ଭୋଟ୍ ଦେବା କିନ୍ତୁ ଭାଇଚାରା ଭାଙ୍ଗିବାନି । ନିର୍ବାଚନକୁ ହଁ କରିବା ନିର୍ବାଚନୀ ହିଂସାକୁ ନା କହିବା ।

167

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ରାଜନୀତିର ରଙ୍ଗମଞ୍ଚରୁ ନିଜ ନିଜର ଅଭିନୟ ସାରି ନେତା ବାହୁଡ଼ିଯିବେ, ରଙ୍ଗୀନ ହୋଇଥିବା କାନ୍ଥବାଡ଼ରୁ ବି ପଲିଟିକ୍ସର ପୋଷ୍ଟର ଚିରିଯିବ, ସକାଳୁ ସଞ୍ଜ କାନରେ ଆଉ ପଡ଼ିବନି ମା’ ମାଉସୀ ଡାକ । ଅଦିନିଆ କଳାବାଦଲ ପରି ନେତା ବି କୁଆଡେ ଉଭାନ ହୋଇଯିବେ, ହେଲେ ଭୋଟ୍ ବେଳେ ଭାଙ୍ଗିଯାଉଥିବା ଭାଇଚାରା, ବାଟବଣା ହେଉଥିବା ବନ୍ଧୁତା, ସାହି ପଡ଼ିଶାରେ ସୃଷ୍ଟି ହୋଇଥିବା ଶତ୍ରୁତା, ନିଜ ନିଜ ରକ୍ତଭିତରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏସବୁ ଭିତରେ ଆପଣ ଥରେ ନିଜ ମନକୁ ପଚାରିଛନ୍ତି କି? ନିର୍ବାଚନୀ ହିଂସା, ଗଣ୍ଡଗୋଳ କାହିଁକି ହେଉଛି, ଉତ୍ତେଜନା ପଛର କାରଣ କଣ?

ରାଜନୀତିର ପରିଭାଷା ନିର୍ବାଚନୀ ହିଂସାରେ ବଦଳିବାରେ ଲାଗୁଛି କିନ୍ତୁ ମତଦାତା ବୋଧେ ଭୁଲି ଯାଉଛନ୍ତି ଏସବୁର ରେଜଲ୍ଟ ରାଜନୀତିକୁ ପ୍ରଭାବିତ କରେନି । କାରଣ ନିର୍ବାଚନ ଆସିଲେ ଦେଖାଦିଅନ୍ତି ନେତା, ମତଦାନ ପୂର୍ବରୁ ମିଳେ ୫ ବର୍ଷର ପୁଳାପୁଳା ପ୍ରତିଶ୍ରୁତି । ଗାଁଠୁ ଗଳିକନ୍ଦି, ସହରରୁ ଛକବଜାର, ଭୋଟ୍ ବେଳେ ଭାରି ଭିଡ଼ ଦେଖିବାକୁ ମିଳିଥାଏ । ଆଜି ଯେଉଁ ନେତା ଆପଣଙ୍କ ପାଦ ଧୋଇ ଦେଉଛନ୍ତି ବୋଧ୍ ହୁଏ ସେ ଜିତିବା ପରେ ଆପଣଙ୍କ ଦୁଆରେ ପାଦ ପକାଇବାକୁ ବି ଭୁଲିଯିବେ, କିନ୍ତୁ ଆପଣଙ୍କ ପରିବାର, ପଡ଼ୋଶୀ ସବୁବେଳେ ସାଥିରେ ଥିବେ । ଭାଇଚାରା ଭିତରେ ଭୋଟକୁ ଏକ ପର୍ବ ଭଳି ଯଦି ପାଳନ କରୁଛେ ତେବେ ଏତେ ହଣାକଟା କାହିଁକି? ଏତେ ମାନଅଭିମାନ କାହିଁକି, ନେତା ବାଛିବାର ଅଧିକାର ପାଇଛେ କିନ୍ତୁ କାହାର ଜୀବନ ନେବାର କୌଣସି ବି ଅଧିକାର ନାହିଁ?

ନିର୍ବାଚନ ଋତୁରେ ପ୍ରାର୍ଥୀମାନେ ପ୍ରତିଶ୍ରୁତିର ପୁଡ଼ିଆ ବାଣ୍ଟିଥାନ୍ତି । ଅନେକ ସମୟରେ ସେହି ପ୍ରତିଶ୍ରୁତି ଗୁଡ଼ିକ କେବଳ ପୁଡ଼ିଆରେ ହିଁ ରହିଯାଏ । ହେଲେ ଆମେ ତ ଭୋଟର ଆମକୁ ଯେଉଁଠି ଫାଇଦା ମିଳିବ ଆମେ ସିଆଡେ ଢ଼ଳିଯିବା । ଏବେର ରାଜନୀତି କେମିତି ହେଉଛି ତାହା ଚା’ଖଟିର ଚର୍ଚ୍ଚାଠୁ ନ୍ୟୁଜର ହେଡଲାଇନ ଯାଏଁ ଆପଣ ଅନୁଭବ କରିପାରୁଥିବେ ନିଶ୍ଚୟ । ହେଲେ ନେତାଙ୍କ ଭାଗ୍ୟ ପରୀକ୍ଷାରେ ଜନତା ନିଜ ସମ୍ପର୍କର ପରୀକ୍ଷା ଦେବା ଠିକ୍ କି? ଭଲ ପ୍ରାର୍ଥୀକୁ ବାଛିବାବେଳେ ନିଜର ଭାଇଚାରାକୁ ଭୁଲିଯିବା ଉଚିତ୍ କି?

ନିର୍ବାଚନ ! ମତଦାନ ନଦୀରେ ଆସୁଥିବା ବଢ଼ିପାଣିର ସୁଅ ଭଳି… କିନ୍ତୁ ଆମ ପରିବାର, ଆମ ସାହି ପଡ଼ିଶା, ସବୁଦିନିଆ ବରଗଛର ଛାଇ ଭଳି । ଯଦି ନିର୍ବାଚନ ଏକ ପର୍ବ ଭଳି ପାଳନ କରାଯାଉଛି ତେବେ ଆମେ କ’ଣ ଏହି ପର୍ବପର୍ବାଣିରେ ରକ୍ତପାତ, ହିଂସାକାଣ୍ଡ କରିବା କି? ଭାରତ ଭଳି ଭାଇଚାରା ଦେଶରେ ହିଂସାର କୌଣସି ସ୍ଥାନ ନାହିଁ ଆମ୍ଭେମାନେ ଜାଣିକି ବି ଛୋଟ ଛୋଟ କଥାରେ ଉତ୍ତେଜିତ ହୋଇ ସାମାନ୍ୟ ନେତାଙ୍କ ପାଇଁ ମାରପିଟ୍ ହେବା କେତେଦୂର ଠିକ୍?

ଥରେ ଭାବନ୍ତୁ ଆପଣଙ୍କ ଆକ୍ରୋଶର ଶିକାର କାହାର ସର୍ବନାଶ ବି କରିପାରେ, ଭୋଟ୍ ଆମେ ଦେବା ନେତା ବି ଆମେ ବାଛିବା କିନ୍ତୁ ମତଦାନ ବେଳେ ମନମାଳିନ୍ୟ ଆଉ ପ୍ରାକ୍ , ପରବର୍ତ୍ତୀ ନିର୍ବାଚନୀ ହିଂସା ନହେଉ ସେଥିପାଇଁ ଆମକୁ ଶପଥ ନେବାକୁ ହେବ । ନିର୍ବାଚନ, ନେତା, ଯିବେ ଆସିବେ କିନ୍ତୁ ହାତରୁ ବାହାରିଯାଇଥିବା ତୀରଟି ଆଉ ଫେରିବନି, କି ନିଜ ରାଗରୁଷାରୁ କାହା ଜୀବନ ଚାଲିଗଲେ ସେ ମଧ୍ୟ ଆଉ ଫେରିବନି । ଜଣେ ମତଦାତାର ମନକଥା ବୁଝି ନେଡି ଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ଆମକୁ ବୁଝିବାକୁ ପଡ଼ିବ । ହେ ଜନତା, ହେ ମତଦାତା… ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ…