କୁଆଡେ ଗଲେ ମୋ ଭକ୍ତ ? କାଳିଆ ଆସିଥିଲା, ଭକ୍ତ ନଥିଲା… ବଦଳିଛି ଶ୍ରୀକ୍ଷେତ୍ର, ବଡ ହୋଇଛି ବଡଦାଣ୍ଡ । ହେଲେ ସେ ଦାଣ୍ଡରେ ନଥିଲା ଜନସମୁଦ୍ର । ଖାଁ ଖାଁ ଭିତରେ କୋଟି କୋଟି ଭକ୍ତଙ୍କୁ ଖୋଜୁଥିଲା ଚକାଡୋଳା । ଅଣସର ଘରକୁ ଫେରିବା ବେଳେ ଟାହିଆ ହଲାଇ ଯିବିନି ଯିବିନି ବୋଲି ନା କହୁଥିଲା ଜଗା…

ଅଣସର ପିଣ୍ଡିକୁ ଫେରିଯିବା ବେଳେ ଭକ୍ତଙ୍କୁ ଭାରି ଖୋଜୁଥିଲା ଏ ଚକା ନୟନ । ସତେଯେମିତି ପହଣ୍ଡି ବେଳେ ଇଚ୍ଛା ନଥିବା ଭଳି ମନଉଣା କରି ବାହୁଡୁଥିଲେ ମହାବାହୁ । ଆଉ ଝୁଲି ଝୁଲି ଯିବା ବେଳେ କଣେଇ କଣେଇ ଚାହୁଁଥିଲେ, ଟାହିଆ ହଲେଇ କହୁଥିଲେ ନା ନା ମୁଁ ଜମା ଯିବିନି । ମୋ ଭକ୍ତ ମତେ ଘରୁ ଡାକୁଛି...

648

କନକ ବ୍ୟୁରୋ: ବଡଦାଣ୍ଡରୁ ଦିଶିଲେ ବଡଠାକୁର । ଭକ୍ତଙ୍କୁ ଦେଖାଦେଲେ ଭଗବାନ । କରୋନା କଣକଣା ଭିତରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭାବର ଠାକୁର । ଆଉ ଦୀର୍ଘ ଦିନ ଧରି ଜଗାକୁ ଦେଖି ନଥିବା ଭକ୍ତଙ୍କ ଆଖି କୃତ୍ୟକୃତ୍ୟ ହୋଇଛି । ସାମ୍ନାରେ ନୋହିଲା ନାହିଁ ଟିଭି ଆଗରେ ହେଉ ପଛେ କାଳିଆକୁ ଦେଖି କିଏ କାନ୍ଦୁଥିଲା ତ କିଏ ମୋବାଇଲରେ ମହାପ୍ରଭୁଙ୍କ ଗୋଟିଏ ଝଲକ ପାଇ ଦୂରରୁ ଦୂରରୁ ଦାସିଆ ବାଉରୀ ପରି ହାତଟେକି ଝୁରୁଥିଲା ।

ସ୍ନାନଯାତ୍ରାରେ ଶ୍ରୀକ୍ଷେତ୍ରରୁ ଆସିଥିବା ଭିନ୍ନ ଭିନ୍ନ ଚିତ୍ର ଉଭୟ ଜଗା ଆଉ ତାର ଭକ୍ତଙ୍କୁ ଭାବବିହ୍ୱଳ କରିଛି । ବରଷକୁ ଥରେ ଭାବବିନୋଦିଆ ଠାକୁରର ଯେଉଁ ବଡ ବଡ ଚକାଆଖିକୁ ଦେଖିବାକୁ ଭକ୍ତ ଚାତକ ପରି ଚାହିଁ ରହିଥାଏ ଆଉ ବଡଦାଣ୍ଡକୁ ଆସି ଚକାଆଖି ଦେଖି ଲୁହ ଝରାଏ ଏଥର କିନ୍ତୁ କାଳିଆର କରୁଣାରୁ ବଞ୍ଚିତ ହୋଇଛି ତା ପ୍ରିୟ ଭକତ । ମହାମାରୀ ପାଇଁ ମେଘନାଦ ପାଚେରୀ ଚାରିପାଖେ କଟକଣା ଲାଗିଛି । ଆଉ ସେଥିପାଇଁ ଭକ୍ତ-ଭଗବାନ ମଝିରେ ଦୂରତା ବଢ଼ିଛି ।

ଯେଉଁ ବଡ଼ଦାଣ୍ଡ ଦିନେ ଜନସମୁଦ୍ର ଥାଏ, ସେହି ଦାଣ୍ଡ ଆଜି ଜନଶୂନ୍ୟ । ଜଗା ଫି ବର୍ଷ ଯେବେ ବାହାରକୁ ଆସେ ସେବେ ଭକ୍ତ-ଭଗବାନର ଆଖି ମିଶିଯାଏ । କାହିଁ କେତେ ଦୂରୁ ଧାଇଁ ଆସିଥିବା କୋଟି କୋଟି ଭକ୍ତଙ୍କୁ ସ୍ନାନବେଦୀରୁ ସେମିତି ଦେଖୁଥାଏ କାଳିଆ । ଆଉ ଭକ୍ତର ଆଖିବି ତା ଆଖିରେ ଲାଖିହୋଇ ରହିଥାଏ । ଏମିତି ଲାଗେ କାଳିଆ ମତେ ଦେଖୁଛି, ଆଉ ମୁଁ କାଳିଆକୁ । ହେଲେ ଏଥର ଘରେ ରହିଛି ଭକ୍ତ, କାଳିଆକୁ ନଦେଖି ପାରି ଘରେ କାନ୍ଦୁଛି । ଆଉ ଭକ୍ତବିନା ସ୍ନାନବେଦୀରେ ମନମାରୀ ଭିତରେ ଭିତରେ କାନ୍ଦୁଛି କାଳିଆ ସାଆନ୍ତ ।

ସେପଟେ ଶ୍ରୀକ୍ଷେତ୍ରର ନବକଳେବର ହେବା ସହ ବଡ଼ଦାଣ୍ଡ ଚଉଡା ହୋଇଛି, ଦୃଶ୍ୟ ବଦଳିଯାଇଛି । ନୀଳକନ୍ଦରରୁ ବାହାରକୁ ଆସି ବଡ ଠାକୁର ବଡଦାଣ୍ଡର ନୂଆରୂପ ଦେଖିଛନ୍ତି ସତ । ହେଲେ ସେ ଚଉଡା ରାସ୍ତାରେ ଚକାଆଖି ଭକ୍ତଙ୍କୁ ଖୋଜୁଥିଲା । ଆଉ ପ୍ରତି ବର୍ଷ ପରି ଭକ୍ତର ଭାବଭରା ଦୃଶ୍ୟକୁ ଖାଁ ଖାଁ ଦାଣ୍ଡରେ ଖୋଜୁଥିଲା । ବୋଧେ ସେଇଥିପାଇଁ ଅଣସର ପିଣ୍ଡିକୁ ଫେରିଯିବା ବେଳେ ଭକ୍ତଙ୍କୁ ଭାରି ଖୋଜୁଥିଲା ଏ ଚକା ନୟନ । ସତେଯେମିତି ପହଣ୍ଡି ବେଳେ ଇଚ୍ଛା ନଥିବା ଭଳି ମନଉଣା କରି ବାହୁଡୁଥିଲେ ମହାବାହୁ । ଆଉ ଝୁଲି ଝୁଲି ଯିବା ବେଳେ କଣେଇ କଣେଇ ଚାହୁଁଥିଲେ, ଟାହିଆ ହଲେଇ କହୁଥିଲେ ନା ନା ମୁଁ ଜମା ଯିବିନି । ମୋ ଭକ୍ତ ମତେ ଘରୁ ଡାକୁଛି…