କନକ ବ୍ୟୁରୋ: ଅଲିଭରିଡଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଓଡିଶାର ଗହୀରମଥାରେ ଲାଗେ ଅସ୍ଥାୟୀ ଅତିଥିଙ୍କ ଭିଡ । ନଭେମ୍ବର ମାସରୁ ମେ ମାସ ଯାଏଁ ଅଣ୍ଡାଦାନ ପ୍ରକ୍ରିୟା ସମୟରେ ଏହି ବିରଳ ପ୍ରଜାତିର କଇଁଛଙ୍କୁ ଦେଖିବାକୁ ମିଳେ । ପରିବେଶ ସନ୍ତୁଳନ ରକ୍ଷା କରୁଥିବା ଏହି ଅଲିଭରିଡଲେ ପ୍ରତିବର୍ଷ ଗହୀରମଥାକୁ ଆସନ୍ତି ଏବଂ ସମୁଦ୍ରର ନୀଳ ଜଳରାଶିରେ ଉଭୟ ଅଣ୍ଡିରା ଓ ମାଇ କଇଁଛଙ୍କ ମିଳନ ପକ୍ରିୟାରେ ସାମିଲ ହୋଇଥାନ୍ତି । ମାର୍ଚ୍ଚ ଶେଷଭାଗକୁ ଅନୁକୂଳ ପାଣିପାଗରେ ଲକ୍ଷାଧିକ ଅନ୍ତସତ୍ୱା ମାଆ କଇଁଛମାନେ ବେଳାଭୂମି ଉପରକୁ ଉଠି ଆସି ଅଣ୍ଡାଦାନ କରନ୍ତି । ପୃଥିବୀରେ କେବଳ ୩ଟି ସ୍ଥାନ ରହିଛି ଯେଉଁଠି ଏହି ଅଲିଭରିଡଲେ କଇଁଛ ଏତେ ସଂଖ୍ୟାରେ ଅଣ୍ଡାଦାନ କରିବାକୁ ସମାଗମ ହୋଇଥାନ୍ତି । ଓଡିଶାର ଗହୀରମଥା ସୁରକ୍ଷିତ ସ୍ଥାନ ହୋଇଥିବାରୁ ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଅଲିଭରିଡଲେ ଆସିଥାନ୍ତି ।

Advertisment

ତେବେ ସମୁଦ୍ର ମଧ୍ୟରେ ମିଳନ ପରେ ପୁରୁଷ କଇଁଛ ବେଳାଭୂମି ଉପରକୁ ଆସେନାହିଁ । ବରଂ ସେହି ଗଭୀର ଜଳ ଭିତରେ ରହେ । ମାତ୍ର ଯେବେ ମାଆ କଇଁଛର ଅଣ୍ଡାଦାନ କରିବାର ସମୟ ଉପନୀତ ହୁଏ ସେବେ ବିଶାଳ ବାଲୁକା ଶଯ୍ୟାରେ ପ୍ରାୟ ୧ ଫୁଟରୁ ଦେଢ ଫୁଟ ପର୍ଯ୍ୟନ୍ତ ମାଠିଆ ଆକୃତିର ଗାତ ଖୋଳି ପ୍ରାୟ ୧୦୦ରୁ ଅଧିକ ଅଣ୍ଡା ଦେଇଥାନ୍ତି ଲକ୍ଷଲକ୍ଷ ଅଲିଭରିଡଲେ । ବାଲିରେ ଅଣ୍ଡା ଦେବା ପରେ ମାଆ କଇଁଛ ଗାତକୁ ସେହି ବାଲିରେ ଘୋଡାଇ ପୁଣି ସମୁଦ୍ର ମଧ୍ୟକୁ ଫେରିଯାଏ । ୪୫ ରୁ ୬୦ ଦିନ ପରେ ସେହି ଗାତରୁ ଛୋଟ ଆକୃତିର କଇଁଛ ଶାବକମାନେ ବାହାରିଥାନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାପମାତ୍ରା ଅନୁସାରେ ଅଣ୍ଡାରୁ କଇଁଛଙ୍କ ଲିଙ୍ଗ ନିରୂପଣ ହୋଇଥାଏ । ଯଦି ତାପମାତ୍ରା ଅଧିକ ଥାଏ ତେବେ ପୁରୁଷ ଏବଂ ଯଦି ତାପମାତ୍ରା କମ୍ ଥାଏ ତେବେ ଉକ୍ତ ଅଣ୍ଡାଗୁଡିକ ମାଇ କଇଁଛ ହେବାର ଅନୁମାନ କରାଯାଏ । ତେବେ ଅଣ୍ଡାଦାନ ପରେ ଅଲିଭରିଡଲେ କଇଁଛଙ୍କ କଣ ଥାଅ ଜୀବନଶୈଳୀ । ତାହା ଜାଣିବାକୁ ଅନେକ ଗବେଷଣା ଚାଲିଥିବା ବେଳେ ପିଠିରେ ଟ୍ରାନ୍ସମିଟର ଲଗାଯାଏ ।

କୁହାଯାଏ ଅଲିଭରିଡଲେ ଯେଉଁଠି ଜନ୍ମନେଇଥାନ୍ତି ଦୀର୍ଘବର୍ଷ ପରେ ସେହି ଜନ୍ମଭୂମିର ମୋହରେ ପଡି ପୁନଃଶ୍ଚ ସେହି ସ୍ଥାନକୁ ସେମାନେ ଅଣ୍ଡାଦାନ ପାଇଁ ଆସନ୍ତି । ଅର୍ଥାତ ଗହୀରମଥାରେ ଜନ୍ମିତ ଅଲିଭରିଡଲେ ପୁଣି ଅନେକ ବର୍ଷ ପରେ ସେହିସ୍ଥାନକୁ ଫେରନ୍ତି । ଅଲିଭରିଡଲେଙ୍କ ଜୀବନଶୈଳୀ ନେଇ ଏବେବି ଅନେକ ରହସ୍ୟମୟ କଥା ଓ କାହାଣୀ ଥିବା ବେଳେ ନଜର ପକାନ୍ତୁ, ଅଲିଭରିଡଲେଙ୍କୁ ନେଇ କିଛି ରହସ୍ୟଭରା ଅଜଣାକଥା । ଯାହା ଏବେବି ରହସ୍ୟାବୃତ୍ତ ହୋଇ ରହିଛି ।

-ଅଣ୍ଡାଦାନ ପରେ କାହିଁକି ସମୁଦ୍ରକୁ ପଳାନ୍ତି ମାଆ କଇଁଛମାନେ ?
-ଅଣ୍ଡାରୁ ଫୁଟି ଛୁଆ ହେବା ପରେ ଏମାନଙ୍କର ମାଆ ସହ ସମୁଦ୍ରରେ ଭେଟ ହୁଏକି ନାହିଁ?
-ଚଳିତ ବର୍ଷ ଯେଉଁ ଅଲିଭରିଡଲେ ଅଣ୍ଡାଦାନ ପାଇଁ ଗହୀରମଥା ଆସନ୍ତି ପରବର୍ତ୍ତୀ ବର୍ଷ ଆସନ୍ତି କି?
-ଯଦି ଫେରନ୍ତି ଗହୀରମଥାର ଠିକଣା କେମିତି ଜାଣନ୍ତି ସେହି କଇଁଛ ମାନେ?
ଏ ସମସ୍ତ ରହସ୍ୟମୟ ଦିଗ ଉପରେ ଗବେଷଣା ଚାଲିଥିବା ବେଳେ ଲୋକଙ୍କ ମନରେ ଜାଣିବାକୁ କୋତୁହଳ ଅଛି ।