ମହାମାରୀ ମୋ ପେଟରେ ପକାଇଛି ତାଲା। ହେଲେ ଲକଡ଼ାଉନର ଲୁହକୁ ଗାମୁଛାରେ ପୋଛି ଏ ଗଳିରୁ ସେ ଗଳି ମୁଁ ବୁଲୁଛି, ଭୂତାଣୁ ଭିତରେ ଭୋକର ଯାତନାକୁ ଆଉ କେତେ ସହିବି ?

218

କନକ ବ୍ୟୁରୋ: ସହର ଶୋଇଛି, ମୋ ରିକ୍ସା ଚାହିଁଛି । ଧାଡ଼ି ଧାଡ଼ି କରି ଲାଇନରେ ଛିଡ଼ା ବି ହୋଇଛି, ପଇସା ପାଇଁ କେତେବେଳେ ତା’ ପିଠି ଉପରେ ଗରାଖ ଜଣେ ଆସି ବସିବ ସେ ସମ୍ଭାବନାକୁ ଆଦରି ସଟଡାଉନ-ଲକଡାଉନରେ ଖରା-ବରଷା ବି ସହୁଛି । ସହରର ଗଳି କନ୍ଦିରେ ରିକ୍ସା ମୋର ଶୋଇଛି…. ରିକ୍ସା ମୋର ଶୋଇଛି, ମୁଁ ରିକ୍ସାବାଲା କହୁଛି…

ଯେତେବେଳେ କରୋନାର ଦ୍ୱିତୀୟ ଲହର ଦେଶର ବିଭିନ୍ନ କ୍ଷେତ୍ରକୁ ଦୁର୍ବଳ କରିଚାଲିଛି, ତା’ରି ଭିତରେ ଶୁଭୁଛି ରିକ୍ସା ବାଲାର ହୃଦୟର ବେଦନା । ଭୂତାଣୁ ଭୟ ଭିତରେ ବି ଭୋକର ଯାତନା କେତେ ଯେ କଷଣ ଦେଇପାରେ ତାହା ଏହି କାନ୍ଥକୁ ଆଉଜି ପିଠି ପାରିଥିବା ରିକ୍ସାବାଲା ହିଁ ବେଶ୍ ଭଲ କରି ବୁଝିଛି । ଗଣ୍ଡେ ଦାନା ପାଇଁ ଗାମୁଛାଟିଏ ମୁହଁରେ ବାନ୍ଧି ସଂକ୍ରମଣକୁ ନାଲି ଆଖି ଦେଖାଉଛି ସତ କିନ୍ତୁ ଲକଡାଉନ ଲୁହ ପୋଛିବା ପାଇଁ ପଇସାଟିଏ ନାହିଁ ।

ଗାଁଠୁ ଆରମ୍ଭ କରି ସହର, ଦ୍ୱିତୀୟ ଲହର ପାଇଁ ସବୁ ଯେବେ ଦିନ-ରାତି ଶୋଇପଡ଼ିଛି ଠିକ୍ ସେତିକିବେଳେ ରେଶମ ସହରର ରିକ୍ସାବାଲା ପେଟର ଭୋକ ମାରିବାକୁ ଗରାଖକୁ ଅପେକ୍ଷା କରିଛି । ସେ ଜାଣିଛି ସଂକ୍ରମଣକୁ ରୋକିବା ପାଇଁ ସରକାର କଟକଣା ଲଗାଇଛନ୍ତି, କିନ୍ତୁ ପେଟପାଟଣା ପାଇଁ ତାକୁ ମୁଠାଏ ଦାନା ଯେମିତି ହେଲେ ବି ଯୋଗାଡ଼ କରିବାକୁ ପଡ଼ିବ । ମହାମାରୀ ଭୟରେ ମଣିଷ ପଦାକୁ ନବାହାରିଲେ ତା ମନକୁ ମାରି ରିକ୍ସା ଚକକୁ ଟିକେ ଆଗକୁ ଆଗକୁ ଗଡ଼ାଇଦେଉଛି ।

ଜନଶୂନ୍ୟ ରାସ୍ତା ଜୀବନ ପାଇଁ ସଂଘର୍ଷ ବୋଧ୍ ହୁଏ ଏହାଠାରୁ ବେଶୀ ଦାରୁଣ ଦୃଶ୍ୟ କିଛି ନହୋଇପାରେ । କରୋନାର କୋପ ଆଉ ତା’ ଉପରେ କଷଣ ଭରା କଟକଣା ସତେ ଯେମିତି ଏମାନଙ୍କ ଉପରେ ଦ୍ୱିତୀୟ ଲହର ରୂପରେ ଦଇବ ଦଣ୍ଡ ଭଳି ସଦୃଶ । ଏଦୃଶ୍ୟ ରେଶମ ସହର ବ୍ରହ୍ମପୁରର । ଠିକ୍ ବର୍ଷେ ତଳେ ଯେମିତି ଥିଲା ଏହି ସମୟର ଦୃଶ୍ୟ ତାହାର ପୁନରାବୃତ୍ତି ଦ୍ୱିତୀୟ ଲହରରେ ଦେଖିବାକୁ ମିଳିଛି । କରୋନା ପାଇଁ କରଜ ଓ ହାତ ଉଧାର କରି ଦୀର୍ଘ ବର୍ଷେ ଧରି ଜୀବନ କାଟିଥିଲେ ଏମାନେ । ସଂକ୍ରମଣରେ ବିରତି ଲାଗିଲା ପରେ ଧିରେ ଧିରେ କଟକଣା ହଟିବାରେ ଲାଗିଥିଲା କିନ୍ତୁ ଏ ମହାମାରୀ ମଣିଷର ଜବୀନ ଓ ଜୀବିକାକୁ ପୁଣି ଥରେ ଏମିତି ସଂକ୍ରମଣ ଭରା ଶାସ୍ତି ଦେଉଛି ଯେ ତାହା ଏ ଦୃଶ୍ୟ ହିଁ ବୟାନ କରୁଛି ।

ତେବେ ସରକାରଙ୍କ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା କରାଯାଉଛି କିନ୍ତୁ ଅନେକ ନିୟମ ଓ କଟକଣା ଭିତରେ ଗରିବ ଖଟିଖିଆମାନେ ଜୀବିକା ହରେଇ ବସୁଛନ୍ତି । ଗାଁ ଗହଳିରେ ଦିନ ମଜୁରିଆଙ୍କୁ କେଉଁଠି ନା କେଉଁଠି ରୋଜଗାର ମିଳିଯାଉଛି ହେଲେ ସଂକ୍ରମଣ ଭୟରେ ଶୋଇରହିଥିବା ସହରରେ ଏବେ ବି ଜୀବନ ପାଇଁ ସଂଘର୍ଷ ଜାରି ରହିଛି । ଯଦି ପ୍ରଶାସନ ଏମାନଙ୍କ ପାଇଁ କିଛି ସ୍ଥାୟୀ ବ୍ୟବସ୍ଥା କରନ୍ତା ତେବେ ଏମାନେ ବି ଖୁସିଖୁସିରେ ପରିବାର ପେଟ ପୂରା କରିପାରନ୍ତେ ।
ଏପଟେ ଜୀବନ ସେପଟେ ଜୀବିକା ମଝିରେ ମହାମାରୀ କରୋନା ଟାଣିଛି କଟକଣାର ଲକ୍ଷ୍ମଣରେଖା । ଆଉ କରୋନା ପାଇଁ ବର୍ଷକ ତଳେ ଯେମିତି ଦହଗଞ୍ଜ ହେଉଥିଲେ ଏମାନେ ଠିକ୍ ସେମିତି ଦ୍ୱିତୀୟ ଲହରର ଦୋହରାଇ ଦେଇଛି ସମାନ ଦୁର୍ଦ୍ଦଶା ।