କନ୍ଦେଇ ଦେଇ ଚାଲିଗଲେ ଓଲିଉଡର ‘ଜଗା’ । ରୂପା ଶଗଡିକୁ ଝୁରୁଛି ସାରା ରାଇଜ, ଆଉ ଶୁଭିବନି ଶୋଇଯା ମାମା… ବିଜୟ ଥିଲେ ଓଡିଆ ସିନେ ଆକାଶର ଉଜ୍ଜଳ ତାରକା, ଏକ ଲମ୍ବା ମାଇଲ ଖୁଣ୍ଟ । ଅମାବାସ୍ୟାର ଅମା ଅନ୍ଧାର ଚିରି ଅଫେରା ଦୁନିଆକୁ ଚାଲିଯିବା ପରେ ଶୋକରେ ବୁଡିଲା ସାରା ଓଡିଶା…

1,400

କନକ ବ୍ୟୁରୋ: ସବୁଦିନ ପାଇଁ ଶୋଇ ଯାଇଛନ୍ତି ଓଲିଉଡର ସୁପରଷ୍ଟାର ବିଜୟ ମହାନ୍ତି । ସମସ୍ତଙ୍କ ଆଖିକୁ ଲୁହରେ ଭିଜାଇ ବିଦାୟ ନେଇଛନ୍ତି ବିଜୟ । ସମୟର ଚକା ଭଉଁରୀରେ ଶେଷ ହୋଇଯାଇଛି ଓଡ଼ିଆ ସିନେ ଜଗତର ଏକ ସ୍ୱର୍ଣ୍ଣିମ ଯୁଗ । ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିବା ବିଜୟ ବିଏ ପାସ୍ କରିବା ପରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଯୋଗ ଦେଇଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ଅଭିନୟରେ ତାଙ୍କର ବିଧିବଦ୍ଧ ଶିକ୍ଷା । ଏନଏସଡିରେ ତାଙ୍କର ସହପାଠୀ ଥିଲେ ନାସିରୁଦ୍ଦିନ୍ ଶାହା, ରାଜ ବାବର, ଓମ୍ ପୁରୀ ଭଳି ବଲିଉଡର ବିଶିଷ୍ଟ ଅଭିନେତା । ଏହା ପରେ ଦିଲ୍ଲୀରେ ଅନେକ ଥିଏଟରରେ ଅଭିନୟ କରିଥିଲେ । ମଂଚ ଅଭିନୟ ପ୍ରତି ତାଙ୍କର ବିଶେଷ ଆକର୍ଷଣ ରହିଥିଲା । ତେବେ ଓଡ଼ିଶାକୁ ଫେରିବା ପରେ ୧୯୭୭ ମସିହାରେ ଓଡ଼ିଆ ସିନେମା ‘ଚିଲିକା ତୀରେ’ରେ ଅଭିନୟ କରି ଓଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିଲେ ବିଜୟ ।

ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ହାକିମ ବାବୁ, ପୁଅ ମୋର କଳା ଠାକୁର, ଚକା ଆଖି ସବୁ ଦେଖୁଛି ଭଳି ଅନେକ ଚଳଚ୍ଚିତ୍ରରେ ସେ ଏଭଳି ଅଭିନୟ କରିଥିଲେ, ଯାହା ତାଙ୍କୁ ଦର୍ଶକଙ୍କ ହୃଦୟରେ ସ୍ଥାନ ଦେଇଥିଲା ।

ଆରତୀ, ମମତା ମାଗେ ମୂଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଂଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଭଳି ଓଡ଼ିଆ ସିନେମାରେ ସେ ଅଭିନୟର ଏପରି ଛାପ ଛାଡିଛନ୍ତି, ଯାହା ତାଙ୍କୁ ଅମର କରିଦେଇଛି ।

କେବଳ ଅଭିନୟରେ ନୁହେଁ ଭୁଲି ହୁଏନା ଭଳି ସୁପର ହିଟ୍ ସିନେମାର ନିର୍ଦ୍ଦେଶନା ଦେଇଥିଲେ ବିଜୟ । ଟିଭି ସିରିୟଲରେ ମଧ୍ୟ ବିଜୟଙ୍କ ଅଭିନୟ ଦମଦାର ଥିଲା । ଆଶାର ଆଲୋକ, ଶ୍ରୀ ଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନଦେଖିଲା ଲୋକ ଦେଖ, ମହାଜ୍ଞାନ, ବିଧାତାର ଖେଳ ଭଳି ସିରୟଲରେ ସେ ଚମକ୍ରାର ଅଭିନୟ କରିଥିଲେ । ୨୦୧୪ରେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ବିଜୟ ।
୬ ଥର ଓଡ଼ିଆ ପିଲ୍ମ ଆୱାର୍ଡ ପାଇଛନ୍ତି ସେ । (୧୯୮୧)ରେ ଆରତୀ, ୧୯୮୫ରେ ମମତା ମାଗେ ମୂଲ, ୧୯୮୬ରେ ଏଇ ଆମ ସଂସାର, ୧୯୯୧ରେ ଆମ ଘର ଆମ ସଂସାର, ୧୯୯୩ରେ ଭୀଷ୍ମ ପ୍ରତିଜ୍ଞା, ୧୯୯୪ରେ ଭାଇ ହେଲା ଭଗାରୀ ଚଳଚିତ୍ର ପାଇଁ ସମ୍ମାନିତ ହୋଇଥିଲେ ବିଜୟ । ୧୯୮୭ରେ ଦଶନ୍ଧୀର ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ସିନେ କ୍ରିଟିକ୍ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।