ଆଧୁନିକ ଯୁଗରେ ଅତୀତର ଅଫେରା ସ୍ମୃତି । ରଙ୍ଗୀନ ପରଦାରେ ଫେରିବ ପିଲାଦିନର ମିଠା ମୁହୂର୍ତ୍ତ, ୮୦ ଦଶକର ପୁରାଣ କାହାଣୀ ଲେଉଟାଇବ ଜୀବନର ପୁରୁଣା ଫର୍ଦ୍ଦ...

Advertisment
ଆଧୁନିକ ଯୁଗରେ ଅତୀତର ଅଫେରା ସ୍ମୃତି । ରଙ୍ଗୀନ ପରଦାରେ ଫେରିବ ପିଲାଦିନର ମିଠା ମୁହୂର୍ତ୍ତ, ୮୦ ଦଶକର ପୁରାଣ କାହାଣୀ ଲେଉଟାଇବ ଜୀବନର ପୁରୁଣା ଫର୍ଦ୍ଦ...

କନକ ବ୍ୟୁରୋ: ପିଲାଦିନର ସ୍ମୃତି ଫେରିବ, ରଙ୍ଗୀନ ଟିଭିରେ ପୁରୁଣା ଦିନର କଳାଧଳା କାହାଣୀ ଫର୍ଚ୍ଚା ଫର୍ଚ୍ଚା ହେବ ଆଉ ସେଦିନର ସେହି ମିଠା ମୁହୂର୍ତ୍ତ ସତେଜ ହୋଇଯିବ । ପାକଳ ହୋଇ ଆସୁଥିବା ଛାତି ତଳୁ ପିଲାବେଳର ଧୂଳିଖେଳ, ଆମ୍ବତୋଟା ମେଳ, ସାଙ୍ଗସାଥୀ ଓ ଗାଁ ଗହୀର ବିଲର ମାଛଧରା ମୂହୂର୍ତ୍ତ ଧିରେଧିରେ ଫିକା ଫିକା ହେଉଛି... ବ୍ୟସ୍ତବହୁଳ ଜୀବନ ଭିତରେ ପିଲାବେଳ ମନେପକାଇବାକୁ କାହା ପାଖରେ ବା ସମୟ ଅଛି ହେଲେ କେବେକେବେ ଯଦି ପିଲାଦିନର ସେ ସ୍ମୃତିଭିଜା ଉତ୍ତରା ପବନ ଛାତି ଭିତରକୁ ଠେଲି ହୋଇ ଆସେ ତେବେ ମନତଳର ସେ ଅଦେଖା କ୍ଷତରୁ ସ୍ମୃତିର ରକ୍ତ ଝରେ ଆଉ ତାଜା ହୋଇଯାଏ ପିଲାଦିନ... ଠିକ ସେମିତି ଲକଡାଉନ ସମୟରେ ଲୋକପ୍ରିୟ ଧାରାବାହିକ ରାମାୟଣ ଓ ମହାଭାରତ ଟିଭି ପରଦାକୁ ଫେରିବା କଥା ଅନେକଙ୍କ ମନରେ ପିଲାଦିନର ସେ ପୁରୁଣା ପୃଷ୍ଠାକୁ ଆଉ ଥରେ ଲେଉଟାଇ ଦେଇଛି...

୮୦ ଦଶକରେ ରାମାୟଣ, ମହାଭାରତକୁ ନେଇ ନିପଟ ମଫସଲି ଗାଁର ଚିତ୍ର ଥିଲା ଟିକେ ନିଆରା । ଗାଁର ମହାଜନ ଘରେ ଗୋଟିଏ ଟିଭି ଥିବ, ତାହା ବି ପୁଣି କଳାଧଳା । ଆଉ ସଞ୍ଜ ହେବା କ୍ଷଣି ତାଙ୍କ ଘର ଅଗଣାରେ ଲାଗିଥିବ ଲୋକଙ୍କ ଗହଳି । ପିଲାଠାରୁ ବୁଢା ସମସ୍ତେ ଆସନଟେ ଧରି ତାଙ୍କ ଘରକୁ ଧାଇଁଥିବେ । ରାମାୟଣ ଆରମ୍ଭ ହେବ ଲୋକେ ମୁଣ୍ଡିଆ ମାରିବେ । ଏମିତିକି କେହି କେହି ଖାଇବା ଅଧାରୁ ଉଠି ରାମାୟଣ, ମହାଭାରତ ଦେଖିବାକୁ ଟିଭି ଆଗରେ ଅଇଁଠା ହାତରେ ଛିଡା ହୋଇଥିବାର ଦେଖିବାକୁ ମିଳେ...

publive-image

ଖାଲି ସେତିକି ନୁହେଁ ଗାଁର ଯାନି ଯାତ୍ରା, ଠାକୁରାଣୀ ପୂଜା, ଗଣେଶ ବ୍ରତ ଆଉ ଝିଅ ପିଲାଙ୍କ କୋଇଲି ଓଷାରେ ବି ରାମାୟଣ, ମହାଭାରତକୁ ଭିଡିଓ କରି ଦେଖାଯାଏ । ଭଡାରେ ରିଲ ଲଗା କେସେଟ ଆସିବ, ଗାଁ ମଝିରେ ବଡ ବଡ ବ୍ୟାଟେରୀ ଆଣି ଟିଭି ଲାଗିବ ଆଉ ଗାଁ ସାରା ଲୋକେ ରୁଣ୍ଡ ହୋଇ ସାରାରାତି ଦେଖିବେ... ଯେଉଁଦିନ ରାତିରେ ଗାଁରେ ଭିଡିଓ ହେବାର ଥିବ ସେଦିନ ଲୋକେ ସଞ୍ଜ ପହରୁ ଆସନ ପାରି ନିଜ ନିଜ ଜାଗା ଅକ୍ତିଆର କରି ସାରିଥିବେ... ଅଧ ରାତିରେ ସୀତା ପାତାଳି ହେବା ଦେଖି କିଏ କାନ୍ଦୁଥିବ ତ ପୁଣି କିଏ ରାବଣକୁ ମନଇଚ୍ଛା ଗାଳି ଦେଉଥିବ... ।

ଗାଁରେ ଟିଭି ଦେଖିବା ବେଳେ ସବୁଠାରୁ ଅଭୁଲା ସ୍ମୃତି ହେଉଛି ଟିକେ ବର୍ଷା, ପବନରେ ଯେତେବେଳେ ବାଉଁଶରେ ବନ୍ଧା ସିଲଭର ଖାଡି ଖାଡି ଆଣ୍ଟିଆ ଦୋହଲି ଯାଏ ସେତେବେଳେ ଘରର ମୁରବିମାନେ ଆମ ପରି ସାନ ମାନଙ୍କୁ କହନ୍ତି, ବାବାରେ... ଗଲୁ ଗଲୁ ଟିକେ ଆଣ୍ଟିନାଟା ବୁଲେଇ ଦେଲୁ... ଆଉ ତାପରେ ବି ଯଦି ଟିଭିନଚାଲେ, ତେବେ ରାଗରେ ଟିଭି ପଛପଟକୁ ଢୋଲ ପିଟିଲା ପରି ୨-୪ ପାହାର ବାଡେଇ ଦେଲେ ପୁଣି ମନକୁ ମନ ଚାଲେ କଳାଧଳା ଟିଭିର ଅଟକି ଯାଇଥିବା ରଙ୍ଗୀନ ମନ...ଏମିତି ଥିଲା ଆମ ପିଲାଦିନ, ବାପାମାଆ ଓ ଜେଜେ, ଜେଜେମାଙ୍କ ସମୟର ରାମାୟଣ-ମହାଭାରତକୁ ନେଇ ସ୍ମୃତି ।

publive-image

କରୋନା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ କେନ୍ଦ୍ର ସରକାର ରାମାୟଣ, ମହାଭାରତକୁ ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନେବା ପରେ କେଉଁଠି ନା କେଉଁଠି ପିଲାଦିନ ମନେପଡି ଯାଇଛି । ଆଜିର ହ୍ୱାଟସପ, ଇଣ୍ଟରନେଟ ଆଉ ୟୁଟ୍ୟୁବ, ୱେବସିରି ଯୁଗରେ ବି ରାମାୟଣ ପ୍ରସାରଣ ଖବର ମନ ତଳେ ପିଲା ଦିନର ପାଣି ସିଞ୍ଚି ଦେଇଛି । ବାପାମାଆ ଓ ପରିବାର ସହ ବସି ସେସବୁ ଦେଖୁଥିବାର ସ୍ମୃତିକୁ ତାଜା କରିଦେଇଛି ।

ଯଦିଓ ସେସମୟରେ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନଥିଲା ଆଉ ରାମାୟଣ-ମହାଭାରତ ଏଥିପାଇଁ ଖୁରାକ ଯୋଗାଉଥିଲା ତେଣୁ ସମସ୍ତେ ଏହାକୁ ଗ୍ରହଣ କରୁଥିଲେ । ମାତ୍ର ଏବେ ଜମାନା ବଦଳିଛି, ଲୋକେ ୨୦୨୦ ମସିହାରେ ପହଞ୍ଚିଛନ୍ତି, ସ୍ମାର୍ଟ ହୋଇଛନ୍ତି । ଯେଉଁଠି ଲୋକେ ବାହୁବଳୀ, ରୋବଟ, ରା-ୱାନ, ୱାର ଭଳି ଟେକ୍ନୋଲୋଜି ଭରା ସିନେମା ଦେଖୁଛନ୍ତି । ଆଉ ଯୁଗ ସହ ତାଳ ଦେଇ ସେହି ରାମାୟଣ-ମହାଭାରତର ନୂଆ ସଂସ୍କରଣ ଦେଖୁଛନ୍ତି ସେତେବେଳେ ଲୋକେ ୮୦ ଦଶକରେ ନିର୍ମିତ ରାମାୟଣ-ମହାଭାରତକୁ ଗ୍ରହଣ କରିବେ ତ ? ତାହା ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

ସେପଟେ ସାରା ବିଶ୍ୱ ଯେତେବେଳେ ମହାମାରୀର ମୁକାବିଲା କରୁଛି ଆଉ ଦେଶର ଛାତିରେ ଯେତେବେଳେ ଛନକା ପଶିଛି ଲୋକେ ସେତେବେଳେ ମୁକାବିଲା ନକରି ମନୋରଞ୍ଜନର ଏ ମାଧ୍ୟମକୁ ବାଛିବେ କି ? ଜୀବନ ପାଇଁ ମୃତ୍ୟୁ ସହ ଲଢେଇ କରୁଥିବା ମଣିଷ ଭୟ ଭିତରେ, ଆଶଙ୍କା ଭିତରେ କରୋନାର ଖବର ଜାଣିବାକୁ ନ୍ୟୁଜ୍ ଚ୍ୟାନେଲ ଛାଡି ମନୋରଞ୍ଜନ ପାଇଁ ରାମାୟଣ-ମହାଭାରତ ଦେଖିବେ ତ? ମନତଳେ ଏସବୁ କେତେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସବୁପରେ ବି ରାମାୟଣ-ମହାଭାରତର ପୁନଃ ପ୍ରସାରଣ ବିତି ଯାଇଥିବା ପିଲାଦିନକୁ ମନେପକାଇଦେବ ଆଉ ସେଦିନର ସେ ସ୍ମୃତିକୁ ତାଜା ତାଜା କରିବ, ଅଜଣା ମହକରେ ମହକେଇ ଦେବ ତାଳୁରୁ ତଳିପା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe