୍ରବଳ ଜ୍ୱରରେ ବିଛଣାରେ ପଡ଼ିଛନ୍ତି । ପରିବାର କହିଲେ ସ୍ୱାମୀ-ସ୍ତ୍ରୀ ଦୁଇଜଣ ଆଉ ଘର ଚଳିବାକୁ ସରକାରଙ୍କ ୪୫ କେଜି ମାଗଣା ଚାଉଳ ହିଁ ଭରସା । ଅସୁସ୍ଥତା ଯୋଗୁଁ ବୃଦ୍ଧ ହିତାଧିକାରୀ ଜଣକ ୩ ମାସ ହେବ ଚାଉଳ ନେଇନାହାନ୍ତି । କାରଣ ସେ ପଞ୍ଚାୟତ ଅଫସକୁ ଆସି ଟିପ ଚିହ୍ନ ଦେବାକୁ ସକ୍ଷମ ନୁହନ୍ତି । ଭୋକ ଜ୍ୱାଳାକୁ ସହି ନପାରି ଶେଷରେ ସ୍ତ୍ରୀ ତାଙ୍କ ରୋଗୀଣା ସ୍ୱାମୀଙ୍କୁ ଟ୍ରଲିରେ ବୋହି ନେଇ ଆସିଛନ୍ତି ।

କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳ ବୋଲାଉଥିବା ନାରାୟଣ ପାଟଣାର ଏହି ଦୃଶ୍ୟ ଏବେ ସରକାରୀ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି । ନିୟମ ମୁତାବକ ରାସନ ହିତାଧିକାରୀଙ୍କ ଟିପ ଚିହ୍ନ କିମ୍ବା ଦସ୍ତଖତ ଜରୁରୀ । ତେଣୁ ରୋଗୀଣା ସ୍ୱାମୀକୁ ୧୦୦ ଟଙ୍କା ଭଡ଼ା ଦେଇ ଟ୍ରଲିରେ ଚାଉଳ ଗୋଦାମକୁ ନେଇ ଆସୁଥିବାର ଚିତ୍ର ସମସ୍ତଙ୍କୁ ବିବ୍ରତ କରିଛି ।

ସବୁଠାରୁ ବଡ଼କଥା ହେଲା ସ୍ୱାମୀଙ୍କୁ ଟ୍ରଲିରେ ଶୁଆଇ ପଛରୁ ଟ୍ରଲିକୁ ଠେଲି ଠେଲି ନେଇ ଚାଉଳ ପାଇଁ ପହଞ୍ଚିଥିଲେ ପତ୍ନୀ । ଅସହାୟ ବ୍ୟକ୍ତିଙ୍କ ଘରେ ରାସନ୍ ଚାଉଳ ପହଞ୍ଚାଇବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଏଠାରେ କିନ୍ତୁ ତାର ଚିତ୍ର ଓଲଟା ଦେଖିବାକୁ ମିଳିଛି ।