ଓଡିଶା ରାଜନୀତିର ରୋଚକ କଥା ! ଅଭିନେତ୍ରୀଙ୍କ ଜେଜେବାପା ମନ୍ତ୍ରୀ ।

661

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଜନପ୍ରିୟ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀମାନେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାର ପରମ୍ପରା ଓଡ଼ିଶାରେ ଅନେକ ଦିନ ତଳୁ ଆରମ୍ଭ ହୋଇସାରିଛି । କିନ୍ତୁ ଅନେକେ ହୁଏତ ଜାଣିନଥିବେ ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅତି ପରିଚିତା ଅଭିନେତ୍ରୀଙ୍କର ଜେଜେବାପା ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ । ସେ କେବଳ ବିଧାୟକ ହୋଇ ନଥିଲେ, କିଛି କାଳ ଓଡ଼ିଶା ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ନାଁ ଜନାବଶୋଭାନ୍ ଖାନ୍ । ସେ ଥିଲେ ଜନପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କର ଜେଜେବାପା ।

ଅଶୀଦଶକରେ ‘ଫୁଲଚନ୍ଦନ’ ଚଳଚ୍ଚିତ୍ରର ‘ଫୁଲ’ ଚରିତ୍ରରେ ଅଭିନୟ କରି ଓଡ଼ିଶାବାସୀଙ୍କ ମନ ଜିଣିନେଇଥିବା ଅପରାଜିତା ଆଜି ବି ଅଭିନୟ ଓ ରାଜନୀତି ଉଭୟରେ ସକ୍ରିୟ ଅଛନ୍ତି । ପ୍ରଖ୍ୟାତ ସାହିତ୍ୟିକ ରାଜକିଶୋର ରାୟଙ୍କ ଭଉଣୀ ହରପ୍ରିୟା ତାଙ୍କ ମାଆ ଏବଂ ମାଜିଷ୍ଟ୍ରେଟ ଅଜିଜ୍ ଖାନ୍ ତାଙ୍କ ବାପା । ସାହିତ୍ୟ, କଳା ଓ ଅଭିନୟ ପ୍ରତି ଆଗ୍ରହ ସେ ତାଙ୍କ ମାମୁ ଘର ପଟୁ ପାଇଥିଲାବେଳେ, ରାଜନୀତି ପ୍ରତି ରୁଚି ତାଙ୍କ ପାଖକୁ ଆସିଛି ଜେଜେବାପାଙ୍କ ପାଖରୁ । କାରଣ ଅଜିଜ୍ ଖାନ୍ ଥିଲେ ପ୍ରଖ୍ୟାତ ଓକିଲ ତଥା ରାଜନୀତିଜ୍ଞ ଶୋଭାନ ଖାନଙ୍କ ପୁଅ ।

ଶୋଭାନ୍ ଖାନ୍ ସାହେବ ଭଦ୍ରକର ମିର୍ଜାପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆଇନ ଶିକ୍ଷା ପରେ ସେ କଟକରେ ଓକିଲାତି ଆରମ୍ଭ କରି ଆଲାମଚାନ୍ଦ ବଜାରରେ ଘର କରି ରହିଲେ । ତାଙ୍କର ବଡ଼ପୁଅ ଅଜିଜ୍ ଥିଲେ ଜଣେ ପ୍ରାଶାସନିକ ଅଧିକାରୀ । ସେ କରଞ୍ଜିଆରେ ଚାକିରି କରୁଥିବା ବେଳେ ତାଙ୍କର ତୃତୀୟ ଝିଅ ଅପରାଜିତା(ଟିକି)ଙ୍କ ଜନ୍ମ । ତାଙ୍କ ଜନ୍ମର ଅଳ୍ପଦିନ ପରେ ସେ ବଦଳି ହୋଇ ସମ୍ବଲପୁର ଆସିଥିଲେ । ମା ହରପ୍ରିୟା ଗଙ୍ଗାଧର ମେହେର କଲେଜରେ ଜୁଲୋଜି ଅଧ୍ୟାପିକା ଥିବାବେଳେ ଅଜିଜ୍ ଥିଲେ ସମ୍ବଲପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ।

ଅପରାଜିତାଙ୍କ ଜେଜେବାପା ଶୋଭାନ୍ ଖାନ୍ ୧୯୩୭ ମସିହାରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ମୁସଲମାନବର୍ଗଙ୍କ ପାଇଁ ସଂରକ୍ଷିତ ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ । ସେତେବେଳେ ୬୦ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାର ୪ଟି ଆସନ ମୁସଲମାନ ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା । ପ୍ରଥମ ନିର୍ବାଚନରେ ଯେଉଁ ଚାରି ଜଣ ନିର୍ବାଚିତ ହୋଇଆସିଥିଲେ ସେମାନେ ହେଲେ କଟକ ସଦରରୁ ସୟଦ ଅହମ୍ମଦ ବକସ୍, ଉତ୍ତର କଟକ-ଅନୁଗୁଳରୁ ସୟଦ ଫଜଲ ହକ୍, ବାଲେଶ୍ୱର-ସମ୍ବଲପୁରରୁ ଅବଦୁସ୍ ଶୋଭାନ୍ ଖାନ୍ ଏବଂ ଦକ୍ଷିଣ ଓଡ଼ିଶାରୁ ମୌଲବି ଲତିଫୁର ରେହମାନ ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ଵରେ ଗଠିତ ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳରେ ମୌଲବି ଲତିଫୁର ରେହମାନ ମନ୍ତ୍ରୀପଦ ପାଇଥିଲେ । ଏହି ସଂଖ୍ୟାଲଘୁ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାପରେ ଜୁଲାଇ ମାସ ୧୯ ତାରିଖରେ ବିଶ୍ୱନାଥ ଦାସଙ୍କ ନେତୃତ୍ଵରେ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହୋଇ ୧୯୩୯ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ୧୯୪୧ ନଭେମ୍ବରରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ଵରେ ଗଠିତ ଦ୍ଵିତୀୟ ସଂଖ୍ୟାଲଘୁ ମନ୍ତ୍ରିମଣ୍ଡଳରେ ଅବଦୁସ୍ ଶୋଭାନ୍ ଖାନ୍ ରାଜସ୍ୱ, ଆଇନ୍ ଓ ବାଣିଜ୍ୟ ବିଭାଗର ମନ୍ତ୍ରି ରୂପେ ଶପଥ ନେଇଥିଲେ । ଏହି ମନ୍ତ୍ରିମଣ୍ଡଳ ୧୯୪୪ ଜୁନ୍ ପର୍ଯ୍ୟନ୍ତ କ୍ଷମତାରେ ଥିଲା । ଜଣେ ପ୍ରବୀଣ ଓକିଲ ହିସାବରେ ସୁଖ୍ୟାତି ଅର୍ଜନ କରିଥିବା ଶୋଭାନ୍ ଖାନ୍ ଆଇନ ମନ୍ତ୍ରୀ ହିସାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାରେ ହାଇକୋର୍ଟ ସ୍ଥାପନ କରିବାର ଉଦ୍ୟମ କରି ସଫଳ ହୋଇଥିଲେ । ତାଙ୍କ ଉଦ୍ୟମରେ ୧୯୪୨ ଅଗଷ୍ଟ ୧୯ ତାରିଖରେ ଓଡ଼ିଶା କ୍ୟାବିନେଟର ନିଷ୍ପତ୍ତିକ୍ରମେ ଜଷ୍ଟିସ୍ ବୀରକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା ।

ଓଡ଼ିଶାରେ ସ୍ୱତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା କରିବା ସପକ୍ଷରେ ସେହି କମିଟି ୧୯୪୩ ଡିସେମ୍ବର ୨୭ରେ ଦେଇଥିବା ରିପୋର୍ଟ ଆଧାରରେ ୧୯୪୮ରେ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ହେଲା । ଭକ୍ତ ସାଲବେଗଙ୍କର ମାଟି ଓଡ଼ିଶା ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବର ପରମ୍ପରା ରହିଆସିଛି ବହୁଦିନରୁ । ଓଡ଼ିଶା ରାଜନୀତିରେ ସଂଖ୍ୟାଲଘୁ ବର୍ଗଙ୍କୁ ଆଶାନୁରୂପ ପ୍ରତିନିଧିତ୍ଵ ମିଳିଛି ଆରମ୍ଭରୁ । କୃଷ୍ଣଚନ୍ଦ୍ର ଗଜପତିଙ୍କ ତିନିଜଣିଆ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ମୌଲବି ଲତିଫୁର ରେହମାନ ଓ ଦ୍ଵିତୀୟ ଥର ଶୋଭାନ୍ ଖାନଙ୍କ ଯୋଗଦାନ ଏହି ସାଂପ୍ରଦାୟିକ ସଂହତି ଓ ଭାଇଚାରାର ଏକ ଚମତ୍କାର ଉଦାହରଣ ।