ପୁଣି ମହାନତା ଦେଖାଇଲେ ସୋନୁ : ଗରିବ ଲୋକଙ୍କୁ ସାହାଯ୍ୟ ପାଇଁ ବନ୍ଧା ରଖିଲେ ନିଜ ସମ୍ପତ୍ତି

285

କନକ ବ୍ୟୁରୋ : ପୁଣି ନିଜ ମହାନତା ଦେଖାଇଲେ ସୋନୁ ସୁଦ୍ । ଗରିବଙ୍କୁ ସାହାଯ୍ୟ କରି ପୁଣି ମଣିଷପଣିଆର ପ୍ରମାଣ ଦେଇଛନ୍ତି ଗରିବଙ୍କ ଭଗବାନ । ଦିନେ ଅଧେ ନୁହେଁ ବରଂ ଗରିବଙ୍କ ପାଖରେ ସବୁଦିନ ପାଇଁ ଛିଡା ହେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ସାହାଯ୍ୟ କରିବା ସହ ସେମାନଙ୍କୁ ସାହାରା ବି ଦେବେ । ଗରିବ ଲୋକଙ୍କୁ ସାହାର୍ଯ୍ୟର ହାତ ବଢାଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ୍୍ । ଏବେ ଏଭଳି କାମ କରିଛନ୍ତି ଯାହା ତାଙ୍କୁ ଆହୁରି ମହାନ କରାଇ ଦେବ । ସୋନୁ ବେସାହାରା ଓ ଗରିବ ଲୋକଙ୍କ ସାହାଯ୍ୟ କରିବା ପାଇଁ ନିଜ ସମ୍ପତ୍ତି କୁ ବନ୍ଧା ପକାଇ ଦେଇଛନ୍ତି । ଯାହାର ମୂଲ୍ୟ ୧୦ କୋଟି ଟଙ୍କା ।

ସୋନୁ ! ଏହା କେବଳ ଗୋଟେ ନାଁ ହୋଇନାହିଁ । ଏହା ଏବେ ଗରିବଙ୍କ ଭାବନା ସହ ଜଡିତ ଗୋଟିଏ ଶବ୍ଦ । ଯେତେବେଳେ ବି କେହି ଅସୁବିଧାରେ ପଡି ସୋନୁଙ୍କୁ ମନେପକାନ୍ତି, ଶକ୍ତିମାନଙ୍କ ପରି ସଙ୍ଗସଙ୍ଗେ ପହଞ୍ଚି ତାଙ୍କୁ ସାହାଯ୍ୟ କରନ୍ତି ସୋନୁ । ଯାହା ତାଙ୍କ ଟ୍ୱିଟର ଦେଖିଲେ ଏହାର ପ୍ରମାଣ ମିଳିଯିବ । ହେଲେ ଏତେ ଲୋକଙ୍କୁ ସାହାଯ୍ୟ କରିବାକୁ ଯେତେବେଳେ ଅଧିକା ଟଙ୍କାର ଆବଶ୍ୟକ ହେଲା ସେତେବେଳେ ସୋନୁ ପଛକୁ ହଟି ନଥିଲେ । ଲୋକଙ୍କୁ ସାହାଯ୍ୟ କରିବାକୁ ନିଜର ଥିବା ସମ୍ପତ୍ତିକୁ ବନ୍ଧା ରଖି ଦେଲେ ସୋନୁ ।
ମୁମ୍ବାଇର ଜୁହୁରେ ଥିବା ତାଙ୍କର ୮ଟି ସମ୍ପତ୍ତିକୁ ବନ୍ଧା ରଖି ୧୦ କୋଟି ଟଙ୍କା ଯୋଗାଡ କରିଛନ୍ତି । ସୋନୁ ବନ୍ଧା ରଖିଥିବା ସମ୍ପତ୍ତି ଗୁଡିକ ମଧ୍ୟରେ ଦୁଇଟି ଦୋକାନ ଓ ଛଅଟି ଫ୍ଲାଟ ରହିଛି । ଏହି ଏଗ୍ରିମେଣ୍ଟ ସେପ୍ଟେମ୍ବର ୧୫ ତାରିଖରେ ହୋଇଥିଲା । ଆଉ ନଭେମ୍ବର ୨୪ରେ ଏହା ପଞ୍ଜିକୃତ ହୋଇଥିଲା । ତେବେ ଏହି ସମ୍ପତ୍ତି ବନ୍ଧା ରଖିବା ପାଇଁ ସେ ଯେଉଁ ରେଜିଷ୍ଟ୍ରେସନ କରିଥିଲେ । ସେଥିପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ପଡିଥିଲା । ସୋନୁ ସୁଦ ଅଗଷ୍ଟ ମାସରେ ଟ୍ୱିଟରରେ ଏକ ମେସେଜ କରିଥିଲେ । ସେ ଏଥିରେ ଲେଖିଥିଲେ, ସାହାଯ୍ୟ କରିବାକୁ ମୋ ପାଖକୁ ହଜାର ହଜାର ମେସେଜ ଆସୁଛି । ହେଲେ ସବୁ ଜାଗାରେ ପହଞ୍ଚି ସାହାଯ୍ୟ କରିବା ସମ୍ଭବ ହେଉନାହିଁ । ତଥାପି ଚେଷ୍ଟା ଜାରି ରହିଛି । ଆଉ ଯାହା ମେସେଜ ଦେଖି ହେଉନି ସେମାନଙ୍କୁ କ୍ଷମା ମାଗୁଛି ।
ତେବେ ଲକଡାଉନ ବେଳେ ପ୍ରବାସୀଙ୍କୁ ସାହାଯ୍ୟ କରି ଏହି ଅଭିଯାନ ଆରମ୍ଭ କରିଥିଲେ ସୋନୁ ସୁଦ । ବର୍ତ୍ତମାନ ଗରିବ ଅସହାୟ ଲୋକଙ୍କ ଚିକିତ୍ସା ସହ ସେ ପିଲାଙ୍କୁ ପାଠ ପଢାଇବାରେ ମଧ୍ୟ ସାହାଯ୍ୟ କରୁଛନ୍ତି । ସେଥିପାଇଁ ତାଙ୍କୁ ଶ୍ରମିକଙ୍କ ଭଗବାନ ବୋଲି କୁହାଯାଉଛି । ତାଙ୍କର ଏଭଳି କାମ ପାଇଁ କେହି ତାଙ୍କ ଫଟୋ ଅଟୋରେ ଲଗାଉଛନ୍ତି ତ ଆଉ କେହି ବାଇକରେ ତ ଆଉ କିଏ ତାଙ୍କ ଦୋକାନ ନାଁ ସୋନୁ ସୁଦ ରଖୁଛନ୍ତି । ସୋନୁ ଏବେ ଲୋକଙ୍କ ମନରେ ଏକ ଘର କରିଗଲେଣି ।