ଯେବେ ଜୀବନ ଜଳେ ଖରାର ତାତିରେ, ଜୀବିକା ଦିଏ ଯନ୍ତ୍ରଣା ଛାତିରେ । ଗମଗମ ଗ୍ରୀଷ୍ମଋତୁରେ ମଣିଷ ଲେଖେ ଖରାଛାଇର ଛାତିଥରା କାହାଣୀ…

314

କନକ ବ୍ୟୁରୋ: ଖଇଫୁଟା ଖରା, ଖାଁ ଖାଁ ସହର । ଶୁନଶାନ ଜନପଥ, ସବୁଠି ଖରାର ରାଜୁତି । ଜଳୁଛି ଜଗତ, ଜଳୁଛି ଜୀବନ । ସିଝୁଛି ସହର, ସିଝୁଛି ଏ ମାଟି । ଡହଡହ ଖରାର ଜ୍ୱାଳାରେ ପୋଡିଯାଉଛି ଦେହ, ମୁଣ୍ଡଫଟା ତାତି ପାଇଁ ତ୍ରାହି ତ୍ରାହି ଡାକୁଛି ମଣିଷ । ସୂର୍ଯ୍ୟ ମଥା ଉପରକୁ ଉଠିବା କ୍ଷଣି ଶୁଖିଯାଉଛି ତଣ୍ଟି, ଗମଗମ ବହୁଛି ଝାଳ । ଆକାଶରୁ ବର୍ଷୁଥିବା ନିଆଁହୁଳାରୁ ମଣିଷ ନିସ୍ତାର ପାଇବାକୁ ପାଣି ପିଏ, ଲସି ପିଏ, ତରଭୂଜ ଖାଏ, ପଇଡ ପରି ମୃଦୁ ପାନୀୟର ସାହାର ବି ନିଏ । ହେଲେ ନିଷ୍ଠୁର ଖରାର ଆକ୍ରୋଶରୁ ଆଶ୍ୱସ୍ତି ପାଏନି ଏ ଧରା, ବର୍ତ୍ତି ପାରେନି ଜୀବଜଗତ । ସକାଳ ହେବା ମାତ୍ରେ ଖରା ସେମିତି ନାଲି ଆଖି ଦେଖାଏ । ତାପମାତ୍ରା ବଢାଇ ଗାଁଠୁ ସହର ସବୁଠି ଅଘୋଷିତ କର୍ଫ୍ୟୁ ଲଗାଏ …

ଗାଡିର ଗତି ପରି ଦ୍ରୁତଗତିରେ ମଣିଷ ଉପରେ ମାଡିଯାଏ ଗରମ । ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ କିଏ ସାଇକେଲରେ ତ କିଏ ବାଇକରେ ନିଜ ଘର ଅଭିମୁଖେ ଆଗେଇଯାଏ । ହେଲେ ବାଟୋଇଟିଏ କିମ୍ବା ପାଦଚଲା ରାସ୍ତାର ପଥିକଟିଏ ଯେବେ ତତଲା ରାସ୍ତାରେ ଚଟି ଚପଲଟିଏକୁ ଭରସା କରି ବାଟ ଚାଲୁଥାଏ ଆଉ ଥକିଗଲା ପରେ ଥକାମେଣ୍ଟାଇବାକୁ ଗଛର ଛାଇଖୋଜେ । ସେବେ ନିରାଶ ହୁଏ ମଣିଷ, ଦୂର ଦୂର ଯାଏଁ ଗଛର ଛାଇ ତ ଛାଡ, ଗଛଟିଏ ବି ଦେଖିବାକୁ ପାଏନି । ବାଧ୍ୟହୋଇ ପିଚୁ ରାସ୍ତାକଡେ ଛିଡା ହୋଇଥିବା ଇଲେକ୍ଟ୍ରି ଖୁଣ୍ଟକୁ ଆଶ୍ରା କରେ ବାଟୋଇ । ଅସହାୟତାର ଏ ଦୃଶ୍ୟକୁ ଦେଖନ୍ତୁ କେମିତି ଜଣେ ବୃଦ୍ଧ ଛାଇଟିଏ ପାଇଁ ସିମେଣ୍ଟ ଖୁଣ୍ଟରେ ପଡିଥିବା ସାମାନ୍ୟଟିକେ ଛାଇ ଉପରେ ଭରସା କରି ଖରାର ଆକ୍ରୋଶରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି । ସତରେ ଏ କଥାକୁହା ଦୃଶ୍ୟ ମଣିଷର ଅସହାୟତା ବଖାଣିବା ସହ ପରିବେଶ ପ୍ରତି ମଣିଷ କରୁଥିବା ଅତ୍ୟାଚାରର ବି ବଡ ଉଦାହରଣ । ଏ ଦୃଶ୍ୟ ହିଁ ଆହ୍ୱାନ ଦେଉଛି ଅଧିକରୁ ଅଧିକ ଗଛ ଲଗାଇବା ପାଇଁ…

ଠୋଠୋ ଖରାର ଛାତି ଉପରେ କେଉଁଠି ଚାଲେ ସଙ୍ଘର୍ଷ । କେଁଉଠି ଖରାକୁ ଡରି ଘରେ ରହେ ମଣିଷ । ପୁଣି କେଉଁଠି ମଣିଷମରା ଖରାକୁ ଖାତିର ନକରି ମୁଣ୍ଡରେ ଗାମୁଛା ବାନ୍ଧି ପେଟ ପାଇଁ ପେଡାଲ ମାରେ ଖଟିଖିଆ । ଖରା ପାଇଁ କିଏ ଛାତ ତଳେ ଶୀତତାପ ନିୟନ୍ତ୍ରିତ କୋଠରୀରେ ଆରାମ କରେ ପୁଣି କିଏ କଳା ଛତାର ଛାଇ ତଳେ ଛାତିକୁ ପଥର କରି ଖରା ସହେ । ଦିନର ଟାଣ ଖରାକୁ ଡରିଗଲେ ରାତିରେ କେମିତି ଜଳିବ ଚୁଲି ? ସଂଜରେ କେମିତି ରୋଗୀଣା ମାଆ ପାଇଁ ଆସିବ ଔଷଧ? ଖରାକୁ ଡରି ଘରେ ରହିଲେ, ପୁଅର ଭବିଷ୍ୟତକୁ କେମିତି ଗଢିବ ଗରିବ ବାପାଟିଏ? ସେଇଥିପାଇଁ ତ ଟାଣ ଖରାରେ ବି ଟ୍ରଲି ଟାଣେ ବାପା, ପିଲାଙ୍କ ପାଇଁ ଜୋତା ସିଲେଇ କରେ ମାଆ… ଅସହାୟ ମଣିଷଙ୍କୁ ସିଝେଇ ସିଝେଇ ସବୁ ସଙ୍ଘର୍ଷର ସାକ୍ଷୀ ରହେ ଏ ଖରା ।

ସେପଟେ ଗ୍ରୀଷ୍ମ ଆସିଛି ବୋଲି ତ ଅସହ୍ୟ ତାତିରେ ବି ଦିପଇସା ରୋଜଗାର ଆଶାରେ ଖାଁ ଖାଁ ଖରାଟାରେ ଶୂନ୍ୟ ସହରର ରାଜପଥକୁ ଅନେଇ ରହିଛି ବ୍ୟବସାୟୀ । ଯେଉଁଠି ଗଛ ଛାଇ ଅଛି, ପାଣି ମିଳୁଛି ସେଠି ଜମୁଛି ଶୋଷର ଭିଡ । ଆଖୁ ରସ ଠାରୁ ଲସି, ତରଭୂଜ ବ୍ୟବସାୟୀଙ୍କ ଠାରୁ ଜଳଛତ୍ର କେନ୍ଦ୍ରରେ ଶୋଷିଲାଙ୍କ ସମାଗମ ହେଉଛି । ହେଲେ ତାତି ଟିକେ ତାଉ ଦେଖାଇଲେ, ଗରମ ଟିକେ ଦାଦାଗିରି ଦେଖାଇଲେ ଲୋକେ ଘରୁ ବାହାରିବାକୁ ନାରାଜ । ତେଣୁ ଝାଞ୍ଜି ସହି, ଝାଳ ବୁହାଇ ଖରାଟାରେ ଖାଲି ହାତରେ ବସି ରୁହନ୍ତି ଦୋକାନୀ ।

ସ୍ୱାର୍ଥର ତତଲା ସହରରେ କାମ କରି କରି ଯେବେ କ୍ଲାନ୍ତ ହୋଇଯାଏ ଶ୍ରମିକ, ସେବେ ମାଲିକର କବାଟ ବି ବନ୍ଦ ହୋଇଯାଏ । ଉତ୍ତପ୍ତ ଅପରାହ୍ନରେ କୁଆଡେ ଯିବ ଶ୍ରମିକ? କେଉଁଠି ପାଇବ ଶାନ୍ତି… ? ବାଧ୍ୟହୋଇ ଡ୍ରେନ ଉପରେ ପଡିଥିବା ସିମେଣ୍ଟର ଶେଯ ଉପରେ, ହାଲକା ଗଛର ଛାଇ ତଳେ ଛାଇନିଦରେ ଶୋଇଯାଏ ଶ୍ରମିକ । ଥରେ ଭାବନ୍ତୁ ଗୋଟିଏ ଗଛ ତଳେ ଯଦି ମଣିଷ ଶାନ୍ତି ପାଇପାରୁଛି ତେବେ ସାରା ସହରକୁ ଯଦି ଗଛମୟ କରାଯାଏ ତେବେ କେତେ ଶାନ୍ତିରେ ରହିପାରିବ ସହର । ତେଣୁ ଅନୁରୋଧ ସହର ଗଢନ୍ତୁ, ସହରକୁ ସୁନ୍ଦର କରନ୍ତୁ ମନାନାହିଁ, ହେଲେ ଗଛଟିଏ ଲଗାଇବାକୁ କେବେ ଭୁଲନ୍ତୁ ନାହିଁ…