ତିର୍ତ୍ତୋଲ ଉପନିର୍ବାନ ତାତି ବିଗାଡୁଛି ବ୍ୟବସ୍ଥାର ସ୍ୱାସ୍ଥ୍ୟ, ଦେଖାଉଛି ବିକଳ ଚିତ୍ର । କୋମାରେ ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ୱାସ୍ଥ୍ୟ ଭଲ କରିବାକୁ ନେତା ଦେଖାଉଛନ୍ତି ଶହେରୁ ଶହେ ସ୍ୱପ୍ନ…

79

କନକ ବ୍ୟୁରୋ: ସମୟ ଯେତେ ପାଖଉଛି ତିର୍ତ୍ତୋଲ ନିର୍ବାଚନ ସେତେ ତାତୁଛି । ଭିନ୍ନ ଭିନ୍ନ ପ୍ରସଙ୍ଗରେ  ଉଷୁମ ହେଉଛି ଉପନିର୍ବାଚନ । ନେତା ଜନତାଙ୍କୁ ହାତ ପତେଇ ଭୋଟ୍ ମାଗିବାବେଳେ ସାମ୍ନାକୁ ଆସୁଛି ହଜାରେ ସମସ୍ୟା । କେଉଁଠି ରାସ୍ତାଘାଟ, କେଉଁଠି ଜଳ ସଙ୍କଟ ଆଉ କେଉଁଠି ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ପାଇଁ ନେତାଙ୍କୁ ଜଣାଇଥାନ୍ତି ଜନତା । ଏହାରି ଭିତରେ ତିର୍ତ୍ତୋଲ ଉପନିର୍ବାଚନ ଉଷୁମ ହେଉଥିବାବେଳେ ଏବେ ତିନି ଦଳଙ୍କ ପାଇଁ ପ୍ରସଙ୍ଗ ପାଲଟିଛି ଶୋଇ ପଡ଼ିଥିବା ସ୍ୱାସ୍ଥ୍ୟସେବା । 

କେତେବେଳେ ଶାରଳା ସୂତାକଳ ତ ଆଉ କେତେବେଳେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସ୍ୱାସ୍ଥ୍ୟ ଭଲ କରିବାକୁ ନେତାମାନେ ବାଣ୍ଟୁଛନ୍ତି ପ୍ରତିଶ୍ରୁତିର ପୁଳା ପୁଳା ପୁଡ଼ିଆ । ପୁଣି ଥରେ ନିର୍ବାଚନବେଳେ ସ୍ୱାସ୍ଥ୍ୟସେବାକୁ ନେଇ ଆରମ୍ଭ ହୋଇଛି ଭୋଟ୍ ବ୍ୟାଙ୍କ ରାଜନୀତି । ଖାସ୍ କରି ଗେରୁଆ ଦଳ ଶୋଇପଡ଼ିଥିବା ସ୍ୱାସ୍ଥ୍ୟସେବାର ଗୋଡରୁ ମୁଣ୍ଡଯାଏଁ ଧରି ଲୋକଙ୍କ ନିକଟତର ହେବାକୁ ଚାହୁଁଛି । ସେଥିପାଇଁ ତ ତିର୍ତ୍ତୋଲ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା କହିଛନ୍ତି କି, ସାରା ରାଜ୍ୟରେ ତ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି, ତିର୍ତ୍ତୋଲକୁ ପଚାରେ କିଏ?

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏହା ଉପରେ ନିର୍ଭରଶୀଳ ୯ଟି ପଞ୍ଚାୟତର ଲୋକ । ରୋଗୀ ସେବା ଏତେ ନିମ୍ନ ମାନର ଯେ, ଜରୁରୀକାଳୀନ ସେବାରେ କଥାକଥାକେ କଟକ ରେଫର କରିଦେଉଛନ୍ତି । ଡାକ୍ତର ଅଭାବ ଟ୍ରମା ସେଣ୍ଟରର ନାଁ ବି ଶୁଭୁନି । ଯାହା ଏବେ ଉପନିର୍ବାଚନର ମୁଦ୍ଦା ପାଲଟିଛି । ତେବେ କଂଗ୍ରେସ କହିଛି, ସ୍ୱାସ୍ଥ୍ୟସେବାରେ ଯାହାବି ହୋଇଥିଲା କେବଳ ବସନ୍ତ ବିଶ୍ୱାଳଙ୍କ ସମୟରେ ହୋଇଥିଲା ।

ତେବେ ବିରୋଧୀ ଏହାକୁ ମୁଦ୍ଦା କରି ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସ କରୁଥିବାବେଳେ ବିଜେଡି କିନ୍ତୁ କାଉଣ୍ଟର କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଚିତ୍ର ବଦଳିଛି, ଆଉ ଖୋଦ୍ ମୁଖ୍ୟମନ୍ତ୍ରୀ ମୋ ସରକାର ଯୋଜନାରେ ମେଡିକାଲ ସେବାକୁ ଗୁରୁତ୍ୱ ଦେଇଛନ୍ତି ବୋଲି ବିଜେଡି କହିଛି ।

ଉପନିର୍ବାଚନ ତାତିରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ମୁଖ୍ୟ ପ୍ରସଙ୍ଗ କରି ତିନି ଦଳ ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସ କରୁଥିବା ବେଳେ ଏପଟେ ନେତାଙ୍କଠୁ ଜବାବ୍ ମାଗୁଛନ୍ତି ଜନତା । କେବେ ସୁଧୁରିବ ୩୦ରୁ ୪୦ ବର୍ଷର ଏ ପୁରୁଣା ସମସ୍ୟା? ଆଉ ନିର୍ବାଚନ ହାୱାରେ କଥା ଦେଉଥିବା ନେତା ଏଥର କଥା ରଖିବେ ତ?