ଝିଅ ହେବା କଣ ପାପ ? ରାସ୍ତାରେ ଝିଅଟିଏ ଦେଖିଲେ ନୃଶଂସ ପାଲଟୁଛି ମଣିଷ, ଲୁଟିନେଉଛି ସର୍ବସ୍ୱ । ସୈତାନଙ୍କ ପାଇଁ ଝିଅ ଜନ୍ମ କରିବାକୁ ଶହେଥର ଭାବୁଛି ମାଆ

ଗୋଟିଏ ପଟେ ଲୋକଙ୍କର ଭଲ ମାଆଟିଏ ଦରକାର, ଭଲ ଭଉଣୀଟେ ଦରକାର, ସୁନ୍ଦର ପ୍ରେମିକାଟେ ଦରକାର ଆଉ ସବୁପରେ ତାଙ୍କୁ ବୁଝୁଥିବା ତାଙ୍କୁ ପଢୁଥିବା ଆଉ ନିଜକୁ ପୁରୁଷ ପାଖରେ ସମର୍ପି ଦେଉଥିବା ସ୍ତ୍ରୀଟିଏ ଦରକାର । ହେଲେ ଝିଅଟିଏ ଦରକାର ନାହିଁ ? କି ଝିଅ ଜନ୍ମ କରିବାକୁ ଯୋଜନା ବି ନାହିଁ । କଣ ପାଇଁ ଏ ରୁଗ୍ମ ମାନସିକତା ? ପୁରୁଷମାନେ ଶୋଇଲା ବେଳେ ଅଧ ରାତିରେ ଏ ପ୍ରଶ୍ନ ନିଜକୁ ପଚାରିଛନ୍ତି କି?

550

କନକ ବ୍ୟୁରୋ: ଝିଅ ହୋଇ ଜନ୍ମ ହେବା କଣ ଭୁଲ ? ମାଆଟିଏ ଝିଅକୁ ଜନ୍ମ ଦେବା କଣ ପାପ ? ସମାଜରେ ଝିଅମାନଙ୍କର ବଞ୍ଚି ରହିବାର କଣ ଅଧିକାର ନାହିଁ? ନା ବିନା ନାରୀରେ ବଞ୍ଚିଯିବ ଦୁନିଆ ? ନାରୀକୁ ଦେଖିଲେ ଏ ପୁରୁଷ ସମାଜ ନୃଶଂସ ପାଲଟିଯାଏ କାହିଁକି? ଘରେ ମାଆ ଭଉଣୀ ଥାଇ ବି ପର ଝିଅକୁ ଦେଖିଲେ ପୁରୁଷ ଦେହରେ ସେ କାମନା ହଠାତ ଜାଗ୍ରତ ହୁଏ କଣ ପାଇଁ ? ନାରୀମାନଙ୍କ ଉପରେ ପୁରୁଷର ପାଶବିକତା ବଢିଚାଲୁଥିବାରୁ, ନାରୀମାନେ ସମାଜରେ ଅସୁରକ୍ଷିତ ଥିବାରୁ ଏ ସମସ୍ତ ପ୍ରଶ୍ନ ଏବେ ଶିକ୍ଷିତ ସମାଜକୁ ଶରବିଦ୍ଧ କରିଛି ଆଉ ଭୀସ୍ମ ପିତାମହ ପରି ପୁରୁଷ ଜାତିକୁ ଶରଶଯ୍ୟାରେ ଶୁଆଇଛି ।

କଥାରେ ଅଛି ଝିଅଟିଏ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସେ । ପରିବାରରେ ଧନ ସମ୍ପତ୍ତି ଭରିବାର ସଙ୍କେତ ମିଳେ । ପରିବାରରେ ଝିଅଟିଏ ହୋଇଥିବାରୁ ଅନେକ ତାକୁ ସ୍ନେହ କରନ୍ତି, ଭଲ ପାଆନ୍ତି । ମାତ୍ର ଝିଅଟି ବଡ ହେଲା ପରେ ସେମାନଙ୍କ ସେହି ଭଲପାଇବା ଭୟରେ ବଦଳିଯାଏ । ଝିଅର ସାମାଜିକ ସୁରକ୍ଷା ଚିନ୍ତା ସାରା ପରିବାରକୁ ଘାରେ । ଝିଅଟି ଯଦି ପାଠ ପଢିବାକୁ ଯାଉଥିବ କିମ୍ବା ଚାକିରି ପାଇଁ କର୍ମକ୍ଷେତ୍ରକୁ ଯାଉଥିବ ତେବେ ପୂରା ପରିବାର ତା ଫେରିବା ବାଟକୁ ଚାହିଁ ରହିଥିବ । ଝିଅ କେତେବେଳେ ପହଞ୍ଚିବ ? ଭଲରେ ଭଲରେ ଫେରୁଛି କି ନାହିଁ? ନା ବାଟରେ କିଛି ଅସୁବିଧା ହେଲା? ଏମିତି କିଛି ଅଶୁଭ ପ୍ରଶ୍ନର ଆଢୁଆଳରେ ରହି ମାଆ ଝିଅର ବାଟକୁ ଚାହିଁ ବସିିଥିବ । ଆଉ ଭଗବାନଙ୍କୁ ସୁମରି ତା ଝିଅକୁ ଘଣ୍ଟ ଘୋଡାଇ ରଖିବାକୁ ହାତ ଯୋଡି ନେହୁରା ହେଉଥିବ ।

ଝିଅ ଘରୁ ଗୋଡ କାଢିଲେ ହିଁ ଏବେ ମାଆ ଛାତିରେ ଅଜଣା ଛନକା ପଶୁଛି । ଘରକୁ ଫେରିବା ଟିକେ ଡେରି ହେଲେ ତା ମନକୁ ପାପ ଛୁଉଁଛି । ଛୁଇଁବନି ବା କେମିତି ସବୁଦିନ ସକାଳେ ଉଠିଲେ ପରା ଟିଭି, ପେପରରେ ବଢିଲା ଝିଅଙ୍କ ବାପାମାଆ ଦୁଷ୍କର୍ମ, ଗଣବଳାକ୍ରାର, ହତ୍ୟା, ପ୍ରତାରଣା ଭଳି ଖବର ପଢୁଛନ୍ତି । ଆଉ ଏଇ କେତେ ଦିନ ହେବ ହାଇଦ୍ରାବାଦରେ ଘଟିଥିବା ନିର୍ଭୟା ଭଳି କାଣ୍ଡକୁ ଦେଖିଛନ୍ତି । ତେଣୁ ଭୟ ଘାରିବନି ବା କେମିତି । ଯେତେହେଲେ ପରା ସେମାନେ ବାପାମାଆ ।

ପୂର୍ବରୁ ସିନା ଲୋକେ ଯୌତୁକ ଡରରେ ଝିଅ ଜନ୍ମ ବଦଳରେ ପୁଅ ଚାହୁଥିଲେ । ମାତ୍ର ଏବେ ସେ ଡର ନାହିଁ । ଯୌତୁକ ପାଇଁ ନୁହେଁ ବରଂ ଝିଅର ଜୀବନ ପାଇଁ ତା ଇଜ୍ଜତ ପାଇଁ ଡରୁଛନ୍ତି ଲୋକେ । ତେବେ କଣ ପାଇଁ ପ୍ରତି ମୁହୂର୍ତ୍ତରେ ନାରୀଟିଏ ବଳାକ୍ରାରର ଶିକାର ହେଉଛି? କଣ ପାଇଁ ପୁରୁଷଟିଏ ଅନ୍ୟ ନାରୀକୁ ଦେଖିଲେ ତାକୁ ଉପଭୋଗ କରିବାକୁ ଚାହୁଁଛି ? ଘରେ ତ ତାର ମାଆ ଅଛି, ଭଉଣୀ ଅଛି କାହିଁ ସେମାନଙ୍କ ସହ ରହିଲା ବେଳେ ତ ପୁରୁଷ ଦେହରେ ପଶୁତ୍ୱ ସବାର ହେଉନି କି ଆସୁରିକ ପ୍ରବୃତି ତାଙ୍କୁ ବଳାକ୍ରାର କରିବାକୁ ଉଷୁକାଉନି ? ତେବେ ପର ଝିଅଟିକୁ ଦେଖିଲେ ହଠାତ ଅମଣିଷ ହୋଇ ଉଠେ କାହିଁକି? ଏ ପ୍ରଶ୍ନ କଣ ସବୁ ପୁରୁଷ ଥରେ
ଥରେ ନିଜକୁ ପଚାରିବା ଉଚିତ ନୁହେଁ କି… ?

ତେବେ ଆଜି ନୁହେଁ କାହିଁ ଯୁଗଯୁଗରୁ ନାରୀକୁ ଏକ ଉପଭୋଗ୍ୟର ସାମଗ୍ରୀ ଭାବେ ଗଣି ଆସିଛି ଏ ସମାଜ । ରାଜା ମହାରାଜାଙ୍କ ପାଖରେ ନୃତ୍ୟୁ କରିବା ହେଉ କି ମନ୍ଦିରର କାରୁକାର୍ଯ୍ୟରେ ନାରୀ, ନର୍ତ୍ତକୀଙ୍କ ଚିତ୍ରକଳା ଦେଖାଇ ଶହ ଶହ ବର୍ଷ ହେଲା ଉପଭୋଗ କରି ଆସୁଛି ସମାଜ ? ଖାଲି ସେସମୟରେ ନୁହେଁ ଏବେବି ପ୍ରତିଟି ବିଜ୍ଞାପନରେ ନାରୀକୁ ସାମ୍ନାକୁ ଅଣାଯାଉଛି । ନାରୀକୁ ଦେଖିଲେ ହିଁ ଲୋକେ ସେ ଉତ୍ପାଦ ପ୍ରବଳ ମାତ୍ରାରେ ବ୍ୟବହାର କରିବେ । ଏଭଳି ମାନସିକତା ଲୋକଙ୍କ ମନରେ କଣ ପାଇଁ ରହିଯାଇଛି ?

ଗୋଟିଏ ପଟେ ଲୋକଙ୍କର ଭଲ ମାଆଟିଏ ଦରକାର, ଭଲ ଭଉଣୀଟେ ଦରକାର, ସୁନ୍ଦର ପ୍ରେମିକାଟେ ଦରକାର ଆଉ ସବୁପରେ ତାଙ୍କୁ ବୁଝୁଥିବା ତାଙ୍କୁ ପଢୁଥିବା ଆଉ ନିଜକୁ ପୁରୁଷ ପାଖରେ ସମର୍ପି ଦେଉଥିବା ସ୍ତ୍ରୀଟିଏ ଦରକାର । ହେଲେ ଝିଅଟିଏ ଦରକାର ନାହିଁ ? କି ଝିଅ ଜନ୍ମ କରିବାକୁ ଯୋଜନା ବି ନାହିଁ । କଣ ପାଇଁ ଏ ରୁଗ୍ମ ମାନସିକତା ? ପୁରୁଷମାନେ ଶୋଇଲା ବେଳେ ଅଧ ରାତିରେ ଏ ପ୍ରଶ୍ନ ନିଜକୁ ପଚାରିଛନ୍ତି କି?

ନାରୀ ପ୍ରସଙ୍ଗରେ ସବୁବେଳେ ସାରା ଦେଶ ଚର୍ଚ୍ଚାରେ ରହି ଆସୁଛି । ନାରୀ ନିଇତି ଦୁଷ୍କର୍ମ ଓ ଗଣବଳାକ୍ରାର ଶିକାର ହେଉଥିବା ବେଳେ ଯୁବତୀଟିଏ ହେଉ କି ନାବାଳିକା, ଦୁଷ୍କର୍ମ ପରେ ଯଦି ତାର ମୃତ୍ୟୁ ହୋଇଯାଏ ତେବେ ଅନେକ ସଙ୍ଗଠନ ପକ୍ଷରୁ ମହମତୀ ଧରି ନିରବ ଶୋଭାଯାତ୍ରା କରାଯାଏ । ବିରୋଧୀ ଉକ୍ତ ପ୍ରସଙ୍ଗକୁ ବ୍ରହାସ୍ତ୍ର କରି ସରକାରଙ୍କୁ ଘେରନ୍ତି । ମହିଳା ସଙ୍ଗଠନମାନେ ଗଳା ଫଟାଇ ରାଜରାସ୍ତାରେ ଚିକ୍ରାର କରନ୍ତି ।

ଦିନେ, ଦୁଇ ଦିନ ପରେ ଅତି ବେଶିରେ ଗୋଟେ ସପ୍ତାହ ଯାଏଁ ସମସ୍ତେ ସେହି ପ୍ରସଙ୍ଗରେ ପ୍ରତିବାଦ କରନ୍ତି । ମିଛି ମିଛି ହେଉ ପଛେ ଆଖି ଓଦା କରି ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପୋଷ୍ଟ କରନ୍ତି । ଆଉ ଠିକ ସାତ ଦିନ ପରେ ସେସବୁକୁ ସମସ୍ତେ ଭୁଲିଯାଆନ୍ତି । ସେ ନିର୍ଭୟା ହେଉ କି ଦିଶା, ଏ ସମାଜ ନାରୀକୁ ଏମିତି ହିଁ ଦେଖେ ଆଉ ତାକୁ ଏମିତି ନ୍ୟାୟ ମିଳେ ।

ତେବେ ଏଠି ପ୍ରଶ୍ନ ଉଠୁଛି ସତରେ କଣ ନାରୀମାନଙ୍କୁ ସବୁଦିନ ଏମିତି ରହିବାକୁ ପଡିବ ? ସକାଳରୁ ରାତି ଯାଏଁ ସେମାନଙ୍କୁ ଡରି ଡରି ବଞ୍ଚିବାକୁ ପଡିବ ? ଇଜ୍ଜତକୁ ରକ୍ଷା କରିବାକୁ ଯାଇ ନିଜ ଇଚ୍ଛା ଓ ସ୍ୱାଧୀନତାକୁ ସମାଧି ଦେବାକୁ ପଡିବ ?ସତରେ କଣ ଝିଅ ଜନ୍ମ ହେବା ଭୁଲ?