କନକ ବ୍ୟୁରୋ: ପୁଲୱାମା ହମଲାକୁ ପାଂଚ ଦିନ ବିତିବା ପରେ ମୁହଁ ଖୋଲିଥିଲେ ପାକ୍ ପ୍ରଧାନମନ୍ତ୍ରୀ । ପାଂଚ ଦିନରେ ସହିଦ ହୋଇଥିଲେ ୪୬ ଜଣ ଯବାନ । ସାରାଦେଶ ସହିଦଙ୍କ ସମ୍ମାନରେ ଏକାଠି ହୋଇଥିଲେ । ଦୁଃଖ ଯେତିକି, ଗର୍ବ ସେତିକି, ଆଉ ରାଗ ବି ସେତିକି ବଢିବାରେ ଲାଗିଥିଲା । ପାକିସ୍ତାନକୁ ଜବାବ ଦେବାପାଇଁ ଗୋଟିଏ ସ୍ୱରରେ ଆହ୍ୱାନ ଦେଇଥିଲେ ଅନେକ ବଡ ବଡ ଦେଶ । ଆଉ ଏତିକିବେଳେ ସାମ୍ନାକୁ ଆସିଥିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତବ୍ୟ । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ମାଗିଥିଲେ ପ୍ରମାଣ । ନିଜ ମାଟିରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇଆସୁଥିବା ବେଳେ, ପ୍ରମାଣ ମିଳିଲେ କାର୍ୟ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ପାକ୍ ପ୍ରଧାନମନ୍ତ୍ରୀ ।

Advertisment

ପାକିସ୍ତାନର ବାହାୱଲପୁରରେ ରହୁଛି ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହର । ପାକ୍ ଆର୍ମି ହେଡକ୍ୱାର୍ଟରରୁ ମାତ୍ର ୮ରୁ ୯ କିଲୋମିଟର ଦୂରରେ ରହିଛି ଜୈସର ମୁଖ୍ୟାଳୟ ଜାମିଆ ସୁଭାନ ଆଲ୍ଲା । ତାରି ଇସାରାରେ ଭାରତ ମାଟିରେ ହେଉଛି ଗୋଟିଏ ପରେ ଗୋଟିଏ ଆତଙ୍କୀ ହମଲା । ତଥାପି ପାକିସ୍ତାନର ସଂପୃକ୍ତି ନେଇ ପ୍ରମାଣ ମାଗୁଥିଲେ ଇମ୍ରାନ ଖାନ୍ । ବଡକଥା ହେଉଛି ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଅଜମଲ କସାବକୁ ଜୀବତ ଧରି ପାକିସ୍ତାନ ସଂପୃକ୍ତିର ସବୁଠାରୁ ବଡ ପ୍ରମାଣ ଦେଇଥିଲା ଭାରତ । ଉରି, ପଠାନକୋଟ୍ ଆକ୍ରମଣ ପରେ ବିଭିନ୍ନ ଫୋରମରେ ବାରମ୍ବାର ପାକ୍ ପ୍ରାୟୋଜିତ ଆତଙ୍କୀ ହମଲାର ପ୍ରମାଣ ଦେଇଆସିଛି ନୂଆଦିଲ୍ଲୀ । ତଥାପି ପାକିସ୍ତାନ ମାଟିରେ ରହି ଭାରତ ବିରୋଧୀ ଷଡଯନ୍ତ୍ର କରୁଥିବା ମାସୁଦ ଆଜହର କିମ୍ବା ହାଫିଜ ସୟିଦ ବିରୋଧରେ କୌଣସି ପଦକ୍ଷେପ ନେଇନାହାନ୍ତି ଇସଲାମାବାଦ ସରକାର । ଆଉ ପ୍ରମାଣ ବାହାନାରେ ପରୋକ୍ଷରେ ଭାରତକୁ ନାଲିଆଖି ଦେଖାଇଥିଲେ ଇମ୍ରାନ ଖାନ୍ । ଭାରତ ଆକ୍ରମଣ କଲେ ପାକିସ୍ତାନ ପାଲଟା ଆକ୍ରମଣ କରିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ।

ପୁଲୱାମା ହମଲା ପରେ ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ସରକାର । କୁଟନୈତିକ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବାକୁ ପ୍ରଥମେ ମୋଷ୍ଟ ଫବେର୍ଡ ନେସନର ମାନ୍ୟତା ପ୍ରତ୍ୟାହାର କରାଗଲା । ପରେ ପଡୋଶୀଠାରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୨୦୦ ପ୍ରତିଶତକୁ ବଢାଇ ଦିଆଗଲା । ଏପରିକି ପୁଲୱାମା ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି କହି ସାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ଯେମିତି ବିଚଳିତ ହୋଇପଡିଥିଲେ ପାକ୍ ପ୍ରଧାନମନ୍ତ୍ରୀ । କୌଣସି ପ୍ରକାର ବଡଧରଣର ଆକ୍ରମଣ ଭୟରେ ପାକିସ୍ତାନର ସଂପୃକ୍ତି ନେଇ ପ୍ରମାଣ ମାଗିବା ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ ।

ପାକିସ୍ତାନ ମାଟିରେ ରହି ଭାରତ ବିରୋଧରେ ଷଡଯନ୍ତ୍ର ଚଳାଇଥିବା ଆତଙ୍କବାଦୀ ଗୋଷ୍ଠୀଙ୍କ ପଛରେ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ଣ୍ଣ ସମର୍ଥନ ରହିଥିଲା । ଆଉ ସେନା ସହାୟତାରେ କ୍ଷମତାକୁ ଆସିପାରିଥିବା ଇମ୍ରାନ ଖାନ୍ ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ଇମ୍ରାନ ଖାନଙ୍କ ଏହି ବିବୃତି ପରେ ପୁଣିଥରେ ପାକିସ୍ତାନର ମିଛ ପଦାରେ ପଡିଯାଇଥିଲା । ନିଜେ ଆତଙ୍କବାଦର ଶିକାର ବୋଲି କହି ଅନ୍ତର୍ଜାତୀୟ ସମୁଦାୟର ଅନୁକମ୍ପା ହାସଲ କରିବାକୁ ବୃଥା ପ୍ରୟାସ ଆରମ୍ଭ କରିଥିଲା । ହେଲେ ଅସଲ କଥାହେଲା, ପୁଲୱାମା ହମଲା ପଛରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜେଇଏମର ହାତ ରହିଥିବା ସଂଗଠନ ନିଜେ ସ୍ୱୀକାର କରିସାରିଥିଲା । ଆଉ ଆତଙ୍କବାଦ ବିରୋଧୀ ଅଭିଯାନରେ ଭାରତକୁ ମିଳୁଥିବା ସମର୍ଥନକୁ ଦେଖି ଭୟଭୀତ ହୋଇପଡିଥିଲେ ପାକିସ୍ତାନ ସରକାର ।