ସେମାନେ ଖରାବର୍ଷାରେ ଖଟୁଛନ୍ତି ବୋଲି ଆମେ ଅଚିନ୍ତା ନିଦରେ ଶୋଉଛୁ… ଭୟ ଭିତରେ ଭରସା ଦେଇ ଏସି ରୁମରେ ନୁହେଁ ଫୁଙ୍ଗୁଳା ମାଟି ଉପରେ, ମୁକୁଳା ଆକାଶ ତଳେ ଆରାମ କରୁଛନ୍ତି କରୋନା ଯୋଦ୍ଧା । ଦେଖନ୍ତୁ ସଙ୍କଟ ସମୟର ଅସଲ ହିରୋଙ୍କ ଆଖିଭିଜା କାହାଣୀ…

727

କନକ ବ୍ୟୁରୋ: ମାଟି ମାଆ କୋଳରେ ଶୋଇଛି ପୁଅ । ସାରା ରାତି ଭାରତ ମାତାକୁ ସୁରକ୍ଷା ଦେବା ପରେ ଭୋରୁ ଭୋରୁ ତା ନିଦଭରା ଆଖିକୁ ଆରାମ ଦେବାକୁ ମାଆର ଛାତିକୁ ଆଉଜି ଶାନ୍ତିରେ ଶୋଇଯାଇଛି ତା ପୋଲିସ ପୁଅ । ମୁଣ୍ଡ ତଳେ ନା ଅଛି ତକିଆ, ନା ପିଠି ତଳେ ବିଛଣା । ଫୁଙ୍ଗୁଳା ମାଟି ଉପରେ, ମୁକୁଳା ଆକାଶ ତଳେ ଯୁଦ୍ଧାସ୍ତ୍ରକୁ ଜାବୁଡି ଆଖି ବୁଜି ଆରାମ କରୁଛନ୍ତି ଦୁଇ କରୋନା ଯୋଦ୍ଧା । ଭୟର ଭିଡ ଭିତରେ ଲୋକଙ୍କୁ ସୁରକ୍ଷାର ଭରସା ଦେଇ ଟିକେ ବିଶ୍ରାମ କରୁଛନ୍ତି ସୁରକ୍ଷାକର୍ମୀ ।

ଦେଶକୁ ଘରେ ରଖିବାକୁ, ମହାମାରୀର ମୁକାବିଲା କରିବାକୁ ଏମାନେ ବାହାରେ ବୁଲୁଛନ୍ତି । ଭୂତାଣୁର ବିରାମ ଗତିରେ ଏମାନଙ୍କୁ ବା ବିଶ୍ରାମ କାହିଁ । ବାହାରେ ମୃତ୍ୟୁ, ଭିତରେ ଜୀବନ । ଜୀବନ-ମୃତ୍ୟୁର ଏଇ ଛକାପଞ୍ଝା ଭିତରେ ଟିକେ ଛାଇ ମିଳିଗଲେ ଛାଏଁ ବୁଜିଯାଏ ଅବଶ ଆଖି । ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ହେଉଥିବା ଏହି କଥାକୁହା ଫଟୋକୁ ଯିଏ ଦେଖୁଛି ସିଏ ସମ୍ମାନରେ ମୁଣ୍ଟ ନୁଆଁଇ ଦେଉଛି ।

ତାଲାବନ୍ଦ ବେଳେ ସମସ୍ତେ ଘରେ ରହିଛନ୍ତି । ଆଖିକୁ ଆଠ ଘଣ୍ଟିଆ ନିଦ ଲୋଡୁଛନ୍ତି । ମୁଣ୍ଡକୁ ତକିଆ ଆଉ ଦେହକୁ ନରମ ବିଛଣା ନହେଲେ କି ଶୀତତାପ ନିୟନ୍ତ୍ରିତ ଘରେ ବିଳାସପୂର୍ଣ୍ଣ ବ୍ୟବସ୍ଥା ନଥିଲେ ଭଲରେ ନିଦ ଆସୁନି । ଆମ ଆଖିର ନିଦ ପଛରେ ରହିଛି ଏହି ପୋଲିସ ବାବୁଙ୍କ ଅକ୍ଳାନ୍ତ ପରିଶ୍ରମ । ଏମାନେ ବାହାରେ ବୁଲନ୍ତି ବୋଲି ଆମେ ଘର ଭିତରେ ଶାନ୍ତିରେ ଶୋଉ । ଆଉ ଏମାନେ ଶୁଅନ୍ତି ଏଇମିତି… ମାଟି ଉପରେ, ଆକାଶ ତଳେ…

କରୋନା ଯୁଦ୍ଧର ଇଏ ଆଉ ଏକ ଚିତ୍ର ଯାହାକୁ ଦେଖିଲେ ଆପଣଙ୍କ ଆଖି ଘଡିଏ ଅଟକିଯିବ ଆଉ ଏ ଯୋଦ୍ଧାଙ୍କ ବାବଦରେ ଭାବିବାକୁ ବାଧ୍ୟ କରିବ । ସଂକ୍ରମଣ ଭୟ ପାଇଁ ସମସ୍ତେ ଘରେ, ଶୂନଶାନ ରାସ୍ତାରେ ଏକୁଟିଆ ସିପାହୀ । ଦୁମଦୁମ ଖରା ସାଙ୍ଗକୁ ଆକାଶ ଉପରୁ ଅସହ୍ୟ ତାତି । ପ୍ରଚଣ୍ଡ ତାପମାତ୍ରାରେ ବି ତାଲାବନ୍ଦକୁ ସଫଳ କରି ଦେଶକୁ ସୁରକ୍ଷା ଦେବାକୁ ସଂକଳ୍ପ ନେଇଛନ୍ତି ଏ ଯୋଦ୍ଧା ଜଣଙ୍କ । ଖଇଫୁଟା ଖରାରେ ଖାଁ ଖାଁ ରାସ୍ତା ମଝିରେ ହାତରେ ଲାଠି, ପାଖରେ ପାଣି ବୋତଲ ଧରି ମହାମାରୀର ବାଟ ଜଗି ଜଗିଛନ୍ତି ଏ ମହାନଯୋଦ୍ଧା ।

ସଙ୍କଟ ସମୟରେ ଆଗ ଧାଡିର ସିପାହୀ ସାଜିଛନ୍ତି ପୋଲିସ ଓ ଡାକ୍ତର । ରୋଗ ସହ ଲଢୁଛନ୍ତି ଡାକ୍ତର, ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ପୋଲିସ । ପୂରା ଦେଶକୁ ଘରେ ରଖିବାକୁ ବାହାରେ ବୁଲୁଥିବା ଏ ପୋଲିସ କର୍ମୀ କେତେବେଳେ ରାସ୍ତା କଡରେ ଖାଉଛନ୍ତି ତ କେତେବେଳେ କାହା ବାରଣ୍ଡାରେ । ଫୁରସତ ମିଳିଲେ ବିଶ୍ରାମ ନେଉଛନ୍ତି ନହେଲେ ନାହିଁ । ତେବେ ଆମ ଜୀବନ ରକ୍ଷା କରିବାକୁ କରୋନା ଆଗରେ କବଚ ସାଜି ଛିଡା ହୋଇଥିବା, ଖଇଫୁଟା ଖରାରେ ସିଝୁଥିବା ଏ ସିପାହୀମାନଙ୍କ ପାଇଁ ଆମେ କଣ ଟିକେ ସଚେତନ ହୋଇ ଘରେ ରହି ପାରିବାନି ?