କାକଟପୁର ମା’ ମଙ୍ଗଳାଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଦାବି କଲେ ପୂଜକ । ବିଜ୍ଞାନ ଶିକ୍ଷକ କହିଲେ ବୈଜ୍ଞାନିକ କାରଣ ।

901

କନକ ବ୍ୟୁରୋ: କାକଟପୁର ଅଧିଷ୍ଟାତ୍ରୀ ମା’ ମଙ୍ଗଳାଙ୍କ ଅଲୌକିକତାକୁ ନେଇ ଅନେକ କିମ୍ବନ୍ଦନ୍ତୀ ରହିଛି । ପାଷାଣ ରୂପରେ ପୂଜା ପାଉଥିବା ମା’ଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ମାନସିକ ପୂରଣ ଧାଇଁ ଆସନ୍ତି ଭକ୍ତ । ସେହି ମା’ଙ୍କ ମନ୍ଦିରରୁ ଆସିଛି ଆଶ୍ଚର୍ଯ୍ୟ ଓ ଅଲୌକିକ ଦୃଶ୍ୟ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମା’ଙ୍କ ପ୍ରତିମାରୁ ବିନ୍ଦୁ ବିନ୍ଦୁ ଝାଳ ବାହାରୁଥିବା ଘଟଣା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉକ୍ରଣ୍ଠା ବଢ଼ାଦେଇଛି ।

କିମ୍ବନ୍ଦନ୍ତୀରେ କଥାଟିଏ ଅଛି । ‘ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂରେ’ । ଅର୍ଥାତ୍ ମନରେ ବିଶ୍ୱାସ ଥିଲେ ହିଁ ଆମେ ଇଶ୍ୱରପ୍ରାପ୍ତି ହୋଇପାରିବା, ତର୍କ କଲେ ଭଗବାନଙ୍କ ସାନିଧ୍ୟତା ମିଳିପାରିବନି । ସେଥିପାଇଁ କାକଟପୁର ମା’ ମଙ୍ଗଳାଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ରହିଥାଏ । ମା’ଙ୍କ ପ୍ରିୟ ପର୍ବ ଝାମୁଯାତ୍ରାରେ ବିଶେଷ କରି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବି ମନ୍ଦିର ଭିତରେ ଅସହ୍ୟ ଗରମ ଅନୁଭୂତ ହୁଏ । ଆଉ ଏତିକିବେଳେ ମା’ଙ୍କ ପାଷାଣ ପ୍ରତିମାରୁ ବିନ୍ଦୁ ବିନ୍ଦୁ ଝାଳ ବାହାରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପୂଜକ ଓ ଶ୍ରଦ୍ଧାଳୁ ।

ସକାଳ ହେବା କ୍ଷଣି ମା’ଙ୍କ ଦିବ୍ୟ ସ୍ନାନ ପୂର୍ବରୁ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ମାନବ ଶରୀର ଭଳି ମା’ ପିନ୍ଧୁଥିବା ବସ୍ତ୍ର ସବୁ ଗମ ଗମ ଝାଳରେ ଓଦା ହୋଇଯାଇଥାଏ । ସତେ ଯେମିତି ସାକ୍ଷାତ ମା’ ପାଷାଣ ପ୍ରତିମା ଭିତରେ ବିରାଜମାନ କରିଥାନ୍ତି । ମନ୍ଦିର ଗର୍ଭଗୃହରେ ମା’ଙ୍କ ଏହି ଝାଳରେ ଓଦାଥିବା ବସ୍ତ୍ରମାନ ମହକୁ ଥାଏ ବୋଲି ପୂଜକମାନେ ଭାବୁକ ହୋଇ ବଖାଣିଛନ୍ତି ।

ସେହିପରି ଆଉ ଏକ ଚକିତ କଲା ଭଳି ଘଟଣା ହେଉଛି ଯେ, ମା ମଙ୍ଗଳାଙ୍କ ବିଶ୍ରାମ ଶିଳା । ବିଶ୍ୱାସ ରହିଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ମା’ ହେଉଛନ୍ତି ମଙ୍ଗଳା ମା’ । ତେଣୁ ପ୍ରତିଦିନ ପୁଅକୁ ଦେଖିବା ପାଇଁ ପୁରୀକୁ ଯାଇଥାନ୍ତି ଆଉ ଶ୍ରୀମନ୍ଦିରରୁ ଫେରିବା ପରେ କାକଟପୁର ମନ୍ଦିରର ବିଶ୍ରାମ ଶିଳାରେ ଥକା ମେଣ୍ଟାଇଥାନ୍ତି ମଙ୍ଗଳା ମା’ । ତେଣୁ ବିଶ୍ରାମଶିଳାଟି ବସିବା ଢ଼ାଞ୍ଚାରେ ଦିନକୁ ଦିନ ଗଭୀର ହୋଇଯାଉଛି ବୋଲି ଦେଖିବାକୁ ମିଳିଛି ।

ଏପଟେ ମଙ୍ଗଳାଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଖବରକୁ ନେଇ ବିଶ୍ୱାସ ନୁହେଁ ବୈଜ୍ଞାନିକ କାରଣ ରହିଛି ବୋଲି ସ୍ଥାନୀୟ ବିଜ୍ଞାନ ଶିକ୍ଷକ କହିଛନ୍ତି । ପଦାର୍ଥ ଓ ଜଳବାୟୁକୁ ନେଇ ଏହାର ସମ୍ପର୍କ ରହିଥିବା ମତ ପ୍ରକାଶ କରିଛନ୍ତି ବିଜ୍ଞାନ ଶିକ୍ଷକ ।

ଗୋଟିଏ ପଟେ ବିଶ୍ୱାସ ଅନ୍ୟପଟେ ବିଜ୍ଞାନ । ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡ଼ିତ ଥିବା କାକଟପୁର ମା’ ମଙ୍ଗଳାଙ୍କ ଅନେକ ମହିମା ରହିଛି ବୋଲି ବିଶ୍ୱାସ । କିନ୍ତୁ ମା’ଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଖବର ଏବେ ବିଶ୍ୱାସ ଓ ବିଜ୍ଞାନ ମଝିରେ ଛିଡ଼ା ହୋଇଛି ।