ଗୋରୁ ଗୁହାଳରେ ରାଜମହଲର ରାଜନନ୍ଦିନୀ । ଗୋରୁଗାଈଙ୍କ ସେବା କରୁଛନ୍ତି, ପଶୁ ପ୍ରେମରେ ଜୀବନ ବିତାଉଛନ୍ତି ।

Advertisment
ଗୋରୁ ଗୁହାଳରେ ରାଜମହଲର ରାଜନନ୍ଦିନୀ । ଗୋରୁଗାଈଙ୍କ ସେବା କରୁଛନ୍ତି, ପଶୁ ପ୍ରେମରେ ଜୀବନ ବିତାଉଛନ୍ତି ।

କନକ ବ୍ୟୁରୋ: ତାଙ୍କୁ ବାନ୍ଧି ପାରିନି ରାଜମହଲର ସୁଖ । କି ବାନ୍ଧିପାରିନି ଅଚଳାଅଚଳ ଧନସମ୍ପତି । ଯାହାଙ୍କ ସେବା ପାଇଁ ଆଜି ରାଜମହଲରେ ଦାସୀମାନେ ଥାନ୍ତେ, ସେବା ପାଇ ଯାହାଙ୍କ ପାଦ ଆଜି ତଳେ ଲାଗୁ ନଥାନ୍ତା । ସିଏ କିନ୍ତୁ ଆଜି ନିଜ ଜୀବନକୁ ସମର୍ପି ଦେଇଛନ୍ତି ପଶୁଙ୍କ ସେବାରେ । ଗୋମାତାଙ୍କ ଯତ୍ନ ନେବାରେ... ଗୋରୁ ଗାଈଙ୍କ ସେବାରେ କଟୁଛି ରାଜାଘରର ରାଜନନ୍ଦିନୀଙ୍କ ଦିନ । ଆଉ ରାଜପ୍ରାସାଦରେ ନୁହେଁ ଗୁହାଳଘରେ ଗୋରୁଙ୍କ ସେବା କରି ସେ ପାଉଛନ୍ତି ଖୁସି ।

ଇଏ ହେଉଛନ୍ତି ବଣେଇର ପୂର୍ବତନ ରାଜା ସ୍ୱର୍ଗତ କଦମ୍ବ କେଶରୀ ଚନ୍ଦ୍ରଦେଓଙ୍କ ଝିଆରୀ ଚିନ୍ମୟୀ ଦେଓ । ସେ ରାଜାଘରର ଝିଅ ସତ କିନ୍ତୁ ସେ କେବେ ବି ରାଜ ପରିବାର ଭିତରେ ନିଜକୁ ସୀମିତ କରି ରଖି ନାହାନ୍ତି । ବରଂ ଗୋବର ଉଠାଇବା ଠାରୁ ଆରମ୍ଭ କରି ଗୋରୁଙ୍କ ଦେହର କ୍ଷତରେ ମଲମ ମାରି ସେବା କରିବାକୁ ସେ ଭଲପାଆନ୍ତି । ଅଜା ସ୍ବର୍ଗତ ଦୁର୍ଗାମାଧବ ସିଂହଦେଓ କଳାହାଣ୍ଡି ମଦନପୁର ରାମପୁରର ରାଜା ଥିଲେ । ପିଲାବେଳୁ ରାଜ ପରିବାରର ଚାକଚକ୍ୟରେ ବଢ଼ିଥିଲେ ଚିନ୍ମୟୀ । କିନ୍ତୁ ମାଙ୍କ ଠାରୁ ପୁରାଣ ଶାସ୍ତ୍ର ଶୁଣିବା ବେଳେ ସେବା ମନୋଭାବ ତାଙ୍କ ଭିତରେ ଜାଗ୍ରତ ହୋଇଥିଲା । ବଣେଇରେ ତାଙ୍କ ଜେଜେ ୫୮୫ ଏକର ଜମିରେ ରାଜ ପରିବାରର ଏକ ଗୋଶାଳା‌ କରିଥିବା ବେଳେ ସେଠାରେ ନିଜ ମାଙ୍କୁ ଗୋମାତାଙ୍କ ସେବା କରିବା ଦେଖି ସେ ବି ଏହାର ଆକର୍ଷଣରେ ପଡ଼ିଥିଲେ। ପିଲାବେଳେ ଚିନ୍ମୟୀ କେବେକେବେ ଗାଈମାନଙ୍କୁ ଛଣ ଖାଇବାକୁ ଦିଅନ୍ତି । ତ କେବେ ବାଛୁରୀକୁ କୋଳେଇ ନେଇ ସ୍ନେହରେ ବାନ୍ଧି ରଖନ୍ତି ।

ପିଲାଦିନେ ବୁଲାଗାଈଗୋରୁଙ୍କ ସେବା ପାଇଁ ସେ ବାପାଙ୍କ ମାଧ୍ୟମରେ ମଲମ ମଗାଇ ସେମାନଙ୍କ ସେବା କରନ୍ତି । ଯଦିଓ ବଣେଇରେ ଚିନ୍ମୟୀଙ୍କ ଘର ହେଲେ ସେ ପୁରୀ ସ୍ୱର୍ଗଦ୍ୱାର ନିକଟରେ ପିଲାବେଳୁ ବଢି ଆସିଛନ୍ତି । ବୁଲା ଗୋରୁ, ଗାଈ, ଷଣ୍ଢ ଏବଂ ପଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ତାଙ୍କ ଉପରେ ଲୋକେ ଗରମ ପାଣି ଢାଳି ଦେଉଥିବା ଘଟଣା ତାଙ୍କୁ ବ୍ୟଥିତ କରିଥିଲା ଆଉ ସେ ରାଜଉଆସର ସୁଖ ଛାଡି ସେମାନଙ୍କ ସେବା କରିବାକୁ ନିଜକୁ ପ୍ରସ୍ତୁତ କରିଥିଲେ ।

ଦିନେ ଶଙ୍କରାଚାର୍ଯ୍ୟଙ୍କ ମଠରେ ଗୋସେବା କରୁଥିବା ଚିନ୍ମୟୀ ପରବର୍ତ୍ତୀ ସମୟରେ ଶ୍ରୀ ଜଗନ୍ନାଥ ଗୋସେବା ସଂସ୍ଥାନମରେ ଘାଘଉଡ ଗୋରୁ ଗାଈଙ୍କ ସେବା କରିବା ସବ ସେମାନଙ୍କୁ ସ୍ନେହ କରି ଆସୁଛନ୍ତି । ସତରେ ରାଜଘରର ରାଜକୁମାରୀଙ୍କ ଏ ସେବା ମନୋବୃତି ସମସ୍ତଙ୍କୁ ପଶୁପ୍ରେମ ପାଇଁ ପ୍ରେରଣା ଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe