ଟିଆରପି ଚିନ୍ତା କାହାର ଏବଂ କରୁଛି କିଏ ? ‘ଟିଆରପି’ର ଗୋଲକଧନ୍ଦା ଭିତରେ ସାମ୍ବାଦିକର କାହାଣୀ…

310

କନକ ବ୍ୟୁରୋ: ଆମ ଦେଶରେ ବିଶାରଦଙ୍କ ଉଣା ନାହିଁ । ଆପଣ ପ୍ରତି ଘରେ ଜଣେ ଜଣେ ବିଶାରଦଙ୍କୁ ପାଇବେ । କିଏ କ୍ରିକେଟରେ ପାରଙ୍ଗମ ତ’ ଆଉ କିଏ ଚିକିତ୍ସା ବିଜ୍ଞାନରେ । ବିରାଟ୍ କୋହଲି, ଏମିତି ସଟ୍ ମାରିବାର ନଥିଲା । ଟସ୍ ଜିତି ବ୍ୟାଟିଂ କାହିଁ ନେଉଥିଲା । ଏମିତି କିଏ କେଉଁ ଡାଉନ୍ରେ ଖେଳିବା କଥା, କୋଚ୍ ରବି ଶାସ୍ତ୍ରୀ ଏବଂ କ୍ୟାପଟେନ୍ କୋହଲିଙ୍କ ଜ୍ଞାନକୁ ଏମାନେ ପଛରେ ପକାଇ ଦେବେ । କିନ୍ତୁ କଥା ହେଉଛି, ଟିପ୍ପଣୀ କରୁଥିବା ଲୋକଙ୍କ ମଧ୍ୟରୁ ଅନେକ  କ୍ରିକେଟ୍ ବ୍ୟାଟ୍ କିମ୍ବା ବଲ୍ ଧରି ବି ନଥିବେ ।

ଇଏ ତ’ ଗଲା କ୍ରିକେଟ୍ କଥା, ଏବେ ଚିକିତ୍ସା କଥାକୁ ବିଚାର କରାଯାଉ । ଘରେ କାହାର ଥଣ୍ଡା କାଶ ହୋଇଗଲା ମାନେ ଆପଣ ଏକ୍ସପର୍ଟ ରାୟ ଶୁଣିବା ଯେମିତି ଥୟ । କେଉଁ ରୋଗ ହୋଇଛି, କେଉଁ କାରଣରୁ ହେଲା ଏବଂ କେଉଁ ଔଷଧ ଖାଇଲେ ଭଲ ହୋଇଯିବ ଏହି ସବୁ କଥା ଜାଣନ୍ତି ଏହି ଶ୍ରେଣୀୟ ବିଶାରଦମାନେ । ଲାଗିବ ଯେମିତି ଏମାନେ ବିଶେଷଜ୍ଞ ଡାକ୍ତରଙ୍କୁ ବି ପଛରେ ପକାଇଦେବେ ।

ମୋଟାମୋଟି ଭାବେ କହିବାକୁ ଗଲେ ଆମେ ଏଭଳି ଏକ ପରିବେଶରେ ବଢ଼ିଆସିଛେ, ଯେଉଁଠି ତାଲିମ ପ୍ରାପ୍ତ ବୃତ୍ତିଧାରୀଙ୍କ କାମ ସଂପର୍କରେ ସହଜରେ ଟିପ୍ପଣୀ ଦେଉଥାଉ ବା ଶୁଣିଥାଉ । ଆଉ ଏହି କ୍ରମରେ ଏବେ ଯୋଡ଼ି ହୋଇଯାଇଛି ଟିଆରପି । ଟିଆରପି ଅର୍ଥାତ୍ ଟେଲିଭିଜନ୍ ରେଟିଂ ପଏଂଟ । କେଉଁ ଟିଭି କାର୍ଯ୍ୟକ୍ରମ ବା କେଉଁ ଟିଭି ଚ୍ୟାନେଲକୁ କେତେ ଦର୍ଶକ ଦେଖୁଛନ୍ତି, ତାହା ଜାଣିବାର ମାପଦଣ୍ଡକୁ ଟିଆରପି କୁହାଯାଏ ।

ଟିଭି ସାମ୍ବାଦିକମାନଙ୍କୁ ସବୁବେଳେ ଏକ ଅପବାଦ ମୁଣ୍ଡାଇବାକୁ ପଡ଼େ । କୁହାଯାଏ- ଆମେ ଯାହା ବି ଦେଖାଉଛୁ-କେବଳ ଟିଆରପି ପାଇଁ? ଆମ ଦେଶରେ ଅଭିବ୍ୟକ୍ତିର ସ୍ୱାଧୀନତା ଅଛି, କିଏ କିଛି ବି କହି ପାରିବ? କିନ୍ତୁ ଛାତିରେ ଥରେ ହାତ ରଖି ନିଜକୁ ପଚାରିଲେ, ସତରେ କ’ଣ ଟିଭି ସାମ୍ବାଦିକମାନେ କେବଳ ଟିଆରପି ପାଇଁ ସବୁ କିଛି ଖବର କରନ୍ତି? ସେମାନଙ୍କର କୌଣସି ସାମାଜିକ କିମ୍ବା ରାଷ୍ଟ୍ରୀୟ ଦାୟିତ୍ୱ ନାହିଁ? ଆପଣଙ୍କୁ ଖବର ସଂପର୍କରେ ଅବଗତ କରିବାରେ ଏମାନଙ୍କର କୌଣସି ଭୂମିକା ନାହିଁ? ସଠିକ୍ ଓ ନିର୍ଭୁଲ ଖବର ଦେବା ପାଇଁ ଟିଭି

ସାମ୍ବାଦିକମାନେ କ’ଣ କିଛି ବି କରନ୍ତି ନାହିଁ ?  

ବ୍ୟକ୍ତିଗତଭାବେ ମୋତେ ଲାଗେ-ସାମ୍ବାଦିକତା ହେଉଛି- ଏକ ‘ଥ୍ୟାଙ୍କ୍ଲେସ୍ ଜବ’ ଅର୍ଥାତ୍ କେହି ପ୍ରଶଂସା କରୁନଥବା ପେଶାଟିଏ । ସାମ୍ବାଦିକଙ୍କ ଜୀବନଶୈଳୀକୁ ଥରେ ନିଜେ ଅନୁଭବ କରନ୍ତୁ । ହୋଲି ହେଉ, ଦୀପାବଳି ହେଉ ଯେତେବେଳେ ଆପଣମାନେ ଉତ୍ସବ ପାଳନ କରୁଥାନ୍ତି, ଟିଭି ସାମ୍ବାଦିକ ବୁମ୍ଟିଏ ଧରି ଆପଣଙ୍କ ଖୁସିର ମୁହୂର୍ତ୍ତକୁ ସାଉଁଟୁଥାଏ । ଆପଣ କେମିତି ଖୁସିରେ ଉତ୍ସବ ପାଳନ କରୁଛନ୍ତି, ସେ ଦୁନିଆକୁ ଜଣାଉଥାଏ । ଆପଣଙ୍କ ଖୁସିରେ ସେ ନିଜ ଖୁସି ଖୋଜୁଥାଏ । ଆପଣ କେବେ ଭାବିଛନ୍ତି- ତା’ର ବି ପରିବାରଟିଏ ଅଛି, ସେ ବି ଉତ୍ସବ ପାଳନ କରିବାକୁ ଚାହୁଁଥିବ । ହୁଏତ ତ’ ଆପଣମାନେ କେବେ ଚିନ୍ତା କରନ୍ତି ନାହିଁ, ନହେଲେ ସବୁ କଥା ଟିଆର୍ପିରେ ସୀମିତ କରୁନଥାନ୍ତେ ।

ବାତ୍ୟା ସମୟର କଥା ମନେ ପକାନ୍ତୁ । ବର୍ଷା ପବନରେ ଠିଆ ହୋଇଥିବା ସେହି ସାମ୍ବାଦିକର ଚେହେରା ଥରେ ମନେ ପକାନ୍ତୁ । ତାକୁ କ’ଣ ଡର ଲାଗେନି । ସେ କ’ଣ ଆମମାନଙ୍କ ଭିତରୁ ଜଣେ ନୁହେଁ? ଆପଣ କେମିତି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷିତ ରହିବେ,  ସେଥିପାଇଁଁ ଟିଭି ସାମ୍ବାଦିକ ଜଣକ କାହିଁକି ନିଜ ଜୀବନକୁ ବାଜିରେ ଲଗାଇ ଦିଏ? ଏହା ପଛରେ କେବଳ କ’ଣ ଟିଆର୍ପି ହିଁ ଏକମାତ୍ର କାରଣ? ଟିଭି ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁ କ’ଣ ଏହି ଟିଆର୍ପି ପାଇଁ ବଳିଦାନ ଦେଇଥିଲେ । ଛତିଶଗଡ଼ରେ ମାଓବାଦୀଙ୍କ ଗୁଳିରେ ପ୍ରାଣ ଦେବା ପଛରେ ପେଶା ପ୍ରତି ନିଷ୍ଠା ବୋଲି କ’ଣ କିଛି ନଥିଲା?

ଆଜିର ଦିନରେ ଟିଆରପି କ’ଣ ଏବଂ କ’ଣ କଲେ ଏହା ବଢ଼େ, ସାମାନ୍ୟ ପଢ଼ାପଢ଼ି (ଗବେଷଣା) କଲେ ଯେ, କେହି ବି ସମ୍ୟକ ସୂଚନା ପାଇପାରିବ । ଏହା କୌଣସି ପରମାଣୁ ବିଜ୍ଞାନ ନୁହେଁ ଯେ, ବିଶେଷ ଅବୁଝା ରହିବ । କିନ୍ତୁ ଆପଣ ଟିଆର୍ପି ସଂପର୍କରେ ସାମାନ୍ୟ ଜାଣିଗଲେ ଯେ, ଆପଣ ବିଶାରଦ ହୋଇଗଲେ, ଏହା ଧରିନେବା ବଡ଼ ଅସୁବିଧା । ଯାହା ଆଜିର ଦିନରେ ଘଟୁଛି । ଶେଷରେ କେବଳ ଏତିକି କୁହାଯାଇପାରେ ଯେ, କ୍ରିକେଟ ଦେଖୁଥିବା ଦର୍ଶକ, ଖେଳ ଉପରେ ସାମାନ୍ୟ ଜ୍ଞାନ ରଖିବା ସ୍ୱାଭାବିକ । ଠିକ୍ ସେହିପରି ରୋଗରେ ପଡ଼ିଥିବା ବ୍ୟକ୍ତି କିମ୍ବା ଚିକିତ୍ସା କରାଇଥିବା ଜଣେ ବ୍ୟକ୍ତି ରୋଗୀ ସଂପର୍କରେ ସର୍ବନିମ୍ନ ଜ୍ଞାନ ବି ରଖିପାରେ । ତା’ ଅର୍ଥ କ’ଣ ଆମେ ସେମାନଙ୍କୁ ବିଶାରଦ ବା ବିଶେଷଜ୍ଞ କହିବା?

ପ୍ରତ୍ୟୁଷ କୁମାର ସା

ମୋବାଇଲ-୯୪୩୭୩-୬୬୯୮୪

(ଏହା ସାମ୍ବାଦିକ ପ୍ରତ୍ୟୁଷ କୁମାର ସା’ଙ୍କ ବ୍ୟକ୍ତିଗତ ମତ । ଏହା କନକ ନ୍ୟୁଜର ମତ ନୁହେଁ)