ବିଲରେ ଲାଗିଛି ଇଞ୍ଜିନିୟର ବ୍ରେନ୍ । ହାତରେ କିବୋର୍ଡ ନୁହେଁ ହାଇଟେକ୍ ଜ୍ଞାନକୌଶଳରେ କରୁଛନ୍ତି ହଳ । ତାଲାବନ୍ଦ ପାଇଁ ଗାଁକୁ ଫେରି ଚାଷୀ ପାଲଟିଛନ୍ତି ଦୁଇ ଇଞ୍ଜିନିୟର

896

କନକ ବ୍ୟୁରୋ: ମହାମାରୀ କରୋନା ଯେମିତି ରୂପ ବଦଳାଉଛି, ଠିକ ସେମିତି ମଣିଷକୁ ମଧ୍ୟ ବଦଳିବାକୁ ପଡୁଛି । କରୋନା ପାଇଁ କେଉଁଠି ମଣିଷ ବନ୍ଦୀ ରହିଛି ତ କେଉଁଠି ଜୀବନ ଜିଇଁବା ପାଇଁ ସଂଘର୍ଷର ପରିଭାଷା ବଦଳାଉଛି । ସମ୍ବଲପୁରର ଦୁଇ ଜଣ ଉଚ୍ଚ ଶିକ୍ଷିତ ଯୁବକ ଏବେ ପାଲଟିଛନ୍ତି ଚାଷୀ ।

ପେଶାରେ ଆଇଟି କନସଲଟାଂଟ୍ । ରାଜଧାନୀ ଭୁବନେଶ୍ୱରରେ ଚାକିରି କରନ୍ତି । ହେଲେ ବର୍ତ୍ତମାନ ବିଲରେ ଚାଲିଛି ଚାଷ କାମ । ଧାନ ଅମଳ ପାଇଁ ନିଜେ ମେସିନ ଚଳାଉଛନ୍ତି । ତାହା ପୁଣି ଦିନକୁ ୧୨ ଘଂଟା । ସାଙ୍ଗରେ କେହି ଅଭିଜ୍ଞ ଶ୍ରମିକ ବି ନାହାନ୍ତି । ଲକଡାଉନ ପାଇଁ ମେସିନ ଚାଳକ ବାହାରୁ ଆସିପାରୁନାହାଁନ୍ତି । ତେଣୁ ନିଜେ ମେସିନ ଚଳାଇ ଧାନ ଅମଳ କରୁଛନ୍ତି ସମ୍ବଲପୁର ଚାଉଁରପୁରର ଜିବି ରାଓ ।

ହାଇଦ୍ରାବାଦରେ ଇଂଜିନିୟର ଭାବେ କାମ କରୁଥିବା ଜିଏମକେ ରାଓ ମଧ୍ୟ ଏବେ ବିଲରେ କାମ କରୁଛନ୍ତି । ଲକଡାଉନ ଯୋଗୁଁ ଘରେ ଥିବାରୁ ଚାଷ କାମରେ ନିଜ କାକାଙ୍କୁ ସହଯୋଗ କରୁଛନ୍ତି । ମେସିନ ଚଳାଇ ଧାନ ଅମଳ କରୁଛନ୍ତି । ଓୟୁଏଟିରେ ଥିବାବେଳେ କୃଷି ଯନ୍ତ୍ରପାତି ପ୍ରତି ଦୁର୍ବଳତା ଥିବାରୁ କିଛି ମାତ୍ରାରେ ମେସିନ ଚଳାଇବା ଶିଖିଥିଲେ । ଯାହା ଏବେ ତାଙ୍କ ପାଇଁ କାମରେ ଆସିଛି । ..

ଲକଡାଉନ କେବେ ଖୋଲିବ କାହା ପାଖରେ ଖବର ନାହିଁ । ମେସିନ ଚାଳକ କେବେ ଓଡିଶା ଆସିବେ ସେତେବେଳ ଯାଏ ନେଡିଗୁଡ କହୁଣୀକୁ ବହିଯାଇଥିବ । ତେବେ ବିଲରେ ସୁନାର ଫସଲ ଦେଖି ଚାଷୀ ପରିବାର ହୋଇଥିବାରୁ ନିଜ କାମ ନିଜେ କରିବା ପାଇଁ ଅଂଟା ଭିଡିଛନ୍ତି ଯୁବ ଇଞ୍ଜିନିୟର ।