ଅନାଥ ଝିଅର ବାହାଘର : ଆଶୀର୍ବାଦ ଦେଲେ ଜିଲ୍ଲାପାଳ ଓ ଅଫିସର

1,344

କନକ ବ୍ୟୁରୋ : ବାଜିଲା ଶାହାନାଇ, ପଡ଼ିଲା ହାତଗଣ୍ଠି । ସାତ ଜନ୍ମର ସାଥୀ ହେଲେ ଶିବାନୀ ଓ ଦେବାଶିଷ । ବାହାଘର ତ ଅନେକ ଦେଖିଥିବେ ହେଲେ ଏମିତି ବାହାଘରକୁ କ୍ୟାମେରାରେ ଆମେ କାହିଁକି ତୋଳି ଧରିଲୁ ? ବିବାହ ପଛର କାହାଣୀ ଜାଣିଲେ ଆପଣ ବି ନବଦମ୍ପତିଙ୍କୁ ଆଶୀର୍ବାଦ ନଦେଇ ରହିପାରିବେନି ।

ବଲାଙ୍ଗୀର ପାର୍ବତୀଗିରି ବାଲ ନିକେତନର ଅନ୍ତେବାସୀ ଶିବାନୀଙ୍କ ବାହାଘର । ଅନାଥ ଝିଅ କିନ୍ତୁ କୌଣସି ଗୁଣରେ କମ୍ ନୁହନ୍ତି ଶିବାନୀ । ଉଚ୍ଚ ଶିକ୍ଷିତା ସାଙ୍ଗକୁ ଶାନ୍ତ ସ୍ୱଭାବ ବୋଲି ଶିବାନୀଙ୍କ ହାତ ଧରିଛନ୍ତି ବଲାଙ୍ଗୀର ମଣ୍ଡଳ ନିବାସୀ ଦେବାଶିଷ ଖମାରୀ । ଆଉ ଏଭଳି ବାହାଘରକୁ ସଫଳ କରାଇବା ପାଇଁ ଖୋଦ୍ ବଲାଙ୍ଗୀର ଜିଲ୍ଲାପାଳ ସାମିଲ ହୋଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ଶିବାନୀ ପିଲାଟି ଦିନରୁ ଅନାଥ ଆଉ ପାର୍ବତୀଗିରି ବାଲନିକେତନରେ ଦୀର୍ଘ ବର୍ଷ ଧରି ରହିଆସୁଥିଲେ । ଏଠାରେ ତାଙ୍କର ପାଠପଢ଼ାଠୁ ଆରମ୍ଭ କରି ପିଲାଦିନ କଟିଛି । ଶିବାନୀଙ୍କ ଜାତି ଗୋତ୍ରକୁ ନଦେଖି ତାଙ୍କ ହାତ ଦେବାଶିଷ ଧରିଥିବାରୁ ସେ ମଧ୍ୟ ବେଶ୍ ଖୁସି ଅଛନ୍ତି ।

ଏପଟେ ଶିବାନୀଙ୍କ ଜାତି ଧର୍ମ କି ଗୋତ୍ର ଦେଖିନଥିଲେ ବର ଦେବାଶିଷ । ବରଂ ଅନାଥ ଝିଅର ସ୍ୱଭାବ ଦେବାଶିଷଙ୍କ ମନରେ ଘର କରିଥିଲା । ଆଉ ଶିବାନୀଙ୍କୁ ପ୍ରଥମ ଦେଖାରେ ହିଁ ବିବାହ କରିବାକୁ ମନ ବଳାଇଥିଲେ ବ୍ରାହ୍ମଣ ଜାତିର ଦେବାଶିଷ ଖମାରୀ । ବହୁ ଆଡ଼ମ୍ବର ସହ ପ୍ରଥମଥର ପାଇଁ ଅନାଥାଶ୍ରମରେ ଏଭଳି ବାହାଘର ଦେଖି ଅନ୍ତେବାସୀ ବି ଖୁସିରେ ଝୁମି ଉଠିଛନ୍ତି । ଯେତିକି ଖୁସି, ସେତିକି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶିବାନୀଙ୍କ ସାଙ୍ଗସାଥୀ । ଆଉ ବାହାଘର ଭଳି ଉତ୍ସବରେ କିଛି ବି ଉଣା ଅଧିକ କମ୍ ନକରି ସଭିଏଁ ଖୁସିର ମାହୋଲକୁ ଉପଭୋଗ କରୁଛନ୍ତି ।

ସତରେ ସାତ ଜନମ ପାଇଁ ମନ ପସନ୍ଦର ସାଥୀଟିଏ ସଭିଏଁ ଚାହାନ୍ତି । କିଏ ରୂପ ଯୌବନର ବଶବର୍ତ୍ତୀ ଥାଏ ତ କିଏ ପାଠ-ସାଠକୁ ନେଇ । ହେଲେ ଅନାଥାଶ୍ରମରେ ବଡ଼ ହୋଇଥିବା ଝିଅଟିର ଜାତି ଗୋତ୍ରକୁ ନ ଦେଖି ତାଙ୍କୁ ଜୀବନସାଥୀ କରିଛନ୍ତି ଦେବାଶିଷ । ଯାହା କି ଆଜିର ଶିକ୍ଷିତ ସମାଜକୁ ବଡ଼ପଣ ବଡ଼ ବାର୍ତ୍ତା ଦେଇଛି ।