ନିଆଁ ପୋଡ଼ିଦେଇଛି ଶରୀର ,ହେଲେ ଭାଙ୍ଗିନାହାନ୍ତି ମନୋବଳ । ପିଲାଙ୍କୁ ଟ୍ୟୁସନ୍ କରି, ଦୋକାନ ଚଳାଇ ପୋଷୁଛନ୍ତି ପରିବାର ।

209

କନକ ବ୍ୟୁରୋ: କୁହାଯାଏ ନିଆଁ ପାଟିରେ ସବୁକିଛି ପୋଡ଼ି ପାଉଁଶ ହୋଇଯାଏ । ହେଲେ ଭୟଙ୍କର ଅଗ୍ନିର ଆଁରୁ ପୁନର୍ଜନ୍ମ ପାଇ ଏକ ନୂଆ ପରିଚୟ ସୃଷ୍ଟି କରିବା ହୁଏତ ଅନେକଙ୍କ ପାଖରେ ଅସମ୍ଭବ । ହେଲେ ଏମିତି ଜଣେ ଝିଅ ଯିଏ ନିଆଁକୁ ନାଲିଆଖି ଦେଖାଇ ସଂଘର୍ଷ କରି ସଫଳତାର ଏକ ପାହାଚ ଚଢ଼ିଛନ୍ତି, ଆଉ ତାଙ୍କ ଆତ୍ମବିଶ୍ୱାସ ଭରା ପ୍ରେରଣାଦାୟୀ କାହାଣୀ ଆଜି କନକ ନ୍ୟୁଜର କ୍ୟାମେରାରେ କଏଦ୍ ହୋଇଛି ।

ବାଲେଶ୍ୱର ମାଟିର ଶ୍ରାବଣୀ ଦାସ । ଆଜକୁ ଠିକ୍ ୩୦ ବର୍ଷ ତଳେ ସେ ଦଶମ ଶ୍ରେଣୀରେ ପଢୁଥିବାବେଳେ ବିଧାତା ରଚିଥିଲା ଅଗ୍ନିର ଆତଙ୍କ । ନିଆଁରେ ଶ୍ରାବଣୀଙ୍କ ଶରୀର ୯୦ ପ୍ରତିଶତ ପୋଡ଼ିଯାଇଥିଲେ ବି ଆତ୍ମବଳ ଆଗରେ ହାରମାନିଥିଲା ଅଗ୍ନି । ଆଉ ମୃତ୍ୟୁ ମୁହଁରୁ ଫେରିଆସିବା ପରେ ଶ୍ରାବଣୀ ନିଜ ଆତ୍ମବିଶ୍ୱାସକୁ ମଜବୁତ କଲେ । ମାଟ୍ରିକ୍ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ସହ ଇକୋନୋମିକ୍ସରେ ପିଜି କରି ଉଚ୍ଚଶିକ୍ଷିତା ବନିଲେ ।

ଶାରୀରିକ ଅକ୍ଷମତା ଆଗରେ ହାରିନାହାନ୍ତି ଶ୍ରାବଣୀ । ନିଜ ମନୋବଳକୁ ଦୃଢ କରି ପାଠ ପଢ଼ିବା ସହ ପରିବାର କଥା ବୁଝୁଛନ୍ତି । ଏକ ସଂସ୍ଥାର ସହାୟତାରେ ଛୋଟ ସଉଦା ଦୋକାନ ଚଳାଇବା ସହ ପିଲାଙ୍କୁ ଟ୍ୟୁସନ୍ କରି ଯାହା ରୋଜଗାର କରନ୍ତି ସେଥିରେ ନିଜ ଖର୍ଚ୍ଚ ସହ ବାପା ମାଆଙ୍କ କଥା ବୁଝୁଛନ୍ତି ଶ୍ରାବଣୀ । ଭାଗ୍ୟର ଭଉଁରୀ ଭିତରେ ଶ୍ରାବଣୀ ଅନେକ ସଂଘର୍ଷ କରିଛନ୍ତି । ଏଭଳି ଅଦମ୍ୟ ସାହସୀ ଝିଅଙ୍କୁ ମୁମ୍ବାଇର ଏକ ସ୍ୱେଚ୍ଛାସେବୀ ସଂଗଠନ ସମ୍ମାନିତ କରିବ । ସେଥିପାଇଁ ତାଙ୍କ ବିମାନ ଟିକେଟଠୁ ରହଣୀର ସବୁ ବନ୍ଦୋବସ୍ତ ସଂଗଠନ କରିଛନ୍ତି । ଶାରୀରିକ ଅକ୍ଷମତା ସତ୍ୱେ ସଫଳତା ପରେ ସଫଳତା ପାଇଛନ୍ତି ଶ୍ରାବଣୀ । ଭାଗ୍ୟକୁ ଦୋଷ ନଦେଇ ବର୍ତ୍ତମାନର ବାସ୍ତବତାକୁ ସାଥିରେ ନେଇ ଆଗକୁ ବଢ଼ି ଚାଲିଛନ୍ତି ଶ୍ରାବଣୀ ।

ଶ୍ରାବଣୀଙ୍କ ମା’ ଝିଅର ସଫଳତା ପାଇଁ ଖୁସି ହେଉଥିଲେ ବି ଝିଅକୁ ଦଇବ ଦେଇଥିବା ନିଆଁର ଦାଗକୁ ଭୁଲିପାରୁନାହାନ୍ତି । ମା’ ସାମ୍ନାରେ ଝିଅ ଶ୍ରାବଣୀ ସାହସୀ ପାଲଟି ବିଜୟିନୀ ବନିଯାଇଛି ସତ ହେଲେ କୋଉ ମା’ ତା’ ଝିଅର ଅଧାପୋଡ଼ା ଶରୀର ଦେଖି ମନକୁ ସମ୍ଭାଳିବ ଯେ’ । ବେଳେ ବେଳେ ବିଧାତାର ବିଚିତ୍ର ବିଧାନକୁ ଭାବି ଭାବି ଶ୍ରାବଣୀଙ୍କ ମା’ ଆଖିରୁ ଧାର ଧାର ଲୁହ ଝରାଇ ଦେଉଛନ୍ତି ।

ସତରେ ଶ୍ରାବଣୀ କେବଳ ବାଲେଶ୍ୱରବାସୀଙ୍କ ବିଶ୍ୱାସ ନୁହଁନ୍ତି ବରଂ ପ୍ରତିଟି ହାରିଯାଉଥିବା ମଣିଷର ମନୋବଳ, ଆତ୍ମବିଶ୍ୱାସର ଅନ୍ୟ ନାଁ, ସାହସର ସାକ୍ଷାତ ଦେବୀ, ନିଆଁକୁ ନାଲିଆଖି ଦେଖାଇ ନୂଆ ପରିଚୟ ସୃଷ୍ଟି କରିପାରିଥିବା ନାରୀରୂପରେ ସେ ସମସ୍ତଙ୍କ ପାଇଁ ନାରାୟଣୀ ।