କନକ ବ୍ୟୁରୋ : ଆଜି ସାରା ବିଶ୍ୱ ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ । ବିଭିନ୍ନ କ୍ଷେତ୍ରରେ ପୁରୁଷର ସ୍ଥାନ ନେବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି ମହିଳା । ସାମାଜିକ, ରାଜନୈତିକ କ୍ଷେତ୍ରରେ ପୁରୁଷ ଭଳି କାମ କରି ସମାନତାର ଅଧିକାର ହାସଲ କରିଛନ୍ତି । ବିଶ୍ୱ ମହିଳା ଦିବସ ଅବସରରେ ଆସନ୍ତୁ ଦେଖିବା ସମାଜକୁ ପ୍ରେରଣା ଯୋଗାଉଥିବା କିଛି ମହିଳାଙ୍କ ପ୍ରେରଣାଦାୟୀ କାହାଣୀ ।
ଅନ୍ତର୍ଜାତୀୟ ମହିଳା ଦିବସ । ନାରୀ ଶକ୍ତିକୁ ସଲାମ୍ କରୁଛି ସାରା ବିଶ୍ୱ । ପୁରୁଷ ପ୍ରଧାନ ସମାଜରେ ମହିଳା ପୁରୁଷଙ୍କ ସ୍ଥାନ ନେଉଛନ୍ତି । ଏବେ ସବୁ କ୍ଷେତ୍ରରେ ମହିଳା ତାର କାର୍ଯ୍ୟ ଦକ୍ଷତା ଦେଖାଉଛି । ଯାଜପୁର ଜିଲ୍ଲା ଛତିଆ ଠାରେ ମହିଳାଙ୍କୁ ଭାରି ଯାନ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ରହିଛି । ସେଠାରେ ୩ ଜଣ ମହିଳା ଟ୍ରକ ଡ୍ରାଇଭିଂ ପ୍ରଶିକ୍ଷକ ଅଛନ୍ତି । ଏହି ଇନଷ୍ଟିଚ୍ୟୁଟରୁ ୯ ଜଣ ମହିଳା ହାଇୱା, ଟ୍ରକ, ବସ ଭଳି ଭାରି ଯାନ ଚଳାଇବା ଶିଖିଲେଣି । ସେପଟେ ଏହି ଟ୍ରେନିଂ ସେଣ୍ଟର ବାବଦରେ ଟୁଇଟ କରି ପ୍ରଶଂସା କରିଛନ୍ତି ଆଇପିଏସ ଅରୁଣ ବୋଥ୍ରା ।
ମହିଳା ସଶକ୍ତିକରଣ ଦିଗରେ ସଚେତନତା ସୃଷ୍ଟି ପାଇଁ ଭାରତୀୟ ରେଳବାଇର ନିଆରା ପଦକ୍ଷେପ । ମହିଳା କର୍ମଚାରୀଙ୍କୁ ନେଇ ଚାଲିଲା ଟ୍ରେନ । ଲୋକୋ ପାଇଲଟ, ସହକାରୀ ପାଇଲଟ, ଗାର୍ଡ଼, ଟିଟିଇଙ୍କ ସମେତ ଆରପିଏଫ ଯବାନ ସମସ୍ତେ ମହିଳା । ଚକ୍ରଧରପୁର ରେଲୱେ ଡ଼ିଭିଜନ ପକ୍ଷରୁ ରାଜେନ୍ଦ୍ର ନଗର-ଦୁର୍ଗ ସାଉଥ ବିହାର ଏକ୍ସପ୍ରେସ ଟ୍ରେନରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ରାଉରକେଲା ଷ୍ଟେସନରେ ଟ୍ରେନ ପହଞ୍ଚିବା ମାତ୍ରେ ସମସ୍ତଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ ଷ୍ଟେସନ କର୍ତ୍ତୃପକ୍ଷ ।
ଟ୍ରକ ଡ୍ରାଇଭିଂ ହେଉ କି, ବସରେ କଣ୍ଡକ୍ଟର କାମ । କିମ୍ବା ପେଟ୍ରୋଲ ପମ୍ପରେ ଅଏଲ ରିଫିଲିଂ କାମ । ସବୁ କ୍ଷେତ୍ରରେ ପୁରୁଷଙ୍କୁ ଟକ୍କର ଦେଉଛି ମହିଳା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି କିଛି ସେମିତି ଦୃଶ୍ୟ । ଯାହା ଦିନେ ପୁରୁଷଙ୍କ କାମ ଭାବେ ସମାଜରେ ଗଣା ହେଉଥିଲା, ସେ ସବୁ କାମ ଏବେ ମହିଳା କରିପାରୁଛନ୍ତି । ଏବେ କାମରେ ମହିଳା ପୁରୁଷ ଭେଦଭାବ ତୁଟିବାକୁ ବସିଲାଣି ।
ଆଦିବାସୀ ଅଞ୍ଚଳରେ ପୁରୁଷ ତୁଳନାରେ ମହିଳା ଅଧିକ ସକ୍ରିୟ ଓ ଉପାର୍ଜନକ୍ଷମ । ପୁରୁଷ ଅପେକ୍ଷା ଆଦିବାସୀ ମହିଳା ପରିବାରର ବୋଝ ଉଠାଇବାକୁ ଜଙ୍ଗଲକୁ ଯାଏ, କୁଲି ମଜୁରୀ କରେ । ଏପରକି ଜଙ୍ଗଲ ଜାତ ସାମଗ୍ରୀ ଧରି ବଜାରକୁ ଆସି ବିକ୍ରି କରି ଯାହା ଦୁଇ ପଇସା ପାଏ, ସେଥିରେ ପରିବାର ଚଳାଏ । କିଛି ମହିଳା ସାପ୍ତାହିକ ହାଟ ବୁଲି ପରିବା, ମାଛ ବିକ୍ରି କରି ପରିବାରର ଖର୍ଚ୍ଚ ଉଠାଇଥାନ୍ତି ।
ସମ୍ବାଦ ଭବନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସହ କନକ ନ୍ୟୁଜ, ସମ୍ବାଦ, ରେଡିଓ ଚକଲେଟ ଓ ମଞ୍ଜରୀ ଟିଭିର ମହିଳା କର୍ମଚାରୀ ସାମିଲ ହୋଇଥିଲେ ।
ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡିଶାର ଶ୍ରୁତି ମହାପାତ୍ରଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ପାଇଁ ତାଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ସେପଟେ ଏକାକି ୫୦ ହଜାର ଲୋକଙ୍କୁ କରୋନା ଟିକା ଦେଇଥିବା କଟକ ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅସ୍ଥାୟୀ ଭ୍ୟାକ୍ସିନେଟର ସୁଜାତା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଛି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ।