ଚକାଆଖି ଆସିଲା, ଭକ୍ତ ନଥିଲା… ମହାମାରୀ ପାଇଁ ଭକ୍ତ-ଭଗବାନଙ୍କ ଭିତରେ ହେଲାନି ମହାମିଳନ । କଟକଣା ପାଇଁ ଭକ୍ତଶୂନ୍ୟ ବଡଦାଣ୍ଡ ଦେଖି ଛଳଛଳ ହୋଇଗଲା ଚକାନୟନ…

ଯଦି ଆଜି କରୋନା ନଥାନ୍ତା କି କାଳିଆ ଦାଣ୍ଡରେ କଟକଣାର ଗାର ଟଣା ହୋଇନଥାନ୍ତା ତେବେ ଭକ୍ତରେ ଭରିଯାଇଥାନ୍ତ ବଡଦାଣ୍ଡ । କାଳିଆ ଯୁଆଡେ ଚାହିଁ ଥାନ୍ତା ତାକୁ ଭାବର ସମୁଦ୍ର ଦିଶିଥାନ୍ତା ଆଉ ସେ ସମୁଦ୍ରରେ ଢେଉ ଫିଟୁଥାନ୍ତା ଭକ୍ତିର ଜୁଆର । ରାସ୍ତାଘାଟ, ଗଳି କନ୍ଦି, ଛାତ ସବୁଠି ହାଉଜାଉ ହୋଇଥାନ୍ତେ ଭକ୍ତ, ଏମିତିକି ସୋରିଷ ବୁଣିଲେ ବି ତଳେ ପଡିନଥାନ୍ତା, ଖାଲି ରଥ ଦିଶିଥାନ୍ତା ପଥ ଦିଶି ନଥାନ୍ତା

1,347

କନକ ବ୍ୟୁରୋ: ବଡ ଠାକୁର ଆସିଛି, ବଡଦାଣ୍ଡ ଖାଲି ପଡିଛି । ରଥ ଉପରେ ବସି ଭକ୍ତଙ୍କୁ ଖୋଜୁଛି କାଳିଆ ସୁନା । ଆଜି ତା ଦାଣ୍ଡରେ ଭକ୍ତ ନାହିଁ, ଭାବପ୍ରବଣତାର ସେ ଭିଜା ଭିଜା ଆଖି ବି ନାହିଁ । ତାକୁ ଦେଖି ଯେଉଁ ଆଖିରୁ ଧାରଧାର ଲୁହ ଝରିଯାଏ, ଯେଉଁ ପାଦ ନାଚି ନାଚି ଅଥୟ ହୁଏ ଆଜି ସେ ନାଚ ନାହିଁ କି ସେ ଭାବଭଙ୍ଗୀ ନାହିଁ । ବୋଧେ ସେଇଥି ପାଇଁ ବଡଦେଉଳରୁ ବଡଦାଣ୍ଡକୁ ବାହାରି ଆସିବା ପରେ ଚକାଆଖି ଚତୁର୍ଦ୍ଦିଗକୁ ଚାହିଁ ଥରେ ଆଖି ପହଁରେଇ ଆଣିଥିଲା । କାଳେ କେଉଁଠି ତା ଭକ୍ତ ଥିବେ । ହେଲେ ନା ! ଖାଁ ଖାଁ ବଡଦାଣ୍ଡରେ ଭକ୍ତଙ୍କୁ ଖୋଜି ଖୋଜି ନିରାଶ ହେବା ପରେ ମନମାରି ବସିଥିଲେ ମହାପ୍ରଭୁ । ଆଉ ନନ୍ଦିଘୋଷ ଭିତରେ ରହି ଆଖି ଛଳଛଳ କରିଥିଲା ଚକାନୟନ ।

ରଥଯାତ୍ରା ପାଇଁ ଜଗା ସଜେଇ ହୋଇଥିଲା, ଟାହିଆ ପିନ୍ଧିଥିଲା, ଫୁଲ-ତୁଳସୀରେ ସାରା ଶରୀରକୁ ମଣ୍ଡିତ କରୁଥିଲା । ହେଲେ ସାଆନ୍ତ ମୁହଁରେ ସେ ସରାଗ ନଥିଲା । କାରଣ ତା ସଜପଟା ଦେଖିବାକୁ ତା ପ୍ରିୟ ଭକ୍ତ ନଥିଲା… ବିନା ଭକ୍ତର ବଡଦାଣ୍ଡ ଦେଖି କାଳିଆ ନିଜକୁ ପଚାରୁଥିଲା କାହା ପାଇଁ ମୁଁ ସଜେଇ ହେବ ? କୁଆଡେ ଗଲେ ମୋ ଭକ୍ତ ?

ଯଦି ଆଜି କରୋନା ନଥାନ୍ତା କି କାଳିଆ ଦାଣ୍ଡରେ କଟକଣାର ଗାର ଟଣା ହୋଇନଥାନ୍ତା ତେବେ ଭକ୍ତରେ ଭରିଯାଇଥାନ୍ତ ବଡଦାଣ୍ଡ । କାଳିଆ ଯୁଆଡେ ଚାହିଁ ଥାନ୍ତା ତାକୁ ଭାବର ସମୁଦ୍ର ଦିଶିଥାନ୍ତା ଆଉ ସେ ସମୁଦ୍ରରେ ଢେଉ ଫିଟୁଥାନ୍ତା ଭକ୍ତିର ଜୁଆର । ରାସ୍ତାଘାଟ, ଗଳି କନ୍ଦି, ଛାତ ସବୁଠି ହାଉଜାଉ ହୋଇଥାନ୍ତେ ଭକ୍ତ, ଏମିତିକି ସୋରିଷ ବୁଣିଲେ ବି ତଳେ ପଡିନଥାନ୍ତା, ଖାଲି ରଥ ଦିଶିଥାନ୍ତା ପଥ ଦିଶି ନଥାନ୍ତା । ହେଲେ ଆଜି ଶୂନଶାନ ଶ୍ରୀକ୍ଷେତ୍ର, ଖାଁ ଖାଁ ବଡଦାଣ୍ଡ । ସ୍ୱଳ୍ପ ସେବାୟତ, ପୋଲିସ, ପ୍ରଶାସନ ସାହାଯ୍ୟରେ ସିନା ସାଆନ୍ତଙ୍କ ରଥଟଣା ହେଲା କିନ୍ତୁ କାଳିଆ ମନରେ ଅବଶୋଷ ରହିଗଲା ।

ସେପଟେ ଭାବର ଠାକୁରକୁ ବଡଦାଣ୍ଡରୁ ନଦେଖି ବାହୁନି ବାହୁନି କାନ୍ଦିଛି ଭକ୍ତ । କଟକଣା ଭିତରେ ଘରେ ରହି କାଳିଆକୁ ଦୂରରୁ ପ୍ରଣାମ କରିଛି । ସତରେ କଣ ସେ ଜାଣିନି ଆଜି କ’ଣ ହୋଇଛି ? କାହିଁକି ତା ବଡଦାଣ୍ଡ ଖାଲି ପଡିଛି? କାହିଁକି ତା ଭକ୍ତ ଆସିନି । କାହିଁକି ଭାବର ସମୁଦ୍ର ଭଟ୍ଟା ପଡିଛି । ସେତ ସର୍ବ ନିଅନ୍ତା, ତାକୁ ସବୁ ଜଣା । ତଥାପି ସେ ଖୋଜୁଛି, ମନେ ମନେ ଝୁରୁଛି… କାରଣ ସେ ପରା ଭକ୍ତ ବତ୍ସଳ ଭଗବାନ । ଭକ୍ତ ବିନା କ’ଣ ତାକୁ ଭଲ ଲାଗିବ । ବୋଧେ ସେଇଥି ପାଇଁ ଭକ୍ତକୁ ନପାଇ ତା ରଥ ଜୋରରେ ଗଡୁଥିଲା, କାନ୍ଦି ପକାଇବା ଆଗରୁ ସେବାୟତଙ୍କୁ ଶ୍ରୀଘ୍ର ଟାଣିନେବାକୁ କହୁଥିଲା…

ହେଲେ ମଣିଷଠାକୁରକୁ ବି ଜଣାଥିଲା ମହାମାରୀର ମହାପ୍ରକୋପ । କାଳେ ତା ଭକ୍ତକୁ ଭୂତାଣୁ ମାଡ଼ି ବସିବ ତା’ ଦୂଆରୁ ଅସୁସ୍ଥ ହୋଇ ଫେରିବ ବୋଧ ହୁଏ ସେଇଥି ପାଇଁ ସେ ଲୀଳା ରଚିଥିଲା ଆଉ ବିନା ଭକ୍ତରେ ବଡ଼ଦାଣ୍ଡରେ ଏକା ଗଡ଼ି ଥିଲା । ତେବେ କାଳିଆ ବି ମାନିଥିଲା କରୋନା କଟକଣା, ଭାଇ-ଭଉଣୀଙ୍କ ରଥଠାରୁ ନିଜେ ଦୂରତା ରଖି ଭକ୍ତଙ୍କୁ ସାଆନ୍ତେ ଶିଖାଇଥିଲେ ସାମାଜିକ ଦୂରତାର ବାର୍ତ୍ତା ।