ଶୀତ ଆସିଲାଣି… ମାଆ ଟ୍ରଙ୍କରୁ କନ୍ଥାକମ୍ବଳ ଖୋଲିଲାଣି । ଓଠ ଉଷୁମ ଚା’ ଖୋଜିଲାଣି । ସତେଜ ସକାଳ ସ୍ୱେଟର ପିନ୍ଧିଲାଣି…

568

କନକ ବ୍ୟୁରୋ:  ଶୀତ ! ଦେଖିବାକୁ କେମିତିକା ? ଶୀତର ଆକାର କଣ? ଶୀତର ସଂଜ୍ଞା କଣ? ଅନେକ ଥର ମୁଁ ଏସବୁ ଖୋଜିବାକୁ ଚେଷ୍ଟା କରିଛି । ଫି ବର୍ଷ ଶୀତ ଆସିଲେ ତାକୁ ଲାଞ୍ଚ ଯାଚି ତା କାନରେ ମୋ ମନର ପ୍ରଶ୍ନକୁ ପଚାରିଛି । ହେଲେ ସବୁଥର ଶୀତ ମତେ ନିରାଶ କରିଛି । ମୌନ ରହି, ରହସ୍ୟ ଭରିଛି । ଆଉ ସେବେଠୁ ମୁଁ ସ୍ଥିର କରିସାରିଛି- ଶୀତ ଗୋଟେ ଋତୁ ନୁହେଁ । ଶୀତ ଗୋଟେ ଅନୁଭବ, ଗୋଟେ ଅନୁଭୂତି, ଆକର୍ଷଣର ଇସାରା, ଅନ୍ତରଙ୍ଗ ଅଭିସାର । ଶୀତ ! ଅଳସୀ ସଞ୍ଜର ଆମନ୍ତ୍ରିତ ଅତିଥି । ଶୀତ ! ନିଦୁଆ ସକାଳର ଉଷୁମ ଚା କପ୍ । ଶୀତ ବି ଖବରକାଗଜର ସତେଜ ଶୀର୍ଷକ ।

ସହରର ଶୀତ ଠାରୁ ଗାଁର ଶୀତ ଭାରି ନିଆରା । ଶୀତ ମାଟିକୁ ଛୁଇଁଲେ ମତୁଆଲା ହୁଏ ମନ, ଶୀତ ପବନକୁ ପପି ଦେଲେ ମହୁଆ ହୁଏ ଦେହ । ଦେଶିଆ ଶୀତରେ ଦିହ ଥରିଗଲେ ଛାଏଁ ଟାଙ୍କୁରିଯାଏ ଲୋମକୂପ । ଗାଁରେ ଶୀତ ଗୋଟେ ଶାସ୍ତି, ଗୋଟେ ସ୍ମୃତି । ଶୀତ ବି କାହାର ମିତ, କାହା ସମ୍ପର୍କର ସାକ୍ଷୀ ।

ଏଠି ଢୋକେ ଚା’ ପିଇଲେ ଶୀତ ଶୀତ ଲାଗେ । ପାଟିରୁ ଭସ ଭସ ବାହାରୁଥିବା ଧୂଆଁ ସ୍ମୋକ୍ ଆର୍ଟ ଆଙ୍କେ । ଟ୍ରଙ୍କରେ ଭଙ୍ଗା ହୋଇ ରହିଥିବା କନ୍ଥାକମ୍ବଳ ମାଆ ବାହାର କଲେ ଶୀତ ଆସେ । ଲୋଚାକୋଚା ସ୍ୱେଟର ଆଉ ଚାଦରର ଗନ୍ଧଗୁଳି ବାସ୍ନା ଶୀତକୁ ବାଟ କଢେଇ ଆଣେ… ହଁ ଶୀତ- ବୁଢିଆଣିର ମାୟାଜାଲରେ ବନ୍ଧାପଡେ । କାକର ଭିଜା ଘାସ ଗାଲିଚାରେ ଦୋଳିଖେଳେ । ଧାନ ବିଲ, ଚଷା ଭାଇ କାନ୍ଧରେ ଶୀତ ଗୀତ ଗାଏ । ମାର୍ଗଶୀରର ଝୋଟିଲିପା କାନ୍ଥରେ ଝଟକୁଥାଏ । ଆଉ ପୋଖରୀ ପାଣିର ପହିଲି ଛୁଆଁରେ କୁଆଁରୀ ଦେହର ଲାଜମିଶା ଡରରେ ଶୀତ ସବୁଠୁ ସୁନ୍ଦର, ସବୁଠୁ ରୋମାଣ୍ଟିକ୍ ଲାଗେ ।

କୋରାପୁଟରୁ କନ୍ଧମାଳ, ମାଲକାନଗିରିରୁ ମୋହନା । ବାଲେଶ୍ୱରରୁ ବଲାଙ୍ଗୀର । ନୂଆ ନୂଆ ପ୍ରେମ ପରି ସାରା ଓଡିଶାକୁ ଏବେ ନୂଆ ନୂଆ ଛୁଇଁଛି ଶୀତ । ହେଇ ଦେଖୁ ନାହାନ୍ତି ଅଳସଭରା ଅପରାହ୍ନରେ ପବନର ଦୋଳିରେ ଝୁଲି ଝୁଲି, ଆକାଶକୁ ଅନେଇ କେମିତି ଆଖିରେ ଆଖିରେ ଉପନ୍ୟାସ ଲେଖି ଦେଉଛି ଅଳସୀ ଫୁଲ । ଆଉ ତା ସୁନ୍ଦରତାରେ ବାଟବଣା ବାଟୋଇ ଆପେ ଆପେ ଟାଣି ହେଇ ଯାଉଛି ତା ଗଭୀର ଛାତି ଭିତରକୁ । ଯେଉଁଠି ପ୍ରକୃତିପ୍ରେମୀ ମଣିଷଟିଏ ଶୀତୁଆ ଫୁଲ ସହ ସେଲଫି ନେଉଛି ।

ଶୀତ ସବୁ ଥର ଆସୁଛି, ଆସିବ, ଆସୁଥିବ ମଧ୍ୟ । କିନ୍ତୁ ଦେଖିବେ ଫି ବର୍ଷ ପରି ଏଥର ବି ସେ ନିଜ ପରିଚୟ ଲୁଚାଇବ । ସଂଜ୍ଞା କହିବାକୁ କୁନ୍ଥୁକୁନ୍ଥୁ ହେବ, ଆଉ ଠକି ଦେଇ ଚୁପ୍ କିନା ପଳେଇବ । ଆଉ ଆପଣ ଅପେକ୍ଷା କରିଥିବେ ଆର ବରଷକୁ, ଶୀତର ଆସିବା ବାଟକୁ…