କନକ ବ୍ୟୁରୋ: ଛଣ ବିଡ଼ାର ଅଧା ଫୁଙ୍ଗୁଳା ଛାତ, ତା’ ଉପରେ ପଡ଼ିଥିବା ଦାରିଦ୍ର୍ୟତାର ଦଦରା ପଲିଥିନ୍ । ଫଟା କପାଳ ଭଳି ଫଟା ଟିଣ ସେପଟୁ ଭୋକ ଭବିଷ୍ୟତ ଖୋଜୁଥିବା ବେସାହାରା ଝିଅ । କ’ଣ ଅବା କରିବ, ଦେହ ଢ଼ାଙ୍କିବାକୁ ଚିରା କପଡ଼ା ସିନା ଅଛି ହେଲେ ଦୁର୍ବଳ କାନ୍ଥକୁ ଆଉଜି ହୋଇଥିବା ଆଶା ଧିରେ ଧିରେ ମଉଳିବାରେ ଲାଗିଛି । କାରଣ ଦୁନିଆକୁ ଆଣିଥିବା ବାପା-ମାଆ ଯେବେ ହାତଛାଡ଼ି ପରପାରିକୁ ଚାଲିଯାଆନ୍ତି ସେତେବେଳେ ସମୟ ବି ସଂଘର୍ଷର ସାତ ଦରିଆ ମଝିରେ, ଜୀବନକୁ ଯନ୍ତ୍ରଣାରେ ଛଟପଟ କରାଏ । ଠିକ୍ ସେମିତି ଏକ କାହାଣୀ କପ୍ତିପଦାରୁ ଆସିଛି ଯାହା ଆପଣଙ୍କ ଆଖିକୁ ଛଳ ଛଳ କରିଦେବ ।

Advertisment

କପ୍ତିପଦା ବ୍ଲକ ତାଳପୋଖରୀ ମାଟିଆଳି ସାହିର ପୁଙ୍ଗୀ ମହାକୁଡ଼ । ବାପା-ମାଆ ଆଖି ବୁଜିବା ପରେ ପରିବାର ହୋଇଗଲା ବେସାହାରା । ପୁଅ ବିରଞ୍ଚି ମହାକୁଡ ଆଉ ସାନ ଝିଅ ପୁଙ୍ଗୀ ମହାକୁଡ଼ ଏବେ ଜୀବନ ଜୀବିକାର ଜଉ ଖୋଜୁଛନ୍ତି । ଭଉଣୀ ପାଇଁ ଭାଇ ଯାଇଛି ଦୂର ରାଇଜକୁ ଦାଦନ ଖଟି, ଭଉଣୀ ତା’ ବାଟକୁ ଚାହିଁ ବସିଛି ଆଉ ଭୋକର ଭଉଁରୀ ଭିତରେ ଚୁଲି ଜାଳୁଛି । ଯେଉଁଠି ଛେଳି ସେଇଠି ମଣିଷ, ଜୀବନ ଯନ୍ତ୍ରଣାର ମାନେ ହୁଏତ ୟାଠୁ ଦୟନୀୟ ଆଉ କିଛି ନହୋଇପାରେ । ପୁଙ୍ଗୀ ଯେଉଁ ଟୁଙ୍ଗି ତଳେ ମୁଣ୍ଡ ଗୁଞ୍ଜିଛି ତା’ ଚାରିପଟ ଭଙ୍ଗା ଟିଣ ଭଳି ତା’ ଭବିଷ୍ୟତ ଜଳଜଳ ଦିଶୁଛି । ଛପର ଛାତକୁ ଦେଖିବା ମାତ୍ରେ ଦିନରେ ସୂର୍ଯ୍ୟ ଆଉ ରାତିରେ ତାରା ଦିଶିବାର ସୌଭାଗ୍ୟ ଦେଇଛି ସମ୍ବେଦନ ହୀନ ସମୟ । ସରକାର ସିନା କେଇ କେଜି ଚାଉଳ ଦେଉଛନ୍ତି କିନ୍ତୁ ଖାଲି ଚାଉଳରେ କ’ଣ ଚଳିହେବ ?

ବିଡ଼ମ୍ବନାର ବିଷୟ, ସାନ ଭଉଣୀ ପୁଙ୍ଗୀ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ଏବେ ତା’ ପାଠପଢାରେ ହାତରେ ସମୟ ଧରାଇଦେଇଛି ଜୀବନ, ଯଞ୍ଜାଳ ଆଉ ଜାଳ । ସରକାରଙ୍କ ତରଫରୁ କେବଳ ରାସନ କାର୍ଡରେ ଚାଉଳ ଗଣ୍ଡାଏ ମିଳୁଥିବା ବେଳେ ସମ୍ବଳ କହିଲେ କେବଳ ସେତିକି । ବେସାହାରା ହୋଇ ଜୀବନ ବିତାଉଥିବା ଭାଇ ଭଉଣୀଙ୍କୁ ସରକାରୀ ସ୍ତରରେ ସୁବିଧା ସୁଯୋଗ ଯୋଗାଇ ଦେଲେ ଉଭୟ ପାଠ ଦି ଅକ୍ଷର ପଡି ଦୁନିଆ ଦାଣ୍ଡରେ ଚାଲିପାରନ୍ତେ । ଆଉ ଏମିତି ଗୁହାଳ ଘର ଦେଖି ଉଭୟଙ୍କ ପାଇଁ ପ୍ରଶାସନ ଯଦି ଘରଟିଏ ଦିଅନ୍ତା ଶାନ୍ତିରେ ଦିନ କାଟିପାରନ୍ତେ ଭାଇ-ଭଉଣୀ ।

ତେବେ ଏତେ ସବୁ ଯୋଜନା କାହା ପାଇଁ? ଗରିବ ବୋଲି ଖାଲି ଗୁହାରୀ କରିବେ ନା କ’ଣ? ଏପଟେ ସରକାରୀ ସହାୟତା ବାବଦରେ ଆମେ ପହଂଚିଥିଲୁ କପ୍ତିପଦା ବ୍ଲକ ସିଡିପିଓଙ୍କ ନିକଟରେ । ଭାଇ ଭଉଣୀ ଯେମିତି ପାଠ ପଢିପାରିବେ ଏବଂ ସରକାରୀ ସୁବିଧା ସବୁ ପାଇପାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦେଖାଯାଉ କେତେଦୂର କଥା ରଖୁଛନ୍ତି ମାଡାମ୍ । ଆମେ ଆଶା କରୁଛୁ, କନକ ନ୍ୟୁଜରେ ବାଜିଥିବା ଏହି ଖବର ପ୍ରଶାସନ ଓ ସରକାରଙ୍କ କାନରେ ପଡ଼ିବ । ଫୁଙ୍ଗୁଳା ପାଲ ତଳୁ ପାଠ ପଢ଼ିବାକୁ ସ୍ୱପ୍ନ ଦେଖୁଥିବା ପୁଙ୍ଗୀର ପେଟକଥା ସହ ଭବିଷ୍ୟତକୁ ଭରସା ଦେବେ ।