ସୀମା ଜଗୁଥିଲେ, ଗାଁ ପାଇଁ ସ୍ୱପ୍ନ ଦେଖୁଥିଲେ… ସ୍ୱପ୍ନ ସାକାର ହେବା ପୂର୍ବରୁ ସହିଦ ହୋଇଗଲେ ଓଡିଆ ଯବାନ । ଜାଣନ୍ତୁ ମାଟି ମାଆ ପାଇଁ କେଉଁ ସ୍ୱପ୍ନ ଦେଖିଥିଲେ ସାହସୀ ଚନ୍ଦ୍ରକାନ୍ତ…

986

କନକ ବ୍ୟୁରୋ: ମରଶରୀର ଆସିଲା, ମାଟି ମାଆ କାନ୍ଦିଲା । ଭୁବନେଶ୍ୱରରେ ବୀର ଓଡିଆ ଯବାନଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଛି ଗାଁ ମାଟି । ଗେହ୍ଲା ପୁଅ ଚନ୍ଦ୍ରକାନ୍ତଙ୍କ ମର ଶରୀର ଓଡିଶା ମାଟି ଛୁଇଁବା ପରେ କଇଁକଇଁ କାନ୍ଦିଛି କନ୍ଧମାଳ, ଛାତିପିଟି ବାହୁନି ବାହୁନି କାନ୍ଦୁଛନ୍ତି ରାଇକିଆ ବିଅରପାଙ୍ଗା ଗାଁ ଲୋକେ । ଆଉ ସୀମାରେ ପୁଅ ସହିଦ ହେବା ପରେ ଦୁଃଖରେ ମ୍ରିୟମାଣ ପରିବାର ପାଣି ବି ପିଇନି… ଏତିକି ବେଳେ ପୁଅର ପ୍ରାଣବଳୀ ପାଇଁ ଲୁହ ପୋଛି ଗର୍ବ କରିଛି ମାଆ…

ସୀମାରେ ସଙ୍ଘର୍ଷ ହେବାର  ୨ ସପ୍ତାହ ତଳେ ଘରକୁ ଶେଷ ଭିଡିଓ କଲ କରିଥିବେ ସହିଦ ଯବାନ । ଆଉ ବାପାମାଆଙ୍କର ଦେଖାଶୁଣା କରିବା ସହ ତାଙ୍କ ପ୍ରିୟ କୁକୁରର ଯତ୍ନ ନେବାକୁ ବି ତାଙ୍କ ଭଉଣୀକୁ କହିଥିଲେ ଚନ୍ଦ୍ରକାନ୍ତ ।

ତେବେ ଖାଲି ଘର ପରିବାର ନୁହେଁ ବରଂ ନିଜ ଗାଁ, ନିଜ ମାଟି ମାଆ ପାଇଁ ବି ଅନେକ ସ୍ୱପ୍ନ ଦେଖିଥିଲେ ବୀର ଯବାନ ଚନ୍ଦ୍ରକାନ୍ତ । ଆଉ ତାଙ୍କର ସବୁ ସ୍ୱପ୍ନ ଚୀନ ସୀମାରେ ସମାଧି ନେଇଛି । ତେବେ ନଜର ପକାନ୍ତୁ କଣ ଥିଲା ସହିଦ ଚନ୍ଦ୍ରକାନ୍ତଙ୍କ ୪ଟି ସ୍ୱପ୍ନ ଯାହା ଅଧୁରା ରହିଗଲା…

ଭଉଣୀକୁ ଭଲ ପାଠ ପଢାଇବା । ଗାଁକୁ ଗଢିବା, ଗାଁର ଉନ୍ନତି କରିବା । ସମସ୍ତେ ଶିକ୍ଷିତ ହୋଇ ଗାଁରୁ ସହର ମୁହାଁ ହେବା । ନିଜ ଗାଁକୁ ମଦମୁକ୍ତ ଗାଁ କରିବା । ଗାଁର ବିକାଶ ପାଇଁ, ମାଟିର ଉନ୍ନତି ପାଇଁ ସବୁବେଳେ ଚିନ୍ତା କରୁଥିବା ସୁନାପୁଅ ଚନ୍ଦ୍ରକାନ୍ତଙ୍କୁ ହରାଇ ଗାଁ ଭାଙ୍ଗିପଡିଛି ଆଉ ତାଙ୍କ ଶେଷ ଦର୍ଶନ କରିବାକୁ ଚାହିଁବସିଛି…