କନକ ବ୍ୟୁରୋ: ‘ଆତ୍ମହତ୍ୟା’... କିଏ ପ୍ରତାରିତ, କିଏ ପ୍ରାୟଶ୍ଚିତ ଆଉ କିଏ ନିର୍ଯାତିତ ପାଇଁ ନିଜ ଆତ୍ମାର ହତ୍ୟା କରେ । ସ୍ୱଇଚ୍ଛାରେ ନିଜକୁ ମାରିବା ଭଳି ଚରମନିଷ୍ପତି ନେଇଯାଏ ଜଣେ ଅବସାଦିତ ବ୍ୟକ୍ତି । ହେଲେ ଗୋଟିଏ ଆତ୍ମହତ୍ୟା ଯେ କେତେ ଆତ୍ମାକୁ ହତ୍ୟା କରେ ଆଉ ସଂସାର ଉଜାଡ଼ି ଦିଏ ତାହା କ’ଣ ମରୁଥିବା ଲୋକଟିଏ ବୁଝିପାରେ କି? ସଂସାରର ଶବ୍ଦକୋଷରେ ମୃତ୍ୟୁର ଦଶମ କାରଣ ବୋଲାଉଥିବା ‘ଆତ୍ମହତ୍ୟା’ର ସଜ୍ଞାକୁ ବୁଝିବା ଆଉ ଆଜିର ଯୁବପିଢ଼ୀଙ୍କୁ ବୁଝାଇବା ଆବଶ୍ୟକ ।
ମଣିଷ ଆତ୍ମହତ୍ୟା କରେ କାହିଁକି?
ଯେବେ ସେ ନିଜକୁ ଅଯୋଗ୍ୟ, ଅସମର୍ଥ ଭାବେ... ଯେବେ ବଦନାମ ତା’ ବଞ୍ଚିବାର ବାଟକୁ ବିବାଦିତ କରେ!! ଯେବେ ନିର୍ଯାତନାର ନିଆଁ ତା ଜୀବନକୁ ପ୍ରତି ମୁହୂର୍ତ୍ତରେ ଜଳାଏ... ଋଣବୋଝ ତା’ ଚରିତ୍ରରର ଚାଲାପଥରେ ଚିକ୍ରାର କରେ, ବୋଧ ହୁଏ ସେତେବେଳେ ସେ ଆତ୍ମା ଆଖିବୁଜିବାକୁ ନିଷ୍ପତି ନିଏ ।
ଦେଶ ହେଉ କି ବିଦେଶ । ଧନୀ ହେଉ କି ଗରୀବ, ସେଲିବ୍ରିଟି ହେଉ କି ସାଧାରଣ ମଣିଷ । ତା’ ପାଇଁ ଆତ୍ମହତ୍ୟା ଏକ ଅପ୍ରିୟ ସତ ଆଉ କଳାରାତିର କାଳ । କେତେବେଳେ କାହା ସଂସାରକୁ ଘୋଟିଆସେ ଏ ଆତ୍ମହତ୍ୟାରୂପୀ କଳାବାଦଲ ତାହା ଭାବିବା ମୁସ୍କିଲ । ଅସହାୟ, ଅବସାଦ, ନିନ୍ଦା-ଅପବାଦରୁ ବଞ୍ଚିବା ପାଇଁ ଏହାକୁ ବିକଳ୍ପ ଭାବେ ସେ ଅଯୋଗ୍ୟ ଆତ୍ମା । ହଁ ଦିନକୁ ଦିନକୁ ଆମେ ଆଧୁନିକ ହେଉଛେ, ଆତ୍ମହତ୍ୟାକୁ ରୋକିବା ପାଇଁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ବି ପାଳନ କରୁଛେ । କିନ୍ତୁ କଲେଜ ପଢୁଆ ଯୁବପୀଢ଼ି ସଚେତନ କେତେ? ସେଲିବ୍ରିଟି ଯଦି ଆତ୍ମହତ୍ୟା କରିପାରିଲା ମୁଁ କାହିଁକି ନୁହେଁ ଭାବିବା...କେବଳ ଜଣେ ଅଯୋଗ୍ୟ ଆଉ ଅସମର୍ଥ ଆତ୍ମାର ପରିଚୟ ।
ଆତ୍ମହତ୍ୟା କରି କି ଲାଭ?
ହଁ ଆତ୍ମହତ୍ୟାର କାରଣ ଅନେକ କିଛି ହୋଇପାରେ । ହେଲେ ସ୍ୱଇଚ୍ଛାରେ ନିଜକୁ ହତ୍ୟା କରୁଥିବା ଲୋକଟିଏ କେବେ ଭାବିଛି କି??? ଗୋଟିଏ ଆତ୍ମାର ହତ୍ୟା କରିବା ମାନେ ଅନେକ ଆତ୍ମାକୁ ହତ୍ୟା କରିବା ସହ ସମାନ । କାରଣ ତୁମ ଯିବା ପରେ ପରେ ଟାହିଟାପରା ଟେନସନ୍, ସାହିପଡ଼ିଶା କରୁଥିବା ସମାଲୋଚନାର ଶିକାର, ଜୀବନ ବୋଝଠୁ ବଳି ପଡ଼ିଥିବା ଋଣବୋଝ!!! ତୁମ ପରିବାରକୁ ବଞ୍ଚିବାକୁ ଦେବ ତ? ଆତ୍ମହତ୍ୟା ପରର ଅବସ୍ଥା, ତୁମ ଘର ସଂସାର ବିକଳ ବ୍ୟବସ୍ଥା ଉପରେ ଥାଇ ଦେଖିପାରିବ ତ?
ଆତ୍ମହତ୍ୟାକୁ ଜୀବନର ଶେଷ ସମାଧାନ ଭାବିବା ପୂର୍ବରୁ ଥରେ ନିଜ ଆତ୍ମାକୁ ପଚାରିବ । ପ୍ରଶ୍ନ ପରେ ପ୍ରଶ୍ନ କରିବ?? ଯଦି ତୁମେ ପ୍ରକୃତରେ କାହାକୁ ଭଲ ପାଉଥାଅ, ପ୍ରତାରିତ ପରେ ତା’ ପାଇଁ ଜୀବନ ନୁହେଁ ତୁମ ପାଇଁ ପ୍ରଚୁର ସମୟ ଦିଅ । ଋଣବୋଝ ପାଇଁ ତୁମ ଅସ୍ତିତ୍ୱକୁ ତ୍ୟାଗ କରିବା ପୂର୍ବରୁ ତୁମକୁ ଅପେକ୍ଷା କରିଥିବା ନିଜଲୋକ ପରିବାର କଥା ଭାବିଦେଖ!! ଆତ୍ମା ଆଉ ଶରୀର ପରସ୍ପର ଅଙ୍ଗାଅଙ୍ଗୀ ଜଡ଼ିତ, ଦୁହିଁକୁ ଅଲଗା କରିବା ଅଧିକାର ତୁମକୁ ଦେଇନାହାନ୍ତି ଭଗବାନ । ତେଣୁ ସବୁ ସମସ୍ୟାର ସମାଧାନ ନୁହେଁ ଆତ୍ମହତ୍ୟା । ବରଂ ସମସ୍ୟାକୁ ନଡରି ତା’ ସାମ୍ନାରେ ଦମ୍ଭ ଦେଖାଇ ବଞ୍ଚିବା ଶିଖିପାରିଲେ ହିଁ ଜଣେ ବୁଦ୍ଧିବାନ୍ ବ୍ୟକ୍ତିର ପରିଚୟ ।