କନକ ବ୍ୟୁରୋ: ଆଜିକାଲିର ବ୍ୟସ୍ତବହୁଳ ସମୟରେ କାହାରି ପାଖରେ କାହା ପାଇଁ ସମୟ ନାହିଁ କହିଲେ ଚଳେ। ଏଭଳି କ୍ଷେତ୍ରରେ ଲୋକମାନେ ଇଣ୍ଟରନେଟ ଓ ମୋବାଇଲକୁ ବିଭିନ୍ନ କାମ ପାଇଁ ବ୍ୟବହାର କରୁଥିବା ବେଳେ ଏହାକୁ ନେଇ ଗୁଜୁରାଟରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଗୁଜୁରାଟରେ ଭିଡିଓ କଲ ଜରିଆରେ ଯୁବକ-ଯୁବତୀଙ୍କ ନିର୍ବନ୍ଧ ହୋଇଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଯୁବକ-ଯୁବତୀଙ୍କ ପରିବାର ଲୋକ ଦୁଇଟି ସ୍ମାର୍ଟଫୋନକୁ ନିଜନିଜ ସାମ୍ନାରେ ରଖି ପୂଜା କରୁଛନ୍ତି। ଏହି ଦୁଇଟି ଫୋନ୍ ମଧ୍ୟରୁ ଗୋଟିଏ ଫୋନ୍ ସ୍କ୍ରିନରେ ଯୁବତୀ ଓ ଅନ୍ୟ ଏକ ଫୋନରେ ଯୁବକ ଭିଡିଓ କଲରେ ରହିଛନ୍ତି। କନ୍ୟା ଥିବା ଫୋନ୍ ସ୍କ୍ରିନ୍ ଉପରେ ପୁଅଘର ଲୋକ ଆଣିଥିବା ପୂଜା ସାମଗ୍ରୀ ସହିତ ଶାଢ଼ି, ଗହଣା ଓ ଫୁଲ ଆଦି ରଖୁଛନ୍ତି। ସେହିପରି କନ୍ୟା ଘର ଲୋକ ମଧ୍ୟ ଫୋନକୁ ଆଧାର କରି ପୁଅକୁ ଯାହା ଦେବା କଥା ତାହା ସବୁ ସେଠାରେ ରଖୁଛନ୍ତି।
ଭିଡିଓ କଲ ଜରିଆରେ ଯୁବକ-ଯୁବତୀଙ୍କ ଏଭଳି ନିର୍ବନ୍ଧ ସୋସିଆଲ ମିଡିଆରେ ବେଶ ଗ୍ରହଣୀୟ ହୋଇଛି । ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ତେବେ ଭିଡିଓଟି କେଉଁଦିନର ତାହା ଏଯାବତ ସ୍ପଷ୍ଟ ହୋଇ ପାରି ନାହିଁ।