ଆଦିବାସୀ ବୋଲି ଅଭିଶପ୍ତ କି ଅର୍ଜୁନୀ ଗାଁ? ବିକାଶ ବଦଳରେ ଦିଶୁଛି ବିକଳ ଚିତ୍ର । 

117

କନକ ବ୍ୟୁରୋ: ମୁଣ୍ଡ ଉପରେ ଭଙ୍ଗା ମାଟିଘର, ତୁଣ୍ଡକୁ ଯାଉଛି ଭାତ ଲଙ୍କା-ଲୁଣ । ଅସିହା କାଳର ମସିହା ରିଲିଫ୍ ପାଲ ପଲିଥିନ୍ରେ ଢ଼ାଙ୍କି ହୋଇଛି ଘରର ଇଜ୍ଜତ । ବାସ୍ ଏତିକି ହିଁ ବୟାନ କରୁଛି ଯେ, ଆଜି ବି ଓଡ଼ିଶାର ଏମିତି କିଛି ଗାଁ ଅଛି ଯେଉଁଠି ବିକାଶର ପାଦ ଚିହ୍ନ ବି ଦିଶୁନାହିଁ । କଲବଲ କରୁଥିବା କାଦୁଅ ରାସ୍ତା, ଅଚଳ ପଡ଼ିଥିବା ଟ୍ୟୁବଲ୍ କହୁଛି ସରକାରୀ ଯୋଜନାର ବାଟବଣା କାହାଣୀ… ଏମିତି ଏକ ଅପହଞ୍ଚ, ଅବହେଳିତ ଗାଁର ସ୍ଥିତି ପରଖିଛି କନକ ନ୍ୟୁଜ୍…

ବାଲେଶ୍ୱର ବସ୍ତା ଅଧିନସ୍ଥ ବରୁଣଗଡିଆ ପଞ୍ଚାୟତର ଅଭିଶପ୍ତ ଗାଁ ଅର୍ଜୁନୀ । ବସ୍ତା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ପଡେ ଏହି ଗାଁ । ଏହି ଗାଁରେ ବସବାସ କରନ୍ତି ୧୨ଟି ପରିବାରର ୮୦ ରୁ ଅଧିକ ଲୋକ । ହଁ ସ୍ୱାଧିନତା ମିଳିଛି ସତ କିନ୍ତୁ ବଞ୍ଚିବାର ସଂଘର୍ଷରୁ ମୁକ୍ତି ମିଳିନି । ଭାଗ୍ୟ ରେଖାରେ ଗରିବୀର ଗାର ଟାଣି ହେବାସହ ଆଦିବାସୀ ବୋଲି ଟ୍ୟାଗ୍ ଲାଗିଛି । ବୋଧ ହୁଏ ସେଥିପାଇଁ ସରକାରୀ ବାବୁଙ୍କ ଆଖି ଆଢୁଆଳରୁ ବହୁ ଦୂରରେ ଅର୍ଜୁନୀ ଗାଁ ।

ବିକାଶର ଡିଣ୍ଡିମ ପିଟୁଥିବା ସରକାର ଥରେ ଅର୍ଜୁନୀ ଗାଁର ଅବସ୍ଥାକୁ ଦେଖିଛନ୍ତି ତ? ଯେଉଁ ଗାଁକୁ ନା ଅଛି ରାସ୍ତା, ନା ଅଛି ପାଣି, ନା ଶିକ୍ଷା,ସ୍ୱାସ୍ଥ୍ୟ କିମ୍ବା ବାସଗୃହ । ୧୨ଟି ପରିବାର ମଧ୍ୟରେ ଛୋଟ ଛୋଟ ପିଲାଙ୍କ ସଂଖ୍ୟା ଅଧିକ । କିନ୍ତୁ ସେମାନଙ୍କ ଭବିଷ୍ୟତ ବି ଅର୍ଜୁନୀ ଗାଁ ଭଳି ଅନ୍ଧାର ସଦୃଶ । ଗାଁଠୁ ୨ରୁ ୩ କିଲୋମିଟର ଦୂରରେ ପଡେ ଅଙ୍ଗନୱାଡ଼ି ଓ ସ୍କୁଲ । ହେଲେ ଭଲ ରାସ୍ତାଟିଏ ନଥିବାରୁ ପିଲାମାନଙ୍କ ପାଠପଢ଼ାରେ ବେଡି ପଡ଼ିଛି । ଯେଉଁଥି ପାଇଁ ଗାଉଁଲି ଖେଳରେ ନିଜର ସମୟ ବିତାଉଛନ୍ତି ଦେଶର ଆଗାମୀ ଭବିଷ୍ୟତ ।

ଦୁଃଖ କହିବା ନା ର୍ଦୁଭାଗ୍ୟ । ନେତା ଆସନ୍ତି କେବଳ ଭୋଟ୍ ପାଇଁ, ନିର୍ବାଚନ ସରିଗଲେ ସ୍ୱାର୍ଥପର ଭଳି ସବୁ ଭୁଲିଯାଆନ୍ତି । ଯେଉଁଥି ପାଇଁ ଆଜି ଅର୍ଜୁନୀ ଗାଁ ଅବହେଳିତ ବା ଗାଁ ଲୋକଙ୍କ ପାଇଁ ଅଭିଶପ୍ତ ପାଲଟିଛି । ଏଠାକାର ଜନପ୍ରତିନିଧି କୁହନ୍ତି, ପୂର୍ବରୁ କେବେ ଜଣେ କେହି ନେତାଙ୍କ ପାଦ ଏଠି ପଡ଼ି ନାହିଁ । ‘ବିକାଶ’କୁ ନୁହେଁ ବରଂ ଏମାନେ ବିକଳ ଚିତ୍ରକୁ ଦେଖିଛନ୍ତି ।

ହଁ ଏହା ବି ସତ, ଅର୍ଜୁନୀ ପରି ଏମିତି ଅନେକ ଗାଁ ଆଜି ବି ଅନ୍ଧାରୀ ମୂଲକରେ ଅଛି । ନେତାଏଁ ନିଜ ପ୍ରତିଶ୍ରୁତିର ପୁଡ଼ିଆକୁ ଯଦି ପୂରଣ କରିଥାନ୍ତେ, ଆଜି ଅର୍ଜୁନୀବାସୀ ନିଜକୁ ଅଭିଶପ୍ତ କୁହନ୍ତେନି । କାଗଜ କଲମରେ ବିକାଶର ବାଃ ବାଃ କରିବା ଅପେକ୍ଷା ଅର୍ଜୁନୀ ଭଳି ଅନେକ ଗାଁକୁ ଯଦି ଆଖିପକାନ୍ତେ ସରକାର, ସେମାନଙ୍କ ମୁହଁରେ ହସ ଫୁଟନ୍ତା । ଆଉ ବିକାଶର ସଂଜ୍ଞା କ’ଣ ତାହା ପ୍ରକୃତରେ ଲୋକଲୋଚନକୁ ଆସନ୍ତା । ଏ ଖବର ଦେଖିବା ପରେ ୧୨ଟି ପରିବାରର ଭାଗ୍ୟ ଭବିଷ୍ୟତ ସରକାର ବୁଝିବେ ବୋଲି ଆମେ ଆଶା କରୁଛୁ… ।