କନକ ବ୍ୟୁରୋ: ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବ୍ୟବହାର କରି ଏମିତି ଏକ ଖବର ଘୁରି ବୁଲୁଛି ଯାହା ଅନେକ ବିବାଦ ତିଆରି କରିଛି । ଗତକାଲିଠୁ ସୋସିଆଲ ମିଡ଼ିଆରେ ଏହି ଗୋଟିଏ ଖବର ସତେ ଯେମିତି ଆଲୋଚନାର ସମୁଦ୍ର ଭାବେ ମାଡ଼ିଚାଲିଛିି । ଏହି ଫଟୋକୁ ଦେଖି ଆପଣ ହୁଏତ ଯେମିତି ଆଶ୍ଚର୍ଯ୍ୟ ହେଉଛନ୍ତି ଠିକ୍ ସେମିତି ଆମେ ମଧ୍ୟ ହୋଇଛୁ । ଗଣମାଧ୍ୟମର ଗଳା ଚିପି ଏକ ସମ୍ବେଦନହୀନ ୟୁ-ଟ୍ୟୁବ୍ ଚ୍ୟାନେଲ ‘ଟି-ନ୍ୟୁଜ୍’ କେବଳ ଭିୟୁଅର୍ସ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବ୍ୟବହାର କରି ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇବାକୁ ପଛାଇ ନାହିଁ ।

Advertisment

ଏହି ‘ଟି-ନ୍ୟୁଜ୍ ଓଡ଼ିଶା’ ୟୁ-ଟ୍ୟୁବ୍ ଚ୍ୟାନେଲ ଅତି ବେପରୁଆ ଆଉ ସମ୍ବେଦନହୀନ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ବ୍ୟବହାର କରି ଏକ ମୃତ୍ୟୁ ଖବର ପୋଷ୍ଟ କରିଛି, ଯେଉଁଥିରେ କି ଭିଡ଼ିଓ ଆରମ୍ଭରୁ ହିଁ ଏହି ‘ଟି-ନ୍ୟୁଜ୍’ର ଖାମଖିଆଲ ମନୋଭାବକୁ ଦର୍ଶାଇଛି । ଘଟଣାଟି ଏପରିଥିଲା କି, ଗତ ଗୁରୁବାର ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆଙ୍କର କରୋନାରେ ମୃତ୍ୟୁ ହୋଇଥିଲା, ଆଉ ଏହି ମୃତ୍ୟୁ ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଭିଡ଼ିଓର ଆରମ୍ଭରୁ ବ୍ୟବହାର କରି ଲୋକଙ୍କୁ ଭ୍ରମିତ କରି ମାଇଲେଜ ନେବାକୁ ଅତି ତଳକୁ ଖସିଯାଇଛି ଏହି ‘ଟି-ନ୍ୟୁଜ୍’ ୟୁ-ଟ୍ୟୁବ୍ ଚ୍ୟାନେଲ ।

ଖାଲି ଏତିକି ନୁହେଁ ଭିଡ଼ିଓ ଆରମ୍ଭର ପାଖାପାଖି ୨୫ ସେକେଣ୍ଡ ପର୍ଯ୍ୟନ୍ତ ନବୀନଙ୍କ ଫଟୋକୁ ବ୍ୟବହାର କରିବା ଏବଂ ସେହି ଭିଡ଼ିଓରେ ଫଟୋ ଥମ୍ନେଲ ବି ମୁଖ୍ୟମନ୍ତ୍ରୀଙ୍କର ରଖିବା ନିହାତି ଭାବେ ଅତି ବେପରୁଆମୀର ପରିଚୟ ଦେଇଛି । ଫଟୋ ଥମ୍ନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବାବେଳେ ସେଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ନେତାଗଣଙ୍କୁ ମଧ୍ୟ ବ୍ୟବହାର କରାଯାଇଛି । କରୋନାରେ ମୃତ୍ୟୁ, ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀ ବୋଲି ଫଟୋରେ ଲେଖାଯାଇଛି । ଘଣ୍ଟା ପରେ ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଏହି ‘ଟି-ନ୍ୟୁଜ୍’ ୟୁ-ଟ୍ୟୁବ୍ ଚ୍ୟାନେଲ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇ ନାହିଁ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପ୍ରଶ୍ନ ଉଠୁଛି, ଦିନକୁ ଦିନ ଏହି ଭଳି କିଛି ମାନସିକତା ରଖି ମିଛ ଖବର ବାଣ୍ଟୁଥବା ୱେବ୍ ଚ୍ୟାନେଲ ଛତୁ ଫୁଟିଲା ଭଳି ଜନ୍ମ ନେଉଛନ୍ତି । ମନଇଛା ଖବର ଦେଖାଇ ଲୋକଙ୍କ ମଧ୍ୟରେ ଏକ ଗୁଜବ ଖେଳାଉଛନ୍ତି । ଖବର ଆଳରେ ଲୋକଙ୍କ ମନୋଭାବ ସହ ଖେଳୁଛନ୍ତି । ଏତେ ବଡ଼ ମିଥ୍ୟା ଗୁଜବକୁ ୨୪ ଘଣ୍ଟାଠୁ ଅଧିକ ବିତିଲାଣି ଆଉ ଟ୍ୱିଟରରେ ମଧ୍ୟ ଏହି ‘ଟି-ନ୍ୟୁଜ୍’ ୟୁ-ଟ୍ୟୁବ୍ ଚ୍ୟାନେଲ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହେଲାଣି କିନ୍ତୁ ଚୁପ୍ ବସିଛି ପୋଲିସ ବିଭାଗ । ଓଡ଼ିଶା ପୋଲିସ ସାଇବର ସେଲ୍ କ’ଣ ପାଇଁ ନେଉନି କାର୍ଯ୍ୟାନୁଷ୍ଠାନ? ନା ଖବରକୁ ଅତି ଗମ୍ଭୀରତାର ସହ ଗ୍ରହଣ କରୁ ନାହାନ୍ତି ବଡ଼ ବଡ଼ ବାବୁ? ସୁଚନା ଓ ଲୋକ ସଂପର୍କ ବିଭାଗ କାହିଁକି ଏଭଳି ମିଛ ଖବର ବାଂଟୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ନେଉନାହିଁ? ତେବେ ନାମକୁ ମାତ୍ର ସୋସିଆଲ ମିଡ଼ିଆର ଲକ୍ଷ୍ମଣରେଖା ଟାଣିଦେଇ ଚୁପ୍ ବସି ପଡ଼ିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ଏକ ବିଫଳତା ନୁହେଁ ତ? ଯଦି ଏଭଳି ମନଇଛା ଖବର ଦେଖାଉଥିବା ୟୁ-ଟ୍ୟୁବ୍ ଓ ୱେବ୍ ଚ୍ୟାନେଲ ଗୁଡ଼ିକ ଉପରେ ଅଙ୍କୁଶ ନଲଗାଯାଏ, ତେବେ ଗଣମାଧ୍ୟମ ନାଁରେ ଗଳାବାଟ ଦେଇ ଏମାନେ ଆଗକୁ ଆଉ କେତେ ସମ୍ବେଦନହୀନ ଖବର ସବୁ ଦେଖାଇବେ ତାହା ଏଥିରୁ ଅନୁମାନ କରିହେଉଛି ।