କନକ ବ୍ୟୁରୋ:ମୁଁ ଡାକବାକ୍ସ ! ମୋ ଦେହ ଟିଣ, ରଙ୍ଗ ନାଲି । ମୁଁ ଝୁଲୁଥାଏ ଡାକଘର କାନ୍ଥରେ, ଟଙ୍ଗା ହୋଇଥାଏ କେଉଁ ଛକର ବିଜୁଳି ଖୁଣ୍ଟରେ । କଲେଜ ହେଉ କି କଚେରୀ, ହସ୍ପିଟାଲ ହେଉ କି ହଷ୍ଟେଲ । ସବୁଠି ମୁଁ ବସିଥାଏ, ଝୁଲୁଥାଏ । ତମ ଚିଠିକୁ ଅପେକ୍ଷା କରିଥାଏ, ଖବରକୁ ଖୋଜୁଥାଏ... ଆଉ ତମେ ଆସ ମୋ ପାଟି ବାଟେ ପେଟରେ ଲୁଚାଇ ଦିଅ ବାର୍ତ୍ତାର ବତୁରା ଚିଠି...
ଯେବେ ଚିଠିର ଜମାନା ଥିଲା ଏଇ ନାଲି ବାକ୍ସ ଉପରେ ଥିଲା ସମସ୍ତଙ୍କ ନଜର । ଚିଠି ବାକ୍ସରେ କିଏ ଚୁପିଚୁପି ପ୍ରେମର ପତ୍ର ପକାଏ ତ କିଏ ହାତକାଟି ଲେଖି ପଠାଏ ଦୁଃଖ ଦରଦର ଦିଧାଡି କଥା । ସ୍ତ୍ରୀ ଲେଖେ ସ୍ୱାମୀ ପାଖକୁ, ପୁଅ ଲେଖେ ବାପା ପାଖକୁ । ଗାଁ ଡାକଘରକୁ ସୀମା ସେପାରିରୁ ଆସେ ପ୍ରେମର ସନ୍ଦେସ, କୁଆଁରୀ ଝିଅ ପାଇଁ ସହରରୁ ଆସେ ପ୍ରୀତିର ପତ୍ର । ପାଖାପାଖି ହେଷ୍ଟଲ ଥାଇ ବି, ନିଇତି ଦେଖାସାକ୍ଷାତ ହୋଇ ବି ପ୍ରେୟସୀକୁ ହାତେହାତେ ପ୍ରେମର ପତ୍ର ଦିଏନି ପ୍ରେମିକ । ବରଂ କଲେଜ ହଷ୍ଟେଲର ଡାକବାକ୍ସରେ ଚୁପକିନା ପକାଇଦିଏ । କାରଣ, କାରଣ ଚିଠି ସମ୍ପର୍କର ସେତୁ, ଅପେକ୍ଷାର ମିଠା ଆଲିଙ୍ଗନ । ଚିଠି ଖୋଲିଦେଲେ ବାସା୍ନ, ଫର୍ଦ୍ଦ ଓଲଟାଇଲେ ଓଦାଓଦା ଆବେଗର ଆପଣାପଣ... ଓଃ ଚିଠିର ସେ ନିଜରପଣ, ସେ ଆତ୍ମୀୟତା କଣ ଆଉ କେଉଁଥିରେ ମିଳିବ ?
୮୦ କିମ୍ବା ୯୦ ଦଶକରେ ଚହଳ ପକାଇଥିଲା ଚିଠି । ମାଟି କାନ୍ଥର ଡାକଘରେ ଟଙ୍ଗା ହୋଇଥାଏ ଡାକବାକ୍ସ । ଧୂଳିଧୂସର ପଡି ସେ ମଇଳା ହେଇଯାଉ ପଛେ କିନ୍ତୁ ଲୋକଙ୍କ ମନର କଥାକୁ ସାଇତି ରଖିବାରେ ସେ କେବେ ହେଳା କରେନି । ଦୁର୍ଗମ ଇଲାକାରେ ଡାକବାଲାର ପହଞ୍ଚିବା ଯଦି ଡେରି ହୁଏ ତେବେ ନିଜକୁ ତାଲା ପକାଇ ଲୋକଙ୍କ ସ୍ନେହ, ପ୍ରେମ, ଆବେଗ, ଅସୁବିଧାକୁ ସେମିତି ସୁରକ୍ଷିତ କରି ରଖିଥାଏ ଏ ଟିଣର ତିଆରି ଡାକବାକ୍ସ ।
ଡାକବାକ୍ସ ଦୁଃଖର ସାଥୀ ହୁଏ ସୁଖର ସାଥୀ ବି ସାଜେ । ବିରହ, ବେଦନାର ମୁକସାକ୍ଷୀ ପାଲଟେ । ଖାଲି ପ୍ରେମ ନୁହେଁ ଏଇ ଅପେକ୍ଷାର ବାକ୍ସରେ ପଡେ ଦୂର ଦେଶରେ ରହୁଥିବା ପୁଅ ପାଇଁ ବୁଢୀ ମାଆର ଆଖିଭିଜା ଇନଲାଣ୍ଡ । ସହରରେ ରହି କେବେ ଖବର ଦେଉନଥିବା, ଭଲମନ୍ଦ ବୁଝୁନଥିବା ସ୍ୱାର୍ଥପର ସ୍ୱାମୀର ଶୁଭ ମନାସି ଡାକବାକ୍ସ ଆଗରେ ଚିଠିକୁ ମୁଣ୍ଡରେ ମାରି ମାସକୁ ମାସକୁ ପୋଷ୍ଟକାର୍ଡ ପଠାଏ ହତଭାଗିନୀ ସ୍ତ୍ରୀ । ସୀମାରେ ଶତ୍ରୁ ସହ ଲଢୁଥିବା ବୀର ବାପାର ଖବର ପାଇ ଖୁସିରେ ନାଚିଯାଏ ପୁଅ । ଏମିତି କେତେ କେତେ କାହାଣୀ, କେତେ କେତେ ସୁଖଦୁଃଖ ମୁହୂର୍ତ୍ତର ମୁକସାକ୍ଷୀ ସାଜିଥାଏ ଏଇ ଡାକବାକ୍ସ...
ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରାଯାଉଛି । ଆଉ ୯ ଅକ୍ଟୋବରରୁ ୧୬ ଅକ୍ଟୋବର ଯାଏଁ ଡାକ ସପ୍ତାହ ପାଳୁଛି ଭାରତୀୟ ଡାକ ସେବା । କେମିତି ଲୋକଙ୍କୁ ଡାକସେବା ସହ ଅଧିକ ଜଡିତ କରାଯାଇ ପାରିବ ସେନେଇ ସରକାର ଯୋଜନା କରୁଛନ୍ତି । କାରଣ ଇତି ମଧ୍ୟରେ ବଦଳିଯାଇଛି ସମୟ । ଚିଠିର ଜାଗା ନେଇଛି ସୋସିଆଲ ମିଡିଆ । ଡାକ ପାଇଁ ଆଉ କେହି ଅପେକ୍ଷା କରୁ ନାହାନ୍ତି, ଏବେ ଫୋନରେ ଆସୁଛି ଫଟାଫଟ ଖବର । ମୋବାଇଲ, ମେଲ, ମେସେଞ୍ଜରରେ କୁହାଯାଉଛି ମନର କଥା । ହୃଦୟର କଥା କହିବାକୁ ହ୍ୱାଟସପକୁ ଆପଣାଇଛନ୍ତି ଲୋକେ । ହେଲେ ସତ କହିଲେ, ହାତକାଟି ହୃଦୟର କଥା ଲେଖିଥିବା ସେ ଚିଠିର ମହମହ ମହକ କଣ ଏ ମୋବାଇଲରେ ମିଳିବ କି ? ଥରେ ମନକୁ ପଚାରନ୍ତୁ, ମନର ଭାଷାକୁ ଭଲରେ କହି ହେଉଛି କି ଏ ମେସେଜ ବକ୍ସରେ.. ? ବୋଧହୁଏ ଏ ପ୍ରଶ୍ନର ଉତ୍ତର ଆପଣଙ୍କ ପାଇଯାଇଥିବେ, ଯେ ଚିଠି ଚିଠି, ଡାକବାକ୍ସ ଡାକବାକ୍ସ... ଚାଲନ୍ତୁ ଚିଠି ଲେଖିବା, କାରଣ ଗାଁ ଡାକଘରୁ ଏବେବି ଡାକୁଛି ଡାକବାକ୍ସ...