ମୁହଁରେ କାହିଁକି ହୁଏ ବ୍ରଣ ? କେମିତି ରୋକିବେ ବ୍ରଣ ସସମ୍ୟା?

1,022

କନକ ବ୍ୟୁରୋ : ବ୍ରଣ ହେଉଛି ଏକ ସାଧାରଣ ଚର୍ମ ରୋଗ । ଯାହାକି ଆଜିର ଦିନରେ ଉଭୟ ପୁରୁଷଙ୍କଠାରୁ ଆରମ୍ଭ କରି ମହିଳା ଆଉ ଛୋଟ ପିଲାଙ୍କ ପାଖରେ ଦେଖିବାକୁ ମିଳୁଛି । ବିଶେଷକରି ଯୁବପିଢି ମୁହଁରେ ବ୍ରଣ ସସମ୍ୟାକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି । ଆଉ ବ୍ରଣରୁ ମୁକ୍ତି ପାଇବା ପାଇଁ ମୁହଁରେ ଅନେକ ପ୍ରକାରର କ୍ରିମ୍ ଓ ଅଏଟଂମେଟଂ ଲଗାଇଥାନ୍ତି । ତେଣୁ ଆଜି ଆସନ୍ତୁ ଜାଣିବା ଏହି ବ୍ରଣର କାରଣ କଣ ଏହାକୁ ଆପଣ କେମିତି ରୋକିପାରିବେ…

ବ୍ରଣ ହେବାର ମୁଖ୍ୟ କାରଣ ହେଲା ହରମୋନାଲ । ଯେତେବେଳେ ପୁଅ ପିଲାଙ୍କର ଦାଢି ନିଶ ଉଠିବା ଆରମ୍ଭ କରେ ଓ ଝିଅମାନଙ୍କର ଋତୁସ୍ରାବ ଆରମ୍ଭ ହୁଏ , ସେ ସମୟରେ ଉଭୟ ମହିଳା ଓ ପୁରୁଷଙ୍କର ହରମୋନାଲ ସନ୍ତୁଳନ ବିଗିଡି ଯାଇଥାଏ । ଏହି ସମୟରେ ଶରୀରରେ ଆଣ୍ଡ୍ରୋଜେନ୍ ନାମକ ହରମୋନ୍ କ୍ଷରିତ ହୋଇଥାଏ । ଫଳରେ ତ୍ୱଚା ଅଧିକ ତେଲିଆ ହେବା ସହ ମୁହଁର ଚର୍ମ ଭିତର ଛିଦ୍ର ବନ୍ଦ ହୋଇଯାଏ । ଯାହା ଫଳରେ ତ୍ୱଚାରେ ଅଧିକ ତେଲ ଜମା ହୋଇ ବ୍ରଣ ସୃଷ୍ଟି ହୋଇଥାଏ ।

ଏହାସହ ଅନେକ ସମୟରେ ପିଲାମାନେ ବ୍ରଣରେ ହାତ ମାରି ଏହାକୁ ଛିଣ୍ଡାଇ ଦେଇଥାନ୍ତି । ଯାହାଫଳରେ ବ୍ରଣ ଆହୁରି ଅଧିକ ବଢିଥାଏ । ତା ସହିତ ଚିନି, ଫାଷ୍ଟଫୁଡ୍, ଜଙ୍କଫୁଡ୍ ଅଧିକ ଖାଇଲେ ମୁହଁରେ ବ୍ରଣ ହେବାର ଆଶଙ୍କା ରହିଥାଏ । ବର୍ତମାନର ଜୀବନଶୈଳୀ ଓ ମାନସିକ ଚାପ ମଧ୍ୟ ମୁହଁରେ ବ୍ରଣ ହେବାର ଅନ୍ୟ ଏକ ପ୍ରମୁଖ କାରଣ ।

ବ୍ରଣ ହେଉଥିଲେ ମୁହଁର ଯତ୍ନ କେମିିତି ନେବେ ?

• ବ୍ରଣରେ ହାତ ମାରିଲେ ତାହା ଦାଗ ହୋଇପାରେ କିମ୍ବା ସେହି ସ୍ଥାନରେ ଖାଲ ହୋଇପାରେ । ତେଣୁ ବ୍ରଣରେ କଦାପି ହାତ ମାରନ୍ତୁ ନାହିଁ 

• ମୁହଁରେ ଅଯଥାରେ କୌଣସି କ୍ରିମ୍, ମେକଅପ୍ ଲଗାନ୍ତୁ ନାହିଁ । ମୁହଁରେ ଅଧିକ ମେକଅପ୍ ଲଗାଇଲେ ମୁହଁର ଛିଦ୍ର ବନ୍ଦ ହୋଇଯାଏ, ଆଉ ମୁହଁରେ ବ୍ରଣ ବାହାରେ 

• ଯଦି ଆପଣ ମୁହଁରେ ମେକଅପ୍ ଲଗାଉଛନ୍ତି, ତେବେ ମେକଅପକୁ ଭଲ ଭାବରେ ଛଡାନ୍ତୁ । ମେକଅପ୍ ଛଡାଇବା ସମୟରେ ମେକଅପ୍ ରିମୁଭର, ଗୋଲାପ ଜଳ ଓ ନଡିଆ ତେଲ ବ୍ୟବହାର କରନ୍ତୁ 

• ମୁହଁରେ ଅଯଥାରେ କୌଣସି କ୍ରିମ୍ ଲଗାନ୍ତୁ ନାହିଁ । ଫାଷ୍ଟଫୁଡ୍, ଜଙ୍କଫୁଡଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ

• ପ୍ରତିଦିନ ୭ରୁ ୮ ଘଂଟା ଶୁଅନ୍ତୁ ଏବଂ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ସଠିକ୍ ସମୟରେ ନଶୋଇବା ମଧ୍ୟ ମୁହଁରେ ବ୍ରଣ ହେବାର ଏକ ପ୍ରମୁଖ କାରଣ

• ମୁହଁରେ ସନସ୍କ୍ରିନ ବ୍ୟବହାର କରନ୍ତୁ, ଏହାଦ୍ୱାରା ତ୍ୱଚା ଭଲ ରହିଥାଏ । ଯଦି ତା ପରେ ବି ମୁହଁରେ ଅତ୍ୟଧିକ ବ୍ରଣ ବାହାରୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ 

ଘରୋଇ ଉପଚାର କେତେ ସୁରକ୍ଷିତ ?

ଆମ ସମସ୍ତଙ୍କର ଚର୍ମ ଭିନ୍ନ ଭିନ୍ନ । ଯଦି ଜଣଙ୍କ ତ୍ୱଚାରେ କୌଣସି ଘରୋଇ ଉପଚାର ସୁହାଇଥାଏ, ଅନ୍ୟ ଜଣକ ତ୍ୱଚାରେ କିନ୍ତୁ ତାହା ସୁହାଇନଥାଏ । ତେଣୁ ନିଜ ମନଇଚ୍ଛା କୌଣସି ଘରୋଇ ଉପଚାର ବ୍ୟବହାର କରନ୍ତୁ ନାହିଁ । ଅଧିକାଂଶ ଲୋକ ମୁହଁରୁ ବ୍ରଣ ଯିବା ପାଇଁ ବେସନ, ହଳଦୀ ଭଳି ଘରୋଇ ଜିନିଷ ଲଗାଇଥାନ୍ତି । ହେଲେ ଏହା ମୁହଁକୁ ଅଧିକ ନଷ୍ଟ କରିଦେଇଥାଏ । ତେଣୁ ବ୍ରଣ ଯିବା ପାଇଁ ସବୁବେଳେ ମୁହଁକୁ ସଫା ରଖନ୍ତୁ ।