କନକ ବ୍ୟୁରୋ: ଯେଉଁଠି ପ୍ରକୃତି ପାଣିର ଢ଼େଉ ସାଙ୍ଗେ ଅଳସ ଭାଙ୍ଗେ, ବନାନୀ ସବୁଜିମା ଭରା ପର୍ବତ କୋଳରୁ ପଶୁପକ୍ଷୀଙ୍କ କାକଳୀ ଶୁଭେ, ତାହା ହିଁ ରାଞ୍ଜାକୁମ୍ପାର ପରିଚୟ । ଏପଟେ ନଦୀ ସେପଟେ ଗାଁ, ଆଉ ଗାଁ ଚାରିପଟେ ଘେରି ରହିଛି ଘଞ୍ଚ ଜଙ୍ଗଲ । ଆଉ ଏଠି ବସବାସ କରନ୍ତି ୧୦ ଟି ପରିବାର, ବର୍ଷ ବର୍ଷ ଧରି ଜୀବନ-ଜୀବିକା ପାଇଁ ସରକାର ଏମାନଙ୍କୁ ଶିଖାଦେଇଛନ୍ତି ଜଳକ୍ରୀଡ଼ା ।
କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ବଲସକୁମ୍ପା ପଂଚାୟତରେ ରହିଛି ରାଞ୍ଜାକୁମ୍ପା ଗାଁ । ଏହି ଗାଁର ୩ ପାଖକୁ ଘେରୀ ରହିଛି ପିଲାସାଲୁଙ୍କି ଘାଇ । ଆରପଟେ ଥିବା ଘଞ୍ଚ ଜଙ୍ଗଲ ଯୋଗୁଁ ଗାଁରୁ ପଂଚାୟତକୁ ଏକୁଟିଆ ଯିବା କରୁଛି କଷ୍ଟକର । ନଦୀ ଆରପଟେ ଥିବା ସୁବିଧା ପାଇବାକୁ ହେଲେ ପ୍ରତିଦିନ ନିଜେ ନାଉରୀ ସାଜନ୍ତି ଆଉ ଡଙ୍ଗାଯାତ୍ରା କରନ୍ତିା । ବଲସକୁମ୍ପା ପଂଚାୟତରୁ ସରକାରୀ ସହାୟତା ପାଇବାକୁ ହେଲେ ଏହି ଘାଇର ୮ କିଲୋମିଟର ଡେଇଁ ଯିବାକୁ ପଡେ । ସେଥିପାଇଁ ରାଞ୍ଜାକୁମ୍ପା ଗାଁ ଲୋକେ ଡଙ୍ଗା ଉପରେ ଭରସା କରନ୍ତି । କେବଳ ଟିକିଏ ସରକାରୀ ସୁବିଧା ପାଇଁ ଘରଠୁ ଜରାଜୀର୍ଣ୍ଣ ରାସ୍ତାରେ ମୁଣ୍ଡରେ ମହଣ ମହଣ ଜିନିଷ ଧରି ଡଙ୍ଗାରେ ଜଳଯାତ୍ରା କରୁଛନ୍ତି । କେବଳ ପୁରୁଷ ନୁହେଁ ବରଂ ମହିଳାମାନେ ନାବିକ ସାଜି ପାଣିର ପ୍ରଖର ସୁଅକୁ କାଟି ସେପାରିକୁ ଯାଉଛନ୍ତି ।
ଖାଲି ସରକାରୀ ସୁବିଧା ସମସ୍ୟା ନୁହେଁ ବରଂ ମୌଳିକ ସୁବିଧା ବି ରାଞ୍ଜାକୁମ୍ପା ପାଇଁ ସାତସପନ । ଗାଁରେ ଖଣ୍ଡେ ଅଙ୍ଗନବାଡି ନଥିବାରୁ ପିଲାମାନଙ୍କୁ ଡଙ୍ଗାରେ ନେଇ ଛନ୍ଦୁରୁପଦର ଅଙ୍ଗନବାଡିକେନ୍ଦ୍ରକୁ ଯାଆନ୍ତି ତାଙ୍କ ମାଆ । କେବଳ ସରକାରଙ୍କ ଯୋଜନା ପାଖରେ ପହଁଚିବା ପାଇଁ ରାଞ୍ଜାକୁମ୍ପା ପାଇଁ ଋଣ କରି ଏକ ଡଙ୍ଗା କିଣିଛନ୍ତି ଆଉ ନିଜେ ସାଜିଛନ୍ତି ନାଉରିଆ । ପିଲା ହେଉ କି ବୁଢା, ସ୍ତ୍ରୀ ହେଉକି ପୁରୁଷ ନିଜେ ଚଳାଇ ଘାଇରେ ଯିବା ଆସିବା କରନ୍ତି । ନଳକୂଅ ଅଛି କିନ୍ତୁ ଗୋଳି ପାଣି ବାହାରିବାରୁ ବ୍ୟବହାର ଉପଯୋଗୀ ନୁହେଁ । ଆଉ ଖରାଦିନେ ସେତିକ ବି ସମ୍ଭବ ନୁହେଁ । ଦେହ ଖରାପ ହେଉ କି ଗର୍ଭବତୀ ମା, ମେଡିକାଲ ଯିବା ପାଇଁ ବି ଏହି ଡଙ୍ଗା ହିଁ ତାଙ୍କ ପାଇଁ ସତେ ଯେମିତି ୧୦୮ ଆମ୍ବୁଲାନ୍ସ ।
ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା । ବ୍ଲକରୁ ପଂଚାୟତ ଓ ରାଜନେତାଙ୍କ ପାଖକୁ ଯାଇ ରାଞ୍ଜାକୁମ୍ପାର ରଡ଼ି ଶୁଣାଇଛନ୍ତି ଗ୍ରାମବସୀ କିନ୍ତୁ ଫଳଶୂନ । ସରକାର ଜଙ୍ଗଲ ରାସ୍ତାକୁ ସାଫା କରି ରାସ୍ତା ଖଣ୍ଡେ କରିପାରଥାନ୍ତେ କିନ୍ତୁ ଆନ୍ତରିିକତା ଅଭାବରୁ ଏବେ ବି ଅବହେଳିତ ଏହି ରାଞ୍ଜାକୁମ୍ପା । ଗାଁ ରେ ୧୦ ଟି ପରିବାର ଲୋକସଂଖ୍ୟ ୫୦ ହେଲେ ମଧ୍ୟ ଏମାନଙ୍କର ବି ଜୀବନ ଅଛି, ବଞ୍ଚିବା ପାଇଁ ଅଧିକାଂଶ ଚାଷ ଓ ଜଙ୍ଗଲ ଉପରେ ନିର୍ଭର କରନ୍ତି । ଏଭଳି ମନମୋହୁଥିବା ଗାଁ ଓଡ଼ିଶା ପ୍ରଦେଶରେ ହୁଏତ ଖୁବ୍ କମ୍ ଦେଖିବାକୁ ମିଳେ, ଏଠାକାର ଆଖି ଲାଖିଯାଉଥିବା ପରିବେଶ ପଛରେ ରାଞ୍ଜାକୁମ୍ପା ଗ୍ରାମବାସୀଙ୍କର ବି ଅନେକ ଅବଦାନ ରିଛି । ତେବେ ପ୍ରଶ୍ନ ଉଠୁଛି! କ’ଣ ଅଳ୍ପ ସଂଖ୍ୟକ ଲୋକ ଏଠି ବସବାସ କରୁଛନ୍ତି ବୋଲି ସେମାନଙ୍କ କଥା କ’ଣ ସରକାର ଚିନ୍ତା କରିବେନି କି? ନା ସ୍ୱାଧିନ ଭାରତରେ ଏମିତି ଆଗାମି ଭବିଷ୍ୟତ ଯାଏଁ ସେମାନେ ପରାଧିନ ହୋଇ ରହିବେ? ଆମେ ଆଶା କରୁଛୁ ରାଜ୍ୟ ସରକାର ରାଞ୍ଜାକୁମ୍ପାର କାହାଣୀ ଶୁଣିବେ ଆଉ ନିଶ୍ଚୟ ସରକାରୀ ଯୋଜନାକୁ ପହଁଚାଇବା ସହ ଲୋକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/9-20.jpg)