ଜୀବନ ଯାକର କଷ୍ଟ ଅର୍ଜିତ ଟଙ୍କା ଖାଇଗଲା ପୋକ, ଗୁମୁରି କାନ୍ଦୁଛନ୍ତି ଘୁଷୁରି ପାଳକ । ଜାଣନ୍ତୁ କେମିତି ପୋକ ଖାଇଗଲା ଏତେ ଗୁଡିଏ ଟଙ୍କା ?

352

କନକ ବ୍ୟୁରୋ: ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟଠୁ ୨ଶହ ଆଉ ୫ଶହ ଟଙ୍କିଆ ନୋଟ୍ । ଏହିଭଳି ପୁଳେ ପୁଳେ ଟଙ୍କା ଏବେ ପୋକ ପାଟିରେ ସ୍ୱାହାଃ ହୋଇଯାଇଛି । ୧୦ ହଜାର କି ୫୦ ହଜାର ନୁହେଁ ପୋକ ପାଟିରେ ପଶି ଯାଇଛି ପାଖାପାଖି ୫ ଲକ୍ଷ ଟଙ୍କା । ସକାଳୁ ଉଠିବା ପରେ ହଠାତ୍ ନିଜ ଜୀବନଯାକର ସଞ୍ଚିତ ଟଙ୍କା ଏମିତି ନଷ୍ଟ ହୋଇଯାଇଥିବା ଦେଖି ଯିଏ ନାହିଁ ସିଏ ଆଶ୍ଚର୍ଯ୍ୟ ଏବଂ ଆବାକ୍ ହୋଇଯିବ । ଠିକ୍ ଏମିତି କିଛି ଘଟିଛି ଆନ୍ଧ୍ରପ୍ରଦେଶର ଜଣେ ଗରିବ ଘୁଷୁରୀ ପାଳକଙ୍କ ସହ । ଯାହା ଏବେ ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ସ ପାଲଟିଛି । 

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ମ୍ୟାଲାଭରମ୍ ଗାଁର ବି-ଜାମଲାଇୟା ନାମକ ଜଣେ ଘୁଷୁରୀ ପାଳକ ବ୍ୟାଙ୍କରେ ଖାତା ନଥିବାରୁ ନିଜ ଜୀବନଯାକର କଷ୍ଟ ଉପାର୍ଜିତ ଟଙ୍କାକୁ ଲୁହା ଟ୍ରଙ୍କ ବା ବାକ୍ସ ଭିତରେ ସାଇତି ରଖିଥିଲେ । କିନ୍ତୁ ମଙ୍ଗବାର ସକାଳୁ ସକାଳୁ ବାକ୍ସ ଖୋଲି ଦେଖିଲା ବେଳକୁ ବର୍ଷ ବର୍ଷର ପରିଶ୍ରମ ପୋକ ପାଟିରେ ପଶିଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘୁଷୁରୀ ପାଳକଙ୍କ ଘରେ ପହଁଚି ଯାଞ୍ଚ କରୁଛି । କିନ୍ତୁ ପାଖାପାଖି ୫ ଲକ୍ଷ ଟଙ୍କା ନଷ୍ଟ ହୋଇଯିବା ଫଳରେ ଘୁଷୁରୀ ପାଳକ ଓ ତାଙ୍କ ପୂରା ପରିବାର ଏବେ ସେହି ନଷ୍ଟ ହୋଇଯାଇଥିବା ଟଙ୍କାକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି । 

ସେପଟେ ଏନେଇ ଗରିବ ଘୁଷୁରୀ ପାଳକ ବି-ଜାମଲାଇୟା କହିଛନ୍ତି କି, ମୁଁ ମୋର ଜୀବନ ଯାକର ଏହି ସଞ୍ଚିତ ଟଙ୍କାରେ ମାଟି ଘରକୁ କୋଠା ଘରରେ ତୋଳିବାକୁ ସ୍ୱପ୍ନ ଦେଖୁଥିଲି । କିନ୍ତୁ ସେ ସ୍ୱପ୍ନ ଆଉ କେବେ ସାକାର ହେବ ମୁଁ ଭରସା କରିପାରୁନି । ମୁଁ ଏବେ କ’ଣ କରିବି ମୋତେ କିଛି ବୁଦ୍ଧିବାଟ ଦିଶୁନି । ମୋର ବ୍ୟାଙ୍କ ଖାତା ନଥିଲା ବୋଲି ମୁଁ ଏତକ ଟଙ୍କା ମୁଁ ଲୁହା ବାକ୍ସରେ ସଞ୍ଚୟ କରି ରଖିଥିଲି କିନ୍ତୁ ଭାଗ୍ୟ ଏମିତି ଖେଳ ଖେଳିବ ବୋଲି କେବେ କଳ୍ପନା କରିନଥିଲି ।

ତେବେ କେବେ ଭାବିଛନ୍ତି ଆପଣ ଯଦି ବି-ଜାମଲାଇୟାଙ୍କ ସ୍ଥାନରେ ଜଣେ ଘୁଷୁରୀ ପାଳକ ହୋଇଥାନ୍ତେ ଆଉ ଆପଣଙ୍କ ଜୀବନଯାକର ପୁଞ୍ଚି ପୋକ ପାଟିରେ ନଷ୍ଟ ହୋଇଯାଇଥାନ୍ତା ତା’ ହେଲେ ଆପଣ କ’ଣ କରିଥାନ୍ତେ । ହୁଏତ ଆପଣ ଉତ୍ତର ଦେବାଟା ଟିକେ ଅସମ୍ଭବ ହୋଇପାରେ କିନ୍ତୁ ଟଙ୍କା କାହାର ବା ଦରକାର ନାହିଁ । ଧନୀଠୁ ଗରିବ, କଳାଠୁ ଧଳା, ଟଙ୍କା ଏମିତି ଏକ ଜିନିଷ ଯାହା ଜୀବନ ଜିଇଁବାର ଏକ ଅଭିଚ୍ଛେଦ୍ୟ ଅଙ୍ଗ ସଦୃଶ । କିନ୍ତୁ ଜାମଲାଇୟାଙ୍କ ସହ ଘଟିଥିବା ଏମିତି ଘଟଣା ଅନେକ ପୁଞ୍ଜିପତି, ମଧ୍ୟବିତ୍ତ ଓ ଗରିବଙ୍କ ନିଦ ନିଶ୍ଚିତ ହଜାଇଦେଇଥିବ ।