ମୃତ୍ୟୁ ମୁହଁରୁ ଛଡାଇ ଆଣିଲେ, ନିର୍ବନ୍ଧ ପୂର୍ବରୁ ନୂଆ ଜୀବନ ଦେଲେ । ଭଗବାନ ଭଳି ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ । ନିର୍ବନ୍ଧ ନହେଲା ନାହିଁ ବାହାଘରକୁ ନିଶ୍ଚୟ ନିମନ୍ତ୍ରଣ କରିବି କହିଲେ ଟ୍ରେନରୁ ଖସିପଡିଥିବା ଯୁବତୀ

3,877

କନକ ବ୍ୟୁରୋ: କନଷ୍ଟେବଲ ସୁବ୍ରତଙ୍କ ସାହସୀ କାହାଣୀ । ମୃତ୍ୟୁର ପାଟିରୁ ଟାଣି ଆଣିଲେ ଜୀବନ । ଭୁବନେଶ୍ୱର ଷ୍ଟେସନରେ ପ୍ରବଳ ଭିଡ । ଜନ ଗହଳିପୂର୍ଣ୍ଣ ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ ଆଡେଇ ଟ୍ରେନ ଧରିବାକୁ ଧାଇଁଥିଲେ ନିବେଦିତା । ହାତରେ ସମୟ ନଥିଲା, ଟ୍ରେନ ଛାଡିବାକୁ ହର୍ଣ୍ଣ ମାରୁଥିଲା । ଚଳନ୍ତା ଟ୍ରେନରେ ଚଢିବାକୁ ପ୍ଲାଟଫର୍ମରେ ଦୌଡୁଥିଲେ ଯୁବତୀ । ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଶେଷରେ ଟ୍ରେନ ଧରିଥିଲେ । ହେଲେ ତରତର ଥିବାରୁ ଚଳନ୍ତି ଟ୍ରେନରୁ ଖସି ପଡୁଥିଲେ ନିବେଦିତା । ଆଉ ଠିକ ଏତିକି ବେଳେ ନିବେଦିତାଙ୍କୁ ଧରି ପକାଇଥିଲେ ଆରପିଏଫ କନଷ୍ଟେବଲ ସୁବ୍ରତ ମହାରଣା । ଯୁବତୀ ଖସିପଡୁଥିବା ଦେଖି ପ୍ଲାଟଫର୍ମରେ ସିଂହ ଭଳି ଦୌଡି ଆସି ଯମ ମୁହଁରୁ ଯୁବତୀଙ୍କ ଜୀବନ ବଞ୍ଚାଇଥିଲେ ସୁବ୍ରତ ।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ଲାଟଫର୍ମରେ ଏଭଳି ଏକ ଘଟଣା ଘଟିବା ପରେ ଚାରିଆଡେ ଚହଳ ସୃଷ୍ଟି ହୋଇଥିଲା । ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଥିବାରୁ କନଷ୍ଟେବଲ ଭାଇଙ୍କୁ ଧନ୍ୟବାଦ ଦେଇଛନ୍ତି ନିବେଦିତା । ଆଉ ଅଦମ୍ୟ ସାହସ ଦେଖାଇ ଲୌହ ଦାନବର ଲହଲହ ଜୀଭରୁ ଜୀବନକୁ ଛଡାଇ ଆଣିଥିବା ସୁବ୍ରତଙ୍କ ସାହସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ତେବେ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ନିବେଦିତା ସାହୁ । ରମାଦେବୀ ବିଶ୍ୱବିଦ୍ୟାଳୟର ଆଇଟି ଅଧ୍ୟାପିକା । ରବିବାର ତାଙ୍କ ନିର୍ବନ୍ଧ ଥିବାରୁ ସେ କ୍ଲାସ ସାରି ଶନିବାର ତରବରରେ ନିଜ ଘର ଢେଙ୍କାନାଳକୁ ଫେରୁଥିଲେ । ଆଉ ଟ୍ରେନ ଚଢିବା ବେଳେ ଏଭଳି ଏକ ଭୟାନକ ଘଟଣା ଘଟିଥିଲା । ତାଙ୍କ ଜୀବନ ବଞ୍ଚାଇଥିବାରୁ କନଷ୍ଟେବଲ ସୁବ୍ରତଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ବାହାଘରକୁ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି ନିବେଦିତା ।

ସେପଟେ ନିର୍ବନ୍ଧ ପୂର୍ବରୁ ବଡ ଅଘଟଣରୁ ଝିଅର ଜୀବନ ବଞ୍ଚାଇଥିବାରୁ କନଷ୍ଟେବଲ ସୁବ୍ରତଙ୍କୁ ଭଗବାନଙ୍କ ଦୂତ ବୋଲି କହିଛନ୍ତି ନିବେଦିତାଙ୍କ ପରିବାର । ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିବା ନିବେଦିତା ଶ୍ୱଶୁର ଘର ପାଇଁ ଶୁଭ ବୋଲି ନିର୍ବନ୍ଧ ବେଳେ କହିଛନ୍ତି ଶ୍ୱଶୁର ଘର ଲୋକେ । ତେବେ ନିର୍ବନ୍ଧ ପୂର୍ବରୁ ନୂଆ ଜୀବନ ଦେଇଥିବା ସୁବ୍ରତ ଆଉ ନିର୍ବନ୍ଧ ପରେ ନୂଆ ଜୀବନ ସାଥୀ ଅପେକ୍ଷାରେ ଥିବା ନିବେଦିତାଙ୍କ ପାଇଁ ଏ ଦୁଇ ସୁନ୍ଦର ସମ୍ପର୍କ ସାରା ଜୀବନ ଅଭୁଲା ହୋଇ ରହିବ ।